ଏକ ବିଭତ୍ସ ହତ୍ୟାକାଣ୍ଡର କାହାଣୀ: ଜେଲ ଭିତରେ ସାଥୀ କଏଦୀକୁ ନିଜେ ବଖାଣିଲା ଅଭିଯୁକ୍ତ, କେମିତି କାନଫୁଲ ପାଇଁ କାଟି ଦେଇଥିଲା କାନ?

ମଣିଷ ହାଣି ଲୁଟୁଥିଲା...ଗର୍ଲଫ୍ରେଣ୍ଡକୁ ଗିଫ୍ଟ ଦେଉଥିଲା ଲୁଟ ସାମଗ୍ରୀ

424

କନକ ବ୍ୟୁରୋ: ନିଜ ବାହାଦୁରୀ ବିଷୟରେ ଜେଲରେ କଥା ହେଉଥିଲେ ଦୁଇ କଏଦୀ । କିଏ ବଡ ଅପରାଧ ଘଟାଇଛି, ଫୁଟାଣି ମାରି କହୁ କହୁ ଜଣେ କହିଦେଲା ସେ ଜେଲ ଆସିଛି ଏକ ଛୋଟ ଅପରାଧ ପାଇଁ, ହେଲେ ବାହାରେ ହତ୍ୟାକାଣ୍ଡ ଭଳି ବଡ ଅପରାଧ ଘଟାଇଛି । ଯାହାକୁ କେହି ଜାଣି ନାହାନ୍ତି । ବାସ କଥା ଯାଇ ପହଂଚିଗଲା ପୁଲିସ କାନରେ, ଆଉ ତାପରେ ନୟାପଲ୍ଲୀ ପୁଲିସ ଜେଲ ଭିତରୁ ଆସାମୀକୁ ଉଠାଇ ନେଇଛି ।

ଅପରାଧୀ ମାନିଲା ଅପରାଧ । ଜେଲରେ ବଖାଣିଲା ହତ୍ୟାକାଣ୍ଡର କାହାଣୀ । ଗତ ଜୁଲାଇ ମାସରେ ଭୁବନେଶ୍ୱର ନୟାପଲ୍ଲୀରେ ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡ କମିସନରେଟ ପୁଲ୍ିସର ନିଦ ହଜାଇ ଦେଇଥିଲା । ୭୦ ବର୍ଷିୟା ମହିଳା ତୁଳସୀ ଦେଇଙ୍କୁ ଘରେ ପଶି ମୁଣ୍ଡକୁ ହାଣି, କାନ କାଟି ଅଳଙ୍କାର ଲୁଟି ନେଇଥିବା ନୃଶଂସ ଅପରାଧୀକୁ ୫ ମାସ ଧରି ଖୋଜୁଥିଲା କମିସନରେଟ ପୁଲିସ । ହେଲେ ଅଭିଯୁକ୍ତ ଜଣକ ଅନ୍ୟ ଏକ ମାମଲାରେ ଝାରପଡ଼ା ଜେଲରେ ରହିଥିଲା । ଶେଷରେ ସାଥୀ କଏଦୀକୁ ନିଜ ବାହାଦୂରି ବଖାଣି ଧରାପଡିଛି ଏହି ସଶତାନ । କିପରି ବୃଦ୍ଧାଙ୍କୁ ହାଣି ହତ୍ୟା କରିଥିଲା ନିଜ ମୁହଁରେ ଗୋଟି ଗୋଟି ବଖାଣିଥିଲା ଅଭିଯୁକ୍ତ ।

ଅଭିଯୁକ୍ତ ନାରାୟଣ ମହାନ୍ତି । ନାଁରେ ରହିଛି ୨୫ରୁ ଅଧିକ ମାମଲା । ସୁନା ଗହଣା ଲୁଟିବା ପାଇଁ ନୟାପଲ୍ଲୀ  ଏନ-୪ର ଘର ନଂ-୨୬୩କୁ ଟାର୍ଗେଟ କରିଥିଲା ନାରାୟଣ । ଘରେ ଥିଲେ ୭୦ ବର୍ଷିୟା ମହିଳା ତୁଳସୀ ଦେଇ । ତାଙ୍କ ଘର ଭିତରେ ପଶି ସୁନା ଗହଣା ଲୁଟିବା ପାଇଁ ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲା ଅଭିଯୁକ୍ତ । ତୁଳସୀ ଦେବାକୁ ଅମଙ୍ଗ ହେବାରୁ ମୁଣ୍ଡ, ଦେହକୁ ବାରମ୍ବାର ହାଣି ପକାଇଥିଲା ଏହି ନୃଶଂସ ସଇତାନ । ଶେଷରେ କାନ କାଟି କାନଫୁଲ ନେଇ ଫେରାର ହୋଇଯାଇଥିଲା ନାରାୟଣ ।  ତେବେ ନାରାୟଣ ମହାନ୍ତିର ଘର ଗଂଜାମ ଜିଲ୍ଲା ପୋଲସରା ଅଂଚଳରେ । ତାର ଅପରରାଧର ତାଲିକା ଯେମିତି ଲମ୍ବା, ସେତିକି ନୃଶଂସ ତାର ଆଚରଣ । ଏହି ଅପରାଧୀର ସଫ୍ଟ ଟାର୍ଗେଟ ହେଉଛନ୍ତି ମହିଳା । ପ୍ରଥମେ ସୁନା ମାଗେ ଆଉ ନଦେଲେ ହାଣିକି ସୁନା ଲୁଟ କରେ । ସବୁଠୁ ବଡ କଥା ହେଉଛି, ଲୁଟ କରୁଥିବା ସୁନା ନିଜ ଗର୍ଲଫ୍ରେଣ୍ଡକୁ ଗିଫ୍ଟ ଦିଏ ନାରାୟଣ । ସାମାନ୍ୟ ସୁନା ପାଇଁ ଜଣକୁ ହତ୍ୟା କରିବାକୁ ବି ପଛାଉ ନଥିବା ଏହି ଅଭିଯୁକ୍ତ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ମୃତ ତୁଳସୀଙ୍କ ସ୍ୱାମୀ ।

ଅଭିଯୁକ୍ତ ନାରାୟଣକୁ ଦୁଇ ଦିନିଆ ରିମାଣ୍ଡରେ ଆଣିଛି କମିସନରେଟ୍ ପୋଲିସ । ଏକାଧିକ ଅପରାଧରେ ତା’ର ସଂପୃକ୍ତି ଥିବାରୁ ତା’ର ଅପରାଧର ପୂରା ହିସାବ ନିକାଶ କରିବ ପୋଲିସ ।