ବିଜେପି ବିରୋଧରେ କଂଗ୍ରେସର ସାଂଘାତିକ ଅଭିଯୋଗ । ଲୋକସଭା ଆସନ ସଂଖ୍ୟା ୧୦୦୦ କରିବାକୁ ସରକାର କରିଛନ୍ତି ଷଡଯନ୍ତ୍ର

282

କନକ ବ୍ୟୁରୋ : ସଂସଦ ପାଇଁ ନିର୍ମାଣ ହେଉଥିବା ସେଣ୍ଟ୍ରାଲଭିଷ୍ଟା ପ୍ରୋଜେକ୍ଟରେ ଲୋକସଭା ସାଂସଦଙ୍କ ପାଇଁ ରହିଛି ୧ ହଜାର ଆସନ । ଏହାକୁ ନେଇ କଂଗ୍ରେସ ବିଜେପି ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆଣିଛି । କଂଗ୍ରେସର ବରିଷ୍ଠ ନେତା ମନୀଷ ତିୱାରୀ ଦାବି କରିଛନ୍ତି କି ବିଜେପି ସରକାର ଲୋକସଭାରେ ସଭ୍ୟସଂଖ୍ୟା ବୃଦ୍ଧି କରିବାକୁ ନେଇ ଏକ ପ୍ରସ୍ତାବ ଆଣିବାକୁ ଯାଉଛି । ଏହାସହ ସେ ଆହୁରି ଦାବି କରିଛନ୍ତି କି ସଭ୍ୟସଂଖ୍ୟା ବୃଦ୍ଧି ପ୍ରସ୍ତାବ ଆଣିବା ପୂର୍ବରୁ ସରକାର ସଂସଦରେ ଏକ ନୂଆ ଚେମ୍ବର ନିର୍ମାଣ କରୁଛନ୍ତି । ଏହାକୁ ନେଇ ତିୱାରୀ କହିଛନ୍ତି କି ଯଦି ଏଭଳି ