୧୬ରୁ ସାରା ଦେଶରେ ଆରମ୍ଭ ହେବ ଟିକାକରଣ: ପ୍ରଥମ ପର୍ଯ୍ୟାୟରେ ୩କୋଟି ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ ଟିକା; ସେପଟେ ଓଡିଶାରେ ଟଙ୍କା ଭଳି ସୁରକ୍ଷାରେ ଯିବ ଟିକା, ସୁରକ୍ଷା ବଳୟରେ ରହିବ କୋଭିଡ ଟିକା

ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ

124

କନକ ବ୍ୟୁରୋ: କରୋନା ଟିକାକରଣକୁ ନେଇ କେନ୍ଦ୍ର ସରକାର ଆଜି ବଡ ଘୋଷଣା କରିଛନ୍ତି । ଜାନୁୟାରୀ ୧୬ ତାରିଖରୁ ସାରା ଦେଶରେ ଆରମ୍ଭ ହେବାକୁ ଯାଉଛି କୋଭିଡ ଟିକାକରଣ । ପ୍ରଥମ ଦଫାରେ ଟିକା ପାଇବେ ୩ କୋଟି ସ୍ୱାସ୍ଥ୍ୟ କର୍ମୀ ଓ ଆଗଧାଡିର କୋଭିଡ ଯୋଦ୍ଧା । ଏପଟେ କଂପାନୀଠାରୁ ସିଧା ସଳଖ ଟିକା ଆସି ପହଂଚିବ ବିଭିନ୍ନ ରାଜ୍ୟରେ । ବ୍ୟାଙ୍କ ଗୁଡିକ ଯେଉଁ ସୁରକ୍ଷା ବ୍ୟବସ୍ଥା ଭିତରେ ଟଙ୍କା ପରିବହନ କରିଥାନ୍ତି, ଠିକ ସେମିତି କଡା ସୁରକ୍ଷା ବଳୟ ଭିତରେ ଟିକା ପହଂଚାଯିବା ପାଇଁ ବ୍ୟବସ୍ଥା ହୋଇଛି ।

କରୋନା ଟିକାକରଣକୁ ନେଇ ମୋଦି ସରକାରଙ୍କ ବଡ ଘୋଷଣା । ଜାନୁୟାରୀ ୧୬ ତାରିଖରୁ ସାରା ଦେଶରେ ଆରମ୍ଭ ହେବ କୋଭିଡ ଟିକାକରଣ । କରୋନା ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏହି ନିଷ୍ପତି ନିଆଯାଇଉଛି । ପ୍ରଥମ ଦଫାରେ ସରକାର ତାଲିକା କରିଥିବା ପ୍ରାୟ ୩ କୋଟି ସ୍ୱାସ୍ଥ୍ୟକର୍ମୀ, ଆଗଧାଡିର କୋଭିଡ ଯୋଦ୍ଧାଙ୍କୁ ଟିକା ଦିଆଯିବ । ଏହାପରେ ୨୭ କୋଟି ୫୦ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଓ ଏକାଧିକ ରୋଗଗ୍ରସ୍ତ ଲୋକ ଟିକା ପାଇବେ ।

ଟଙ୍କା ଭଳି ସୁରକ୍ଷାରେ ଯିବ କରୋନା ଟିକା । ସୁରକ୍ଷା ବଳୟରେ ରହିବ କୋଭିଡ ଟିକା । ଟିକା ନିର୍ମାଣକାରୀ ସଂସ୍ଥାରୁ କରୋନା ଟିକା ସିଧା ସଳଖ ଓଡିଶାକୁ ଆସନ୍ତା ସପ୍ତାହରେ ପହଂଚିଯିବ । ଟିକା ରାଜ୍ୟକୁ ପହଂଚିବା ପରେ ରାଜ୍ୟ ଟିକାକେନ୍ଦ୍ରରୁ ଅନ୍ୟ ଅଂଚଳକୁ କଡା ସୁରକ୍ଷାରେ ଟିକା ପହଂଚାଇବା ପାଇଁ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ । ଟଙ୍କା ଭ୍ୟାନର ସୁରକ୍ଷା ଭଳି ବିଭିନ୍ନ ଜିଲ୍ଲାକୁ ଟିକା ଗାଡି ଯିବ । ଟିକା ଭ୍ୟାନକୁ ସୁରକ୍ଷା ଦେବା ଲାଗି ଜିଲ୍ଲାପାଳ ଓ ଏସପି, ପୁଲିସ କମିସନର, ମୁନସିପାଲଟି କମିସନରଙ୍କୁ ଚିଠି ଲେଖିଛନ୍ତି ।

ତେବେ ରାଜ୍ୟ ଟିକା କେନ୍ଦ୍ରରୁ ୯ଟି ଆଂଚଳିକ ଟିକା କେନ୍ଦ୍ର ଓ ୩୨ଟି ଜିଲ୍ଲା ଟିକା କେନ୍ଦ୍ରକୁ ଭ୍ୟାକସିନ ପଠାଯିବ । ଟିକା ପରିବହନ ସମୟରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ପାଇଁ କୁହାଯାଇଛି । ଯେମିତି ଟଙ୍କା ଗାଡି କଡା ସୁରକ୍ଷା ବଳୟରେ ଯାଏ, ସେହି ଭଳି ସୁରକ୍ଷା ବଳୟ ଭିତରେ ଯିବ ଟିକା ଗାଡି । ସେପଟେ ସିରମ ଇନଷ୍ଟିଚ୍ୟୁଟରେ ବିତରଣ ହେବାକୁ ଥିବା ଟିକା ପଠାଇବାରେ ହେଉଥିବା ବିଳମ୍ବକୁ ନେଇ ଚର୍ଚ୍ଚା ଜୋର ଧରିଛି । ଟିକାର ଦାମକୁ ନେଇ ସରକାରଙ୍କ ସହ ମୁଲଚାଲ ଯୋଗୁଁ ଟିକା ଆସିବାରେ ଡେରି ହେଉଥିବା ଆଲୋଚନା ହେଉଛି । ହେଲେ ଏଭଳି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ସିରମ ଇନଷ୍ଟିଚ୍ୟୁଟ ମୁଖ୍ୟ ଅଦାର ପୁନାୱାଲା । ସେ କହିଛନ୍ତି ଟିକା ପଠାଇବା ପାଇଁ କେନ୍ଦ୍ର ସରକାରଙ୍କ ଅନୁଷ୍ଠାନିକ ଅନୁମତିକୁ ଅପେକ୍ଷା କରାଯାଇଛି । ସେପଟେ ଆସନ୍ତା ୧୧ତାରିଖରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଟିକାକରଣକୁ ନେଇ ପ୍ରଧାନମନ୍ତ୍ରୀ ସମୀକ୍ଷା ବୈଠକ କରିବା କାର୍ଯ୍ୟକ୍ରମ ରହିଛି ।