ଛାତ୍ରସଂସଦ ନିର୍ବାଚନ ପାଇଁ କାଉଂଟଡାଉନ୍ ଆରମ୍ଭ ! ଜୋର ଧରିଲାଣି ପ୍ରଚାର, ଚାଲିଛି ପୋଷ୍ଟର ଯୁଦ୍ଧ

29

କନକ ବ୍ୟୁରୋ : ଆରମ୍ଭ ହେଲାଣ କାଉଂଟଡାଉନ୍ । ଜୋର ଧରିଲାଣି ପ୍ରଚାର । ଛାତ୍ର ସଂସଦ ନିର୍ବାଚନ ପାଇଁ କ୍ୟାମ୍ପସ୍ ହେଲାଣି ସଗରଗମ । ସବୁ ରାଜନୈତିକ ଦଳର ଫୋକସରେ ଥିବା ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ଅଂଟା ଭିଡିଲେଣି ବିଭିନ୍ନ ସଂଗଠନ । ଏଥର ବାଣୀବିହାରରେ ହେବ ତ୍ରିମୁଖୀ ଲଢେଇ ।

ଏହାରି ଭିତରେ ବିଜୁ ଛାତ୍ର ଜନତା ଦଳ, ଏବିଭିବି ଓ ଛାତ୍ର କଂଗ୍ରେସ୍ ପକ୍ଷରୁ ପ୍ରାର୍ଥୀ ଘୋଷଣା ମଧ୍ୟ ସରିଛି । କିନ୍ତୁ ଚଳିତ ବର୍ଷ ପ୍ରଥମ ଥର ପାଇଁ କ୍ୟାମ୍ପସରେ ହେଉଛି ପୋଷ୍ଟର ଯୁଦ୍ଧ । ବାଣୀବିହାର ଗେଟ ପାଖରୁ ଭିତର ପର୍ଯ୍ୟନ୍ତ ପୋଷ୍ଟର ଓ ବ୍ୟାନରରେ ଛାଉଣି ହୋଇଗଲାଣି । କିନ୍ତୁ ଟିକେ ପଛରେ ପଡିଯାଇଛି ଛାତ୍ର କଂଗ୍ରେସ । ଆଉ ନିଜ ଗଡ ଅକ୍ତିଆର ପାଇଁ ଛାତ୍ରନେତାମାନେ ମଧ୍ୟ କସରତ ଆରମ୍ଭ କଲେଣି ।

ଆଶାୟୀ ପ୍ରାର୍ଥୀମାନେ ମଧ୍ୟ ପିଲାଙ୍କୁ ମନେଇବା ପାଇଁ ଜୋରଦାର କ୍ୟାମ୍ପନିଂ ଆରମ୍ଭ କଲେଣି । କିଏ ଡୋର ଟୁ ଡୋର ତ ଆଉ କିଏ ସିଧାସଳଖ ପିଲାଙ୍କୁ ଭେଟି ମନେଇବା ପାଇଁ ଚେଷ୍ଟା କରୁଛନ୍ତି । ଆଉ କିଏ ସୋସିଆଲ ମିଡିଆରେ ଫେସବୁକ ଓ ଓାଟସର୍ପ ଗ୍ରୁପ ମାଧ୍ୟମରେ କ୍ୟାମ୍ପନିଂ କରୁଛନ୍ତି । ତାହା ସହିତ ବାଣିବିହାରର ପ୍ରମୁଖ ସମସ୍ୟାର ଓ ବିକାଶର ମୁଦ୍ଧାକୁ ନେଇ ନିର୍ବାଚନକୁ ଓହ୍ଲାଇଛନ୍ତି ଛାତ୍ର ନେତା ।

ବାଣୀବିହାର ଛାତ୍ର ସଂସଦ ନିର୍ବାଚନ ଉପରେ ସମସ୍ତଙ୍କର ରହିଛି ନଜର । ପୂର୍ବବର୍ଷ ବିସିଜେଡି ଏଠି ପତିଆରା ବିସ୍ତାର କରିଥିଲା । କିନ୍ତୁ ଚଳିତ ବର୍ଷ ଜୋରଦାର ଲଢେଇ ହେବ ବୋଲି ଚର୍ଚ୍ଚା ହେଉଛି ।