ଶୀଘ୍ର ଘୋଷଣା ହେବ ପିସିସିର ନୂଆ ଟିମ୍ ! ବଦଳିବେ ପ୍ରସାଦ, ଆସିପାରନ୍ତି ନିରଂଜନ

30

କନକ ବ୍ୟୁରୋ : କେନ୍ଦ୍ରୀୟ ପର୍ଯ୍ୟବେକ୍ଷଙ୍କ ପରାମର୍ଶ ଅନୁସାରେ ହେବ ଓଡ଼ିଶା କଂଗ୍ରେସ୍ ଟିମର ପରିବର୍ତ୍ତନ । ଓଡ଼ିଶାର ତୁଙ୍ଗ ନେତାଙ୍କ ସହ ଆଲୋଚନା ପରେ ଏଭଳି ଏକ ଇସାରା କରିଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ । ୨୦୧୯ ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶା କଂଗ୍ରେସରେ ହେବ ବଡଧରଣ ପରିବର୍ତ୍ତନ । ଓଡ଼ିଶାର ସବୁ ଜୋନକୁ ଧ୍ୟାନରେ ରଖି ଦଳୀୟ ନେତାଙ୍କୁ ଦିଆଯିବ ସଂଗଠନର ଦାୟିତ୍ୱ । ଆଉ କୁହାଯାଉଛି ରାଜ୍ୟ କଂଗ୍ରେସର ମଙ୍ଗ ଧରିବାକୁ ଯାଉଛନ୍ତି, ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ।

ଜଗତସିଂହପୁର ବିଧାୟକ, ଚିରଞ୍ଜୀବୀ ବିଶ୍ୱାଳ, କାର୍ଯ୍ୟକାରୀ ସଭାପତି ହେବା ରହିଛି ସଂଭାବନା । ଝାରସୁଗୁଡ଼ା ବିଧାୟକ ନବ ଦାସଙ୍କୁ କରାଯାଇପାରେ କାର୍ଯ୍ୟକାରୀ ସଭାପତି । ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କୁ ମଧ୍ୟ ମିଳିପାରେ କାର୍ଯ୍ୟକାରୀ ସଭାପତି ପଦ । ଆଉ ପ୍ରଚାର କମିଟି ଅଧ୍ୟକ୍ଷ ହୋଇପାରନ୍ତି, କଳାହାଣ୍ଡିର ପୂର୍ବତନ ସାଂସଦ ଭକ୍ତ ଚରଣ ଦାସ ।

ଏସବୁ ଚର୍ଚ୍ଚା ଭିତରେ ଖୁବ୍ ଶୀଘ୍ର ଦିଲ୍ଲୀ ଦରବାରରୁ ଆସିବ ରାୟ । ହାଇକମାଣ୍ଡ ଘୋଷଣା କରିବେ କଂଗ୍ରେସର ଟିମ୍ ଓଡ଼ିଶା । ଚର୍ଚ୍ଚା ହେଉଛି ଦିନେ ଦୁଇ ଭିତରେ ପ୍ରକାଶ ପାଇବ ପିସିସିର ଚୁଡାନ୍ତ ରୂପ ରେଖ । ଦିଲ୍ଲୀରୁ ଡାକରା ପାଇ ଆଜି ରାହୁଲ ଗାନ୍ଧୀଙ୍କ ବାସଭବନରେ ପହଂଚିଥିଲେ ଓଡ଼ିଶା କଂଗ୍ରେସର ପ୍ରାୟ ୩୫ ଜଣ ତୁଙ୍ଗ ନେତା । ସମସ୍ତଙ୍କ ସହ ଏକାଠି ଆଲୋଚନା ପରେ ଆରମ୍ଭ ହୋଇଗଲା ୱାନ୍ ଟୁ ୱାନ ସାକ୍ଷାତ । ଆଉ ଏହି ତାଲିକାର ପ୍ରଥମ ସାକ୍ଷତ କରିଥିଲେ ନିରଂଜନ ପଟ୍ଟନାୟକ । ଏହା ପରେ ଭକ୍ତ ଦାସ, ଚିରଞ୍ଜୀବୀ ବିଶ୍ୱାଳ, ପ୍ରଦୀପ ମାଝୀ ଏବଂ ନବ ଦାସଙ୍କୁ ଅଲଗା ଅଲଗା ଡାକି ଆଲୋଚନା କରିଥିଲେ । ଆଗକୁ ୨୦୧୯ ନିର୍ବାଚନ ଆଉ ଏହାରି ଭିତରେ ଦଳୀୟ ରୂପରେଖରେ ପରିବର୍ତ୍ତନର ସ୍ୱର । ଆଉ ଏସବୁକୁ ଦୃ୍ଷ୍ଟିରେ ରଖି ହାଇକମାଣ୍ଡ କହିଥିଲେ ।

କ’ଣ କହିଲେ ରାହୁଲ ଗାନ୍ଧୀ ?
-ପର୍ଯ୍ୟବେକ୍ଷକଙ୍କ ପରାମର୍ଶକୁ ସମ୍ମାନ ଦିଆଯିବ
-ଆଜିଠୁ କଂଗ୍ରେସରେ ନୂଆ ଅଧ୍ୟାୟର ଆରମ୍ଭ
-ଏକାଠି ଲଢ଼ିଲେ କଂଗ୍ରେସ ନିର୍ବାଚନ ଜିତିବ
-ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ
-ଓଡ଼ିଶାବାସୀ ସାମୂହିକ ନିଷ୍ପତ୍ତିକୁ ସ୍ୱାଗତ କରନ୍ତି

ପୁରୁଣା ଫର୍ମୁଲାକୁ ସଫଳତାର ସୂତ୍ର ଭାବରେ ଆପଣାଇ ପାରେ କଂଗ୍ରେସ । ଯେଉଁଥିପାଇଁ ଚର୍ଚ୍ଚା ହେଉଛି-ପଶ୍ଚିମାଚଂଳ ପାଇଁ ନବ ଦାସ, ଉପକୂଳ ଓଡ଼ିଶା ପାଇଁ ଚିରଞ୍ଜୀବୀ ବିଶ୍ୱାଳ ଏବଂ ଦକ୍ଷିଣ ଓଡ଼ିଶା ପାଇଁ ପ୍ରଦୀପ ମାଝୀଙ୍କୁ କାର୍ଯ୍ୟକାରୀ ସଭାପତି ଗାଦିରେ ବସାଇ, ତିନି ସୂତ୍ରି ଫମୂର୍ଲା ବାହାର କରୁଛନ୍ତି କଂଗ୍ରେସ ହାଇକମାଣ୍ଡ ।