ଭୁବନେଶ୍ୱରରେ ୬ କୋଟିରୁ ଅଧିକ ଟଙ୍କାର ଜିଏସଟି ଠକେଇ ଅଭିଯୋଗ : ଲୁଇସ୍ ରୋଡ ସ୍ଥିତ ଡିଡି ବିଲ୍ଡର୍ସ କାର୍ଯ୍ୟାଳୟ ସମେତ ୫ଟି ସ୍ଥାନରେ ଚଢ଼ାଉ

ମିଛ ଡିଲରଙ୍କ ନାଁରେ ବିଲ୍ କରି ଜିଏସଟି ଫାଙ୍କୁଥିଲେ ବିଲ୍ଡର୍ସ ସଂସ୍ଥାର ମାଲିକ

101

କନକ ବ୍ୟୁରୋ : ୬ କୋଟିରୁ ଅଧିକ ଟଙ୍କାର ଜିଏସଟି ଠକେଇ ଅଭିଯୋଗ । ଭୁବନେଶ୍ୱର ଲୁଇସ୍ ରୋଡ ସ୍ଥିତି ଡିଡି ବିଲ୍ଡର୍ସ  କାର୍ଯ୍ୟାଳୟ ସମେତ ୫ଟି ସ୍ଥାନରେ ଚଢ଼ାଉ କରାଯାଇଛି । ବର୍ତମାନ ସୁଦ୍ଧା ୬ କୋଟିରୁ ଅଧିକ ଟଙ୍କାର ଠକେଇର ପ୍ରମାଣ ମିଳିଛି । ତେବେ ଠକେଇ ପରିମାଣ ଆହୁରି ବଢ଼ିବା ଅନୁମାନ କରାଯାଉଛି ।

ମିଛ ଡିଲରଙ୍କ ନାଁରେ ବିଲ୍ କରି ଜିଏସଟି ଫାଙ୍କୁଥିଲେ ଏହି ବିଲ୍ଡର ସଂସ୍ଥାର ମାଲିକ । ଜାଲ ଡକ୍ୟୁମେଂଟରେ ଏହି ଠକେଇ କରାଯାଇଥିବା ଅଭିଯୋଗ ହୋଇଥିଲା । ଆସିଷ୍ଟାଂଟ ଜିଏସଟି କମିସନର ମନ୍ମଥ ପ୍ରଧାନ ନେତୃତ୍ୱରେ ଏକ ଟିମ୍ ଭୁବନେଶ୍ୱରରେ ରେଡ୍ କରିଛନ୍ତି । ଢ଼େଙ୍କାନାଳ, ଭବାନୀପାଟଣା, ରାଉରକେଲାରେ ମଧ୍ୟ ଡିଡି ବିଲ୍ଡର୍ସ କାର୍ଯ୍ୟାଳୟ ଉପରେ ରେଡ୍ କରୁଛି ଜିଏସଟି ଟିମ୍ ।

ମିଳିଥିବା ସୂଚନା ଅନୁସାରେ, ଡି.ଡି. ବିଲ୍ଡର ରାଜ୍ୟ ସରକାରଙ୍କର ବିଭିନ୍ନ ଜଳସେଚନ ପ୍ରକଳ୍ପ କାମ କରେ। ବିଭିନ୍ନ କାମ ବାବଦରେ ବିଲ୍ କରିବା ସମୟରେ ସରକାରଙ୍କଠାରୁ ଜିଏସ୍‌ଟି ବାବଦରେ କୋଟି କୋଟି ଟଙ୍କା ଅର୍ଥ ଆଣିଥିଲା । ଏହି ଅର୍ଥକୁ ଜିଏସଟି ବିଭାଗରେ ଦାଖଲ କରିବା କଥା । କିନ୍ତୁ ଜିଏସଟି ଅର୍ଥ ଦାଖଲ ହୋଇ ନ ଥିବା ଜଣାପଡିବା ପରେ ବିଭାଗ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଥିଲା । କନଷ୍ଟ୍ରକସନ୍ କାମ ଲାଗି ସିମେଣ୍ଟ, ରଡ୍ କିଣା ଯାଇଥିବା ଫାର୍ମକୁ ଜିଏସ୍‌ଟି ଦିଆ ଯାଇଥିଲା ବୋଲି ଚଢ଼ଉ ସମୟରେ ଡି.ଡି. ବିଲ୍ଡର୍ସର ଜଣେ ଅଧିକାରୀ ଜିଏସଟି ବିଭାଗକୁ ସୂଚନା ଦେଇଥିଲେ । ମାତ୍ର ସେହି ସୂଚନାକୁ ଯାଞ୍ଚ କରାଯିବା ସମୟରେ ସେସବୁ ଜାଲ୍ ବିଲ୍ ବୋଲି ଜଣା ପଡ଼ିଥିଲା ।

ରାଉରକେଲାର ଏକ ଫାର୍ମରୁ ସିମେଣ୍ଟ, ରଡ୍ କିଣା ଯାଇଥିବା ବିଲ୍‌ରେ ଉଲ୍ଲେଖ ରହିଛି । ମାତ୍ର ସେହି ବିଲ୍‌ରେ ଥିବା ଠିକଣାକୁ ଆଧାର କରି ଜିଏସଟି ଟିମ୍ ଯେତେବେଳେ ରାଉରକେଲାରେ ପହଞ୍ଚିଥିଲା ସେଠାରେ ସେମିତି କୌଣସି ଫାର୍ମ ନ ଥିବା ଜଣାପଡ଼ିଥିଲା । ଏହି ଭଳି ଭାବେ ଜାଲ୍ ବିଲ୍ ତିଆରି କରାଯାଇ କୋଟିକୋଟି ଟଙ୍କାର ଜିଏସ୍‌ଟି ଠକେଇ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଚଢ଼ଉ ଜାରି ରହିଥିବାରୁ ଠକେଇ ପରିମାଣ ଆହୁରି ବଢିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।