ଯାଜପୁର କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସାଂଘାତିକ ଅନିୟମିତତା : ଜାଳି ଦେଲେ ଶହ ଶହ କରୋନା ଟେଷ୍ଟ କିଟ୍

ପରୀକ୍ଷା ନକରି ସାର୍ଟିଫିକେଟ୍ ଦିଆଯାଉଥିବା ଅଭିଯୋଗ

149

କନକ ବ୍ୟୁରୋ : ଯାଜପୁର ଜିଲ୍ଲା କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସାଙ୍ଘାତିକ ଅନିୟମିତତା ଦେଖିବାକୁ ମିଳିଛି । ଏହି ଡାକ୍ତରଖାନାକୁ ଆସିଥିବା ଶହ ଶହ କରୋନା ଟେଷ୍ଟ କିଟକୁ ବ୍ୟବହାର ନ କରି ପୋଡିଦିଆଯାଇଛି । ମାସ ମାସ ଧରି ଏଠାରେ ଏଭଳି କାରନାମା ଚାଲିଥିବା ଅଭିଯୋଗ ହୋଇଛି । ପରୀକ୍ଷା ନ କରି ସାର୍ଟିଫିକେଟ ଦିଆଯାଉଥିବା ଅଭିଯୋଗ ଆସୁଛି ।

ସୂଚନା ଅନୁସାରେ, ସୋମବାର ଅପରାହ୍ନରେ କୋରେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପଛରେ କରୋନା କିଟ୍ ପୋଡ଼ା ଯାଉଥିବା ଖବର ମିଳିଥିଲା । ଘଟଣାସ୍ଥଳରେ ଉପସ୍ଥିତ ଡାକ୍ତରଖାନା କର୍ମଚାରୀଙ୍କୁ ପଚରାଉଚରା କରିଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇନଥିଲେ । ଏପରିକି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ମଧ୍ୟ କୌଣସି ପ୍ରତିକ୍ରିୟା ନଦେଇ କାର୍ଯ୍ୟାଳୟରେ ତାଲା ବନ୍ଦକରି ଭିତରେ ବସି ରହିଥିଲେ । ଏହାକୁ ନେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, କୋରେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କରୋନା ପରୀକ୍ଷା ହେଉନଥିବା କହି ଡାକ୍ତରଖାନା କର୍ତ୍ତୃପକ୍ଷ କିଛିଦିନ ହେଲା ଲୋକଙ୍କୁ ଫେରାଇ ଦେଉଥିଲେ । ପରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ହସ୍ତକ୍ଷେପ ପରେ ଏଠାରେ କରୋନା ପରୀକ୍ଷା ପାଇଁ ତାରିଖ ପ୍ରକାଶ ପାଇଥିଲା । ଏହାପରେ ରାତିଅଧରୁ ଲୋକମାନେ ଡାକ୍ତରଖାନା ପରିସରରେ ଧାଡ଼ିରେ ବସି ରହୁଥିଲେ । ହେଲେ ମାତ୍ର କେଇଘଣ୍ଟା ମଧ୍ୟରେ ଟେଷ୍ଟ କିଟ୍ ସରିଯାଉଥିବା କହି ଡାକ୍ତରଖାନା କର୍ତ୍ତୃପକ୍ଷ ଲୋକଙ୍କୁ ଫେରାଇ ଦେଉଥିଲେ । ଅନ୍ୟପକ୍ଷରେ କିଛିଦିନ ହେଲା ବିନା ପରୀକ୍ଷାରେ ଲୋକମାନଙ୍କୁ ପରୀକ୍ଷାର ପ୍ରମାଣପତ୍ର ଦିଆଯାଉଥିବା ଅଭିଯୋଗ ହୋଇଛି । ଏପରି ସ୍ଥିତିରେ ବଳି ପଡ଼ୁଥିବା କିଟ୍‌କୁ ଲୋକଙ୍କ ଦୃଷ୍ଟି ଆଢ଼ୁଆଳରେ ପୋଡ଼ି ପାଉଁଶ କରିଦିଆଯାଉଛି ।

ଏସମ୍ପର୍କରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ମତାମତ ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା । ଅନ୍ୟପକ୍ଷରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବିରଞ୍ଚି ନାରାୟଣ ବାରିକଙ୍କୁ ପଚାରିବାରୁ, ଏହା ଏକ ଜଘନ୍ୟ ଘଟଣା । ଅଭିଯୋଗ ସତ ହୋଇଥିଲେ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।