ଆଇପିଏଲରେ ଲାଗିଲା କରୋନା ଗ୍ରହଣ । ଏପ୍ରିଲ ୧୫ ଯାଏଁ ଘୁଂଚିଲା କ୍ରିକେଟର ମହାକୁମ୍ଭ ତାରିଖ, ବାତିଲ୍ ହେଲା ଭାରତ-ଦକ୍ଷିଣଆଫ୍ରିକା ଦିନିକିଆ ସିରିଜ୍ ।

328

କନକ ବ୍ୟୁରୋ : କରୋନା ପାଇଁ ଘୁଂଚିଲା ଆଇପିଏଲ ୨୦୨୦ ତାରିଖ । କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଏପ୍ରିଲ ୧୫ ପର୍ଯ୍ୟନ୍ତ ମ୍ୟାଚ୍ ସ୍ଥଗିତ ରଖିବାକୁ ଘୋଷଣା କରାଯାଇଛି । ଖେଳାଳି ଓ ଦର୍ଶକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ନିଆଯାଇଥିବା ବିସିସିଆଇ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ଆସନ୍ତା ୨୯ ତାରିଖରୁ ଆଇପିଏଲ୍ ମ୍ୟାଚ୍ ଆରମ୍ଭ ହେବାକୁ ଥିବା ବେଳେ ଏଥିରେ ହଜାର ହଜାର ଦର୍ଶକ ଏକାଠି ହୋଇ ମ୍ୟାଚ୍ ଦେଖିବେ । ତେଣୁ ଏହାକୁ ଏଡାଇବା ପାଇଁ ଏଭଳି ନିଷ୍ପତି ନିଆଯାଇଥିବା କୁହାଯାଉଛି । ସେହିପରି ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ମ୍ୟାଚକୁ ମଧ୍ୟ ବାତିଲ କରାଯାଇଛି ।

କରୋନା ଭୟରେ ଘୁଂଚିଲା କ୍ରିକେଟ ମ୍ୟାଚ୍ । ଏପ୍ରିଲ ୧୫ ଯାଏଁ ଆଇପିଏଲ ମ୍ୟାଚ ସ୍ଥଗିତ । ମହାମାରୀ କରୋନାର ଭୟାବହତକୁ ଦେଖି ଭିସା କଟକଣା ଲଗାଇଥିଲେ କେନ୍ଦ୍ର ସରକାର । ଏହାର ପ୍ରଭାବ ବହୁ ଚର୍ଚ୍ଚିତ ଫଟାଫଟ୍ କ୍ରିକେଟର ମହାମୁକାବିଲା ଆଇପିଏଲ ଉପରେ ପଡିବା ନେଇ ଯେଉଁ ଆଶଙ୍କା କରାଯାଉଥିଲା, ଶେଷରେ ତାହା ହିଁ ହୋଇଛି । ବିସିସିଆଇ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି, ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ୱ ଦେଇ ଆଇପିଏଲ-୧୩ର ସୂଚୀରେ ପରିବର୍ତ୍ତନ କରାଯାଇଛି । ଅର୍ଥାତ ଏହା ଆଗାମୀ ମାର୍ଚ୍ଚ ୨୯ ପରିବର୍ତ୍ତେ ଏପ୍ରିଲ ୧୫ରୁ ଆରମ୍ଭ ହେବ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୋଭିଡ-୧୯କୁ ବିଶ୍ୱବ୍ୟାପୀ ମହାମାରୀ ଘୋଷଣା କରିବା ପରେ ମାସିକିଆ ଭିସା କଟକଣା ଲାଗୁ କରିଥିଲେ କେନ୍ଦ୍ର ସରକାର । ଫଳରେ ଆଇପିଏଲରେ ବିଦେଶୀ ଖେଳାଳିଙ୍କ ଉପସ୍ଥିତି ନେଇ ସନ୍ଦେହ ଉପୁଜିଥିଲା । ସରକାରଙ୍କ କଟକଣା ଏପ୍ରିଲ ୧୫ରେ ଶେଷ ହେଉଥିବାରୁ ଆଇପିଏଲ ମ୍ୟାଚକୁ ଘୁଂଚାଇ ଦିଆଯାଇଛି ।

