କନକ ବ୍ୟୁରୋ : କରୋନା ପାଇଁ ରଦ୍ଦ ହେଲା ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ । ଲକ୍ଷ୍ନୌ ଓ କୋଲକାତାରେ ଖେଳାଯିବାକୁ ଥିବା ଅବଶିଷ୍ଟ ୨ଟି ମ୍ୟାଚକୁ ରଦ୍ଦ କରାଯାଇଛି । ଏନେଇ ବିସିସିଆଇ ନିଷ୍ପତି ନେଇଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । କରୋନା ଭାଇରସ ସଂକ୍ରମଣ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି । ଏହାପୂର୍ବରୁ ଧର୍ମଶାଳାରେ ହେବାକୁ ଥିବା ପ୍ରଥମ ଦିନିକିଆ ମ୍ୟାଚ୍ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଥିଲା ।

Advertisment

ତେବେ ଏହି ନିଷ୍ପତି ପୂର୍ବରୁ ଦର୍ଶକଙ୍କ ବିନା ଷ୍ଟାଡିୟମରେ ମ୍ୟାଚ୍ ହେବ ବୋଲି ଚର୍ଚ୍ଚା ହେଉଥିଲା । ତେବେ କ୍ରୀଡା ମନ୍ତ୍ରାଳୟ ବିସିସିଆଇ ସମେତ ଅନ୍ୟ ଜାତୀୟ କ୍ରୀଡା ସଂଘକୁ ସ୍ପଷ୍ଟ ଭାବେ କହିଥିଲା ଯେ, କରୋନା ଭାଇରସର ପ୍ରଭାବ ବୃଦ୍ଧି ପାଇଲେ ଯେକୌଣସି ଟୁର୍ଣ୍ଣାମେଣ୍ଟକୁ ଅଧାରୁ ବନ୍ଦ କରିବାକୁ ପଡ଼ିବ । ଏହାପୂର୍ବରୁ କରୋନା ଭାଇରସ ପାଇଁ ଏପ୍ରିଲ ୧୫ ପର୍ଯ୍ୟନ୍ତ ଆଇପିଏଲକୁ ଘୁଞ୍ଚାଇ ଦିଆଯାଇଛି । ଏନେଇ ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ।