ଓଡିଶାରେ ଟଙ୍କା ଭ୍ୟାନର ସୁରକ୍ଷା ଭଳି ବିଭିନ୍ନ ଜିଲ୍ଲାକୁ ଯିବ ଟିକା ଗାଡି । ସୁରକ୍ଷା ନେଇ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଲେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ

ସେପଟେ ୧୬ ତାରିଖରୁ ସାରା ଦେଶରେ ଆରମ୍ଭ ହେବ ଟିକାକରଣ । ପ୍ରଥମ ପର୍ଯ୍ୟାୟରେ ୩ କୋଟି ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ ଟିକା

104

କନକ ବ୍ୟୁରୋ: କରୋନା ଟିକାକୁ ନେଇ ଆସିଲା ବଡ ଖବର । ଆସନ୍ତା ୧୬ ତାରିଖରୁ ସାରା ଦେଶରେ ଆରମ୍ଭ ହେବ କରୋନା ଟିକାକରଣ । ପ୍ରାଥମିକ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ କରୋନାର ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯିବ । ଏଥିପାଇଁ ପ୍ରାୟ ୩ କୋଟି ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କ ତାଲିକା ପ୍ରସ୍ତୁତ କରାଯାଇ ସାରିଛି । ସେହିଭଳି ୫୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଏବଂ ୫୦ ବର୍ଷରୁ କମ୍ ଏକାଧିକ ରୋଗରେ ପୀଡିତ ଲୋକଙ୍କୁ ଟିକା ଦିଆଯିବ । ଏଥିପାଇଁ ୨୭ କୋଟି ବ୍ୟକ୍ତିଙ୍କୁ ତାଲିକା ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର ।  ସେପଟେ ଓଡିଶାରେ ଟଙ୍କା ଭ୍ୟାନର ସୁରକ୍ଷା ଭଳି ବିଭିନ୍ନ ଜିଲ୍ଲାକୁ ଟିକା ଗାଡି ଯିବ । ଟିକା ଭ୍ୟାନକୁ ସୁରକ୍ଷା ଦେବା ଲାଗି ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖି ଜଣାଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।

ପୁନେର ସେରମ୍ ଇନଷ୍ଟିଚୁଟରୁ ଟିକା ପରିବହନକୁ ନେଇ ସେରମ ପକ୍ଷରୁ ଆସିଲା ବଡ ସୂଚନା । ଦେଶର ବିଭିନ୍ନ ସ୍ଥାନକୁ ଟିକା ପରିବହନ ପାଇଁ ଲାଗିବ ଆହୁରି ୪୮ ଘଂଟା । ଏନେଇ ସୂଚନା ଦେଇଛନ୍ତି ସେରମ୍ ମୁଖ୍ୟ ଆଦାର ପୁନୱଲା । ଏହା ସହିତ ଆଦାର ପୁନୱଲା ସ୍ପଷ୍ଟ କରିଛନ୍ତି, ଯେ ଟଙ୍କା ପାଇଁ ଟିକା ପରିବହନ ବିଳମ୍ୱ ହେଉନାହିଁ । ସୋମବାର ଆଡକୁ ପ୍ରାୟ ୧୫୦ ଟନ୍ କାର୍ଗୋ ଜରିଆରେ ଟିକା ପରିବହନ ହେବ । ପୂର୍ବରୁ ସୂଚନା ରହିଥିଲା ଗୁରୁବାର ପୁଣେରୁ ବିମାନ ଯୋଗେ ଟିକା ପରିବହନ ହେବ । ଏହାପରେ ଶୁକ୍ରବାର ପରିବହନ ହେବ ବୋଲି ଆଶା କରାଯାଉଥିଲା । ଏହା ମଧ୍ୟରେ ସେରମ୍ ଇନଷ୍ଟିଚୁଟ୍ ମୁଖ୍ୟ ସୂଚନା ଦେଇଛନ୍ତି ସୋମବାର ଆଡକୁ ପୁଣେରୁ ଟିକା ପରିବହନ ହେବ ।

