ମେ’ ୧୫ ସୁଦ୍ଧା ରାଜ୍ୟରେ ୪୬ଲକ୍ଷ ବୟସ୍କ ଲୋକଙ୍କୁ ଟିକା ଦିଆଯିବା ଲକ୍ଷ୍ୟ : ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ ନିୟନ୍ତ୍ରଣରେ ଅଛି କରୋନା ସଂକ୍ରମଣ

ସ୍ୱାସ୍ଥ୍ୟ ସଚିବଙ୍କ ସୂଚନା, ଆରଟିପିସିଆର ରିପୋର୍ଟ ନେଇ ଆସୁଛନ୍ତି ମହାରାଷ୍ଟ୍ର ଓ କେରଳରୁ ଯାତ୍ରୀ

51

କନକ ବ୍ୟୁରୋ : ଓଡ଼ିଶାରେ କରୋନା ସଂକ୍ରମଣ ନିୟନ୍ତ୍ରଣାଧୀନ ଥିଲେ ବି ଦେଶର କିଛି ରାଜ୍ୟ ଏବେ ଚିନ୍ତା ବଢ଼ାଇ ‌‌ଦେଇଛନ୍ତି । ମହାରାଷ୍ଟ୍ର ସମେତ କିଛି ରାଜ୍ୟରେ କରୋନା ସଂକ୍ରମଣ ପୁଣି ଉପରମୁହାଁ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ରାଜ୍ୟରେ ଟେଷ୍ଟିଂ ବଢ଼ାଇବା ଉପରେ ଗୁରୁତ୍ବାରୋପ କରିଛନ୍ତି । ‌ଏହି ପ୍ରକ୍ରିୟାକୁ ତଦାରଖ କରିବା ପାଇଁ ବିଭାଗର ଜଣେ ସ୍ବତନ୍ତ୍ର ସଚିବଙ୍କ ସହ ୬ ଡାକ୍ତରଙ୍କୁ ଜିଲ୍ଲା ଦାୟିତ୍ବ ଦିଆଯାଇଛି । ପୂର୍ବରୁ କୋଭିଡ୍‌ ଟେଷ୍ଟିଂ ମାର୍ଚ୍ଚ ୩୧ ଯାଏ ଚାଲିବ ବୋଲି ଘୋଷଣା ହୋଇଥିଲା । ତେବେ ବର୍ତ୍ତମାନର ପରିସ୍ଥିତିକୁ ନଜରରେ ରଖି ଟେଷ୍ଟିଂ ଅବଧି ଏପ୍ରିଲ୍‌ ୩୦ ଯାଏ ବଢ଼ାଇ ଦିଆଯାଇଛି ।

ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି ଯେ ଦେଶରେ ଦୈନିକ କରୋନା ସଂକ୍ରମଣ ୮ ହଜାରକୁ ଖସି ଆସିଥିଲାବେଳେ ଏବେ ପୁଣି ୨୩ ହଜାରକୁ ବୃଦ୍ଧି ପାଇଛି। ଓଡ଼ିଶାରେ ସ୍ଥିତି ଏବେ ନିୟନ୍ତ୍ରଣାଧୀନ ଅଛି। କିନ୍ତୁ ଆମକୁ ସତର୍କ ରହିବାକୁ ପଡ଼ିବ। ବାହାର ରାଜ୍ୟରୁ ଆସୁଥିବା କରୋନା ସଂକ୍ରମିତଙ୍କ ପାଇଁ ଯେପରି ଏଠାକାର ଲୋକ ସଂକ୍ରମିତ ନ ହୁଅନ୍ତି, ସେଥି ପ୍ରତି ଆମେ ଗୁରୁତ୍ବ ଦେଉଛୁ । ଆର୍‌ଏମ୍‌ଆର୍‌ସି, ଆଇଏଲ୍‌ଏସ୍‌ର ବିଶେଷଜ୍ଞ ଓ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସହ ଯାତାୟତରେ ପ୍ରତିବନ୍ଧକ ଲଗାଯିବା ନେଇ ଆଲୋଚନା କରାଯାଉଛି ।

ତେବେ ବର୍ତ୍ତମାନ ମହାରାଷ୍ଟ୍ର ଓ କେରଳ ସମେତ ୫ଟି ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କୁ ସ୍କ୍ରିନିଂ କରାଯାଉଛି । ଯଦି ଆବଶ୍ୟକ ପଡ଼େ, ତେବେ ଅନ୍ୟ ରାଜ୍ୟକୁ ମଧ୍ୟ ଏହି କାଟାଗୋରିରେ ଯୋଡ଼ାଯିବ । ବିମାନବନ୍ଦର ଓ ରେଳଷ୍ଟେସନରେ ଯାଞ୍ଚ ହେଉଛି। ଲକ୍ଷଣ ଥିଲେ ଟେଷ୍ଟ କରାଯାଉଛି। ଜିଲ୍ଲାଗୁଡ଼ିକରେ ମଧ୍ୟ ଟେଷ୍ଟିଂ ବଢ଼ାଇବାକୁ ଗୁରୁତ୍ୱ ଦିଆଯାଉଛି । ଜଣେ ସ୍ବତନ୍ତ୍ର ସଚିବଙ୍କ ତତ୍ତ୍ବାବଧାନରେ ୬ ଜଣ ଡାକ୍ତର ଜିଲ୍ଲାଗୁଡ଼ିକରେ ଟେଷ୍ଟିଂ କାର୍ଯ୍ୟ ତଦାରଖ କରିବେ । ରାଜ୍ୟରେ ଦିନକୁ ଏକ ଲକ୍ଷ ବରିଷ୍ଠ ନାଗରିକଙ୍କୁ ଟିକା ଦେବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ଏଥିପାଇଁ ଜିଲ୍ଲା ୱାରି ଦୈନିକ ଟ‌ାର୍ଗେଟ୍‌ ଦିଆଯାଇଛି । ଏହି ବରିଷ୍ଠ ନାଗରିକ ଟିକାକରଣ ଅଭିଯାନ ମେ’ ୧୫ ସୁଦ୍ଧା ସରିବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଛନ୍ତି ।

ଆଜି ରାଜ୍ୟରେ ମୋଟ୍‌ ୭୭,୦୯୪ ଜଣ ଟିକା ନେଇଛନ୍ତି । ତାହା ମଧ୍ୟରୁ ୩୯୩ ସ୍ବାସ୍ଥ୍ୟ କର୍ମୀ ପ୍ରଥମ ଡୋଜ୍‌ ଟିକା ନେଇଥିଲା ବେଳେ ୫୬୯୮ ଜଣ ଦ୍ବିତୀୟ ଡୋଜ୍‌ ଟିକା ନେଇଛନ୍ତି । ୯୪୧ ଜଣ ଆଗଧାଡ଼ିର କରୋନା ଯୋଦ୍ଧା ପ୍ରଥମ ଡୋଜ୍‌ ଓ ୨୦୭୫୩ ଜଣ ଦ୍ବିତୀୟ ଡୋଜ୍‌ ଟିକା ନେଇଛନ୍ତି । ରାଜ୍ୟରେ ବରିଷ୍ଠ ନାଗରିକ ଟିକାକରଣ ଅଭିଯାନରେ ଆଜି ଦ୍ବାଦଶ ଦିନରେ ୪୭,୧୭୯ ଜଣଙ୍କୁ ଟିକା ଦିଆଯାଇଛି । ଆଜି ସୁଦ୍ଧା ମୋଟ୍‌ ୩,୦୦,୫୮୯ ଜଣ ବରିଷ୍ଠ ନାଗରିକ ଟିକା ନେଇସାରିଲେଣି । ଏହା ବାଦ୍ ଜଟିଳ ରୋଗ ବା କୋ-ମର୍ବିଡ୍‌ ଥିବା ୪୫ ବର୍ଷରୁ ଅଧିକ ବୟସର ୨୯୪୦ ଜଣ ଆଜି ଟିକା ନେଇଛନ୍ତି । ରାଜ୍ୟରେ ମୋଟ୍‌ ୧୦,୯୪,୯୫୨ ଡୋଜ୍ ଟିକା ଦିଆସରିଛି ।