ଶନିବାର ଆଇପିଏଲ ପରିଚାଳନା କମିଟିର ବୈଠକ ବସିବା ପୂର୍ବରୁ ମୁମ୍ବାଇ ମୁଖ୍ୟାଳୟରେ ବିସିସିଆଇ ପଦାଧିକାରୀଙ୍କ ବୈଠକ ବସିଥିଲା । ସଭାପତି ସୌରଭ ଗାଙ୍ଗୁଲି ଓ ସଚିବ ଜୟ ଶାହାଙ୍କ ଉପସ୍ଥିତିରେ ବସିଥିବା ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି କରାଯାଇଛି । ଆଇପିଏଲ ଫ୍ରାଂଚାଇଜିଙ୍କଠାରୁ ଟଙ୍କା ନେଇ ବିଦେଶୀ ଖେଳାଳିମାନେ ଚୁକ୍ତି ଭିତିରେ ଭାରତ ଖେଳିବାକୁ ଆସୁଥିବାରୁ ସେମାନଙ୍କୁ ବିଜନେସ ଭିସା ପ୍ରଦାନ କରାଯାଉଛି । ହେଲେ ସରକାରଙ୍କ ନିର୍ଦ୍ଦେଶନାମାରେ ଏହି ଭିସାକୁ ବାଦ ଦିଆଯାଇନାହିଁ ।

ତେଣୁ ଫଟାଫଟ୍ କ୍ରିକେଟର ମହାମୁକାବିଲା ଆଇପିଏଲରେ ଯୋଗଦେବା ପାଇଁ ବିଦେଶୀ ଖେଳାଳି ଓ କୋଚଙ୍କ ସମେତ ଅନ୍ୟ ଅଧିକାରୀମାନଙ୍କୁ ଭିସା ମିଳିନପାରେ ବୋଲି ଆଶଙ୍କା ଉପୁଜିଥିଲା । ହେଲେ ଏଥିରେ ବି ଗୋଟିଏ ବଡ ସମସ୍ୟା ରହିଛି । କାରଣ ଏପ୍ରିଲ-ମେ’ ପରେ ମିଳିନପାରନ୍ତି ବିଦେଶୀ ଖେଳାଳି । ଅନ୍ୟ ଦ୍ୱିପାକ୍ଷୀକ ଚୁକ୍ତି କାରଣରୁ ଖେଳାଳି ଏହା ପରବର୍ତ୍ତୀ ସିଡ୍ୟୁଲରେ ଉପଲବ୍ଧ ହେବା ନେଇ ବଡ ସନ୍ଦେହ ରହିଛି ।

ତେବେ ବିସିସିଆଇ ଓ ଆଇପିଏଲ ପରିଚାଳନା କମିଟି ପାଇଁ ବଡ ସମସ୍ୟା ହୋଇଥିଲା ଦିଲ୍ଲୀ ସରକାରଙ୍କ ନିଷ୍ପତି । କରୋନା ସଂକ୍ରମଣ ଭୟରେ ଦିଲ୍ଲୀରେ ଆଇପିଏଲ୍ ମ୍ୟାଚ୍ ହେବନାହିଁ ବୋଲି ସୂଚନା ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିଆ । ଏହା ବାଦ୍ ଦିଲ୍ଲୀରେ କୌଣସି ପ୍ରକାର ବଡ ଇଭେଂଟ, କନଫରେନ୍ସ, ଆୟୋଜନ ଉପରେ ମଧ୍ୟ କଟକଣା ଜାରି କରାଯାଇଛି ।

ଅନ୍ୟ ଏକ ବିକଳ୍ପ ଥିଲା କ୍ଲୋଜ ଡୋର ଅର୍ଥାତ ବିନା ଦର୍ଶକରେ ମ୍ୟାଚ୍ । ସଚିନ ତେନ୍ଦୁଲକର ଓ ବ୍ରାଏନ ଲାରାଙ୍କ ଭଳି ମହାନ୍ କ୍ରିକେଟରଙ୍କ ଉପସ୍ଥିତିରେ ଚାଲିଥିବା ରୋଡ ସେଫ୍ଟି ୱାର୍ଲ୍ଡ ସିରିଜକୁ ବିନା ଦର୍ଶକରେ କରିବା ପାଇଁ ନିଷ୍ପତି ହୋଇଥିଲା । ମହାରାଷ୍ଟ୍ର ପୁଣେର ଏମସିଏ ଷ୍ଟାଡିୟମରେ ହେବାକୁ ଥିବା ସିରିଜର ବରବର୍ତ୍ତୀ ମ୍ୟାଚକୁ ନବି ମୁମ୍ବାଇର ଡିୱାଇ ପାଟିଲ୍ ଷ୍ଟାଡିୟମକୁ ସ୍ଥାନାନ୍ତର କରିଦିଆଯାଇଥିଲା । ହେଲେ ଆଇପିଏଲ ଭଳି ବ୍ୟୟବହୁଳ ମ୍ୟାଚକୁ ବିନା ଦର୍ଶକରେ ଚିନ୍ତା ମଧ୍ୟ କରାଯାଇ ପାରୁନାହିଁ ।