ସେପଟେ ପୁଣେ ବିମାନ ବନ୍ଦର କର୍ତୃପକ୍ଷ କରୋନା ଟିକା ପରିବହନ ପାଇଁ ପୁରା ପ୍ରସ୍ତୁତ ଥିବା ଜଣାଇଛନ୍ତି । ତେବେ ଟିକା ପରିବହନ ଆଗରୁ ବିଦ୍ଧିବଦ୍ଧ ଭାବେ ସରକାରଙ୍କ ସହିତ ଟିକାର ଦାମକୁ ନେଇ କଥାବାର୍ତା ପରେ ଟିକା ପରିବହନ କରାଯିବ ବୋଲି ସେରମ୍ ସୂତ୍ରରୁ ଜଣାପଡିଛି । ସେରମ୍ ବର୍ତମାନ୍ ଭାରତ ସରକାରଙ୍କ ପାଇଁ ପ୍ରତି ଡୋଜ୍ ୨୦୦ ଟଙ୍କା ଧାର୍ଯ୍ୟ କରିଛି । ସୂତ୍ର ଅନୁସାରେ କେନ୍ଦ୍ର ସରକାର ୧୦୦ ମିଲିୟନ୍ ଟିକା ମଗାଇବେ । ସେଥିପାଇଁ କେନ୍ଦ୍ର ସରକାର ଟିକା ଦରରେ ଆଉ କିଛିଟା କମ୍ କରିବାକୁ ଚାହୁଁଛନ୍ତି । ବର୍ତମାନ ପୁଣେର ମଂଜରୀ ପ୍ଲାଂଟରେ ସେରମ୍ ଇନଷ୍ଟିଚୁଟ୍ ତିଆରି କରିଥିବା ୫୦ ମିଲିୟନ୍ ଟିକା ମହଜୁଦ୍ ରହିଛି । ସେରମ୍ ପକ୍ଷରୁ ଶୀତଳଭଣ୍ଡାର ବ୍ୟବସ୍ଥା ଥିବା ଟ୍ରକ୍ ଟିକା ପରିବହନ ପାଇଁ ବ୍ୟବସ୍ଥା କରାଯାଇଛି ।

ଏପଟେ ଟିକାକରଣ ପାଇଁ କେତେ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର । ଏନେଇ ଜାନୁଆରୀ ୧୧ ତାରିଖ ଅର୍ଥାତ ସୋମବାର, ଅପରାହ୍ନ ୪ଟାରେ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତରେ ଟିକାକରଣ ପାଇଁ କୋଭିସିଲ୍ଡ ଓ କୋଭାକ୍ସିନ ଟିକାକୁ ଅନୁମତି ମିଳିବା ପରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ । ଟିକାକରଣ ପାଇଁ ରାଜ୍ୟ ସରକାରମାନେ କେତେ ପ୍ରସ୍ତୁତି ରହିଛନ୍ତି ଓ ରାଜ୍ୟମାନଙ୍କରେ କୋଭିଡର ସ୍ଥିତି କଣ ରହିଛି ସେ ନେଇ ଭିଡିଓକନଫରେନ୍ସିଂ ଜରିଆରେ ପଚାରିବୁଝିବେ ମୋଦି ।

ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ଦେଶରେ ମହାମାରୀ କରୋନା ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ୬ ଥର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରି ସାରିଛନ୍ତି ପ୍ରଧାନମନ୍ତ୍ରୀ । ଟିକାକରଣ ପାଇଁ ବର୍ଷ ଆରମ୍ଭରୁ ଅକ୍ସଫୋର୍ଡ ଦ୍ୱାରା ବିକଶିତ ଟିକା କୋଭିସିଲ୍ଡ ଓ ଭାରତ ବାୟୋଟେକ୍ ଦ୍ୱାରା ବିକଶିତ କୋଭାକ୍ସିନକୁ ଅନୁମତି ଦେଇଛି ଡିସିଜିଆଇ । ଏବଂ ଖୁବଶୀଘ୍ର ଟିକାକରଣ ଆରମ୍ଭ ହେବ ବୋଲି କୁହାଯାଉଛି । ଏଥିପାଇଁ ଦେଶବ୍ୟାପି ଜାନୁଆରୀ ୨ ତାରିଖରେ ଓ ୮ ତାରିଖରେ ଟିକାକରଣର ମକଡ୍ରିଲ ବା ଡ୍ରାଏ ରନ୍ କରାଯାଇଛି । ଏହି ଡ୍ରାଏ ରନ୍ ସଫଳ ହୋଇଛି ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବାକୁ ସେମାନଙ୍କ ଚୂଡାନ୍ତ ତାଲିକା ପ୍ରସ୍ତୁତି ହୋଇସାରିଛି ।