ହାତ ଧୋଇଲେ, ସଚେତନ କଲେ । କରୋନା ପାଇଁ ବିଧାନସଭାରେ ହାତ ଧୋଇ ସମସ୍ତଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

542

କନକ ବ୍ୟୁରୋ: ହାତ ଧୋଇଲେ, ସଚେତନ କଲେ । କରୋନା ଭାଇରସ ପାଇଁ ଓଡିଶାବାସୀଙ୍କୁ ହାତ ଧୋଇ ସଚେତନ କେଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଭିନ୍ନ ନେତା ମନ୍ତ୍ରୀଙ୍କ ହାତ ଧୋଇଛନ୍ତି । ଆଉ ସମସ୍ତଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି ।

କରୋନା ସଂପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ବିଧାନସଭା ପରିସରରେ ଆଜି ସେ ପ୍ରଥମେ ହାତ ଧୋଇ ସଚେତନତା ବାର୍ତ୍ତା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ବିଧାନସଭାରେ ବିବୃତି ଦେଇ କରୋନା ସଂକ୍ରମଣକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିବା ସହ ରାଜ୍ୟବାସୀଙ୍କ ଲାଗି ବ୍ୟାପକ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ଏଥିସହ ଆଜି ମୁଖ୍ୟମନ୍ତ୍ରୀ ଏକ ଭିଡିଓ ଟୁଇଟ୍ କରି ଜନସାଧାରଣଙ୍କୁ ସଚେତନ କରାଇଛନ୍ତି। ଏହି ଟୁଇଟରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ‘ସଚେତନ ଓ ସତର୍କ ରହିଲେ ହିଁ ଆମେ କରୋନା ସଂକ୍ରମଣକୁ ପ୍ରତିରୋଧ କରିପାରିବା । ଏହି ସଚେତନଧର୍ମୀ ଭିଡ଼ିଓ ମାଧ୍ୟମରେ ନିଜେ ସଚେତନ ହେବା ସହ ନିଜ ପରିବାର, ବନ୍ଧୁ ତଥା ଅନ୍ୟମାନଙ୍କୁ ମଧ୍ୟ ସଚେତନ କରନ୍ତୁ।’

ସେପଟେ କରୋନାକୁ ଆଖି ଆଗରେ ରଖି ଆଜି ବିଧାନସଭାରେ ବିଧାୟକଙ୍କୁ ଟିପ୍ସ ଦେଇଛନ୍ତି ବାଚସ୍ପତି । ବିଧାନସଭା ସମ୍ମିଳନୀ କକ୍ଷରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଧାୟକମାନଙ୍କୁ ଭାଇରସ ପାଇଁ ସତର୍କ ଓ ସଚେତନ କରାଇଛନ୍ତି । ବାରମ୍ବାର ଭଲ ଭାବେ ହାତ ଧୋଇବାକୁ ବାଚସ୍ପତି ବିଧାୟକଙ୍କୁ ଟିପ୍ସ ଦେଇଛନ୍ତି । ଏଥିସହ ନିଜେ ସଚେତନ ହୋଇ ନିଜ ନିର୍ବାଚନମଣ୍ଡଳୀର ସମସ୍ତଙ୍କୁ ଭୂତାଣୁର ଭୟାବହତା ସମ୍ପର୍କରେ ଅବଗତ କରାଇବା ସହ ଏହାର ମୁକାବିଲା ପାଇଁ ବିଧାୟକଙ୍କୁ କହିଛନ୍ତି ବାଚସ୍ପତି ।