ଦମ୍ପତିଙ୍କୁ ଗାଁରୁ ବାସନ୍ଦ ! ଗୁଣିଗାରେଡ଼ି କରି କର୍କଟ ରୋଗରେ ଆକ୍ରାନ୍ତ କରାଇଥିବା ଅଭିଯୋଗ

85

କନକ ବ୍ୟୁରୋ : ଯାଜପୁର ଜିଲ୍ଲା କାଳିଆପାଣି ଥାନା ଚିଙ୍ଗୁଡ଼ିପାଳ ପଞ୍ଚାୟତ ଅନ୍ତର୍ଗତ ନାତୋର ଗାଁ ସାନ୍ତାଳ ସାହିରେ ଘଟିଛି ଏକ ଅଭାବନୀୟ କାଣ୍ଡ  । ଗାଁର ଜଣେ ବ୍ୟକ୍ତି କର୍କଟ ରୋଗରେ ଆକ୍ରାନ୍ତ ହେବା ପଛରେ ଗୁଣି ଗାରେଡ଼ି ହିଁ ପ୍ରମୁଖ କାରଣ ବୋଲି ଗାଁରେ ଅନୁଷ୍ଠିତ ସଭାରେ ରାୟ ଦିଆଯାଇଛି । ଗୋଟିଏ ଦମ୍ପତିଙ୍କୁ ଏଥିପାଇଁ ଦାୟୀ କରାଯାଇ ଗାଁରୁ ବାସନ୍ଦ କରି ତଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି । ଗାଁକୁ ଫେରିଲେ ମୃତ୍ୟୁଦଣ୍ଡ ମିଳିବ ବୋଲି ଚେତାବନୀ ଦିଆଯାଇଛି ।

ଘଟଣା ଅନୁସାରେ, ନାତୋର ଗାଁର ରବି ସୋରେନ(୪୬) ଏବେ ମୁଖ ଗହ୍ବର କର୍କଟ ରୋଗରେ ଆକ୍ରାନ୍ତ ଅଛନ୍ତି । ପୂର୍ବରୁ ଗୁଟ୍‌କା, ଗୁଣ୍ଡି ଓ ଖଇନି ଆଦି ବ୍ୟବହାର କାରଣରୁ ରବିଙ୍କ ମୁହଁର ଘାଆ ଦିନକୁ ଦିନ ବଢ଼ିବାରେ ଲାଗିଛି । ତାଙ୍କ ସାହିର ପୁନ୍ତା ଓ ଠାକୁରା ମୁର୍ମୁ ଗୁଣିଗାରେଡ଼ି କରି ଏହି ଦଶା କରାଇଛନ୍ତି ବୋଲି ରବି ଅଭିଯୋଗ କରିଆସୁଛନ୍ତି । ଏଥିସହ ତାଙ୍କ ବସ୍ତିରେ ଯାହାର ବି ଦେହ ଖରାପ ହେଲା ସେଥିପାଇଁ ପୁନ୍ତା ଓ ଠାକୁରା ଦାୟୀ ବୋଲି ସେ ଅପପ୍ରଚାର କରୁଥିଲେ । ଏହା ପଛରେ ବାପମାଆଙ୍କଠୁ ଅଲଗା ରହୁଥିବା ତାଙ୍କ ବଡ଼ପୁଅ ହାଡ଼ିବନ୍ଧୁ ମୁର୍ମୁ ଓ ବୋହୂ ବି ସାମିଲହୋଇ ନିଆଁରେ ଘିଅ ଢାଳୁଥିଲେ ।

ଅଯଥା ଆରୋପ ଓ ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ଏହି ଦମ୍ପତି ଗତ ୬ ମାସ ତଳେ ଗାଁ ଛାଡ଼ି ସୁକିନ୍ଦା ଅଶୋକଝର ଇଲାକାରେ ଆଶ୍ରୟ ନେଇ ଗତ ସସ୍ତାହ ଗାଁକୁ ଫେରିଥିଲେ । ପୁନ୍ତା ଓ ଠାକୁରାଙ୍କ ଗାଁ ଫେରିବା ଦେଖି ଆଜି ସକାଳ ଗାଁ କମିଟି ପକ୍ଷରୁ ରାମଦାସ ମାରାଣ୍ଡି, ହାଡ଼ିବନ୍ଧୁ ମୁର୍ମୁ, ଯଦୁ ହାଁସ୍ଦା, ଶ୍ୟାମ ମାରାଣ୍ଡି, ଶରତ ମାରାଣ୍ଡି, ଚୁନା ସୋରେନ, ଭାଗିରଥି ସୋରେନଙ୍କ ଉପସ୍ଥିତିରେ ଜରୁରୀ ବୈଠକ ବସିଥିଲା । ଗାଁ ନିଶାପରେ ଏହି ଦମ୍ପତିଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ସହ ଦଣ୍ଡ ଘୋଷଣା କରାଯାଇଥିଲା । ଗାଁକୁ ଫେରିଲେ ଦୁଇଜଣଙ୍କୁ ଏକାଠି ବାନ୍ଧି ଜଳନ୍ତା ନିଆଁରେ ଫିଙ୍ଗି ଦିଆଯିବ ବୋଲି ଚେତାବନୀ ଦିଆଯାଇଥିଲ । ଉକ୍ତ ଘଟଣାବଳୀ ଏବେ ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି ।