ଭାରତରେ ତିଆରୀ ହେବ ଜନସନ ଆଣ୍ଡ ଜନସନର କୋଭିଡ ଟିକା : କ୍ୱାଡ ରାଷ୍ଟ୍ର ସମୂହ ବୈଠକରେ ନିଷ୍ପତି; ଅର୍ଥ ଯୋଗାଇ ଦେବେ ଆମେରିକା ଆଉ ଜାପାନ

 ବିଭିନ୍ନ ଦେଶକୁ ପରିବହନର ଦାୟିତ୍ୱ ନେବ ଅଷ୍ଟ୍ରେଲିଆ

128

କନକ ବ୍ୟୁରୋ : ଆମେରିକାର ଜନ୍ସନ ଆଣ୍ଡ୍ ଜନ୍ସନ କମ୍ପାନିର ସିଙ୍ଗଲ ଡୋଜ୍ କୋଭିଡ ଟିକା ଭାରତରେ ତିଆରି ହେବ । କ୍ୱାଡ୍ ରାଷ୍ଟ୍ର ସମୂହର ଟିକା ବିକାଶ ଯୋଜନାରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଏବଂ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆର ମିଳିତ ସହାଭାଗିତାରେ ଏହି ଟିକା ତିଆରି କରାଯିବ । ଭାରତରେ ଏହି ଟିକା ପ୍ରସ୍ତୁତ କରିବା ପାଇଁ ଜାପାନ ଏବଂ ଆମେରିକା ଅର୍ଥ ଯୋଗାଣ କରିବେ ଏବଂ ଅଷ୍ଟ୍ରେଲିଆ ବିଭିନ୍ନ ରାଷ୍ଟ୍ରକୁ ଏହି ଟିକା ପହଂଚାଇବା ପାଇଁ ପରିବହନ ଦାୟିତ୍ୱ ଗ୍ରହଣ କରିବ ।

ବିଶ୍ୱର ସବୁଠାରୁ ବଡ ଟିକା ନିର୍ମାତା ରାଷ୍ଟ୍ର ଭାରତରେ ଏବେ ଅକ୍ସଫୋର୍ଡ ଆଷ୍ଟ୍ରାଜେନେକାର କୋଭିଡ ଟିକା କୋଭିସିଲ୍ଡ ଏବଂ ଭାରତ ବାୟୋଟେକ- ଆଇସିଏମ୍ଆର୍ର ସ୍ୱଦେଶୀ ଟିକା କୋଭାକ୍ସିନର ଉତ୍ପାଦନ ହେଉଛି । ଭାରତ ଏହି ଦୁଇ ଟିକାକୁ ଦେଶରେ ଜରୁରୀ ବ୍ୟବହାର ପାଇଁ ଅନୁମୋଦନ କରିବା ସହ ବିଶ୍ୱର ବିଭିନ୍ନ ରାଷ୍ଟ୍ରକୁ ଟିକା ଯୋଗାଇ ଦେଉଛି ।

ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ଆଜିର କ୍ବାଡ୍ ବୈଠକରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଡେ ସୁଗା, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ୍ ମରିସନ ଯୋଗଦେଇଥିଲେ । ରାଷ୍ଟ୍ରପତିଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଏହା ହେଉଛି ବାଇଡେନଙ୍କ ଦ୍ବିତୀୟ ଉଚ୍ଚସ୍ତରୀୟ ବହୁରାଷ୍ଟ୍ରୀୟ ସମ୍ମିଳନୀ । ପୂର୍ବରୁ ସେ ଜି-୭ ସମ୍ମିଳନୀରେ ଯୋଗଦେଇଥିଲେ ।

ବିଶ୍ବରେ ବଢିଚାଲିଥିବା ଚୀନର ଆଧିପତ୍ୟକୁ ରୋକିବାକୁ ଏହି କ୍ବାଡ୍ ରଣନୈତିକ ମେଣ୍ଟ ଗଠନ କରାଯାଇଛି । ଗତ ୨୦୧୭ରେ ଏହି ମେଣ୍ଟର ପରିକଳ୍ପନା କରାଯାଇଥିଲା । ଏହି ମେଣ୍ଟର ବଢିଚାଲିଥିବା ପ୍ରଭାବ ଚୀନକୁ ଚିନ୍ତାରେ ପକାଇଦେଇଛି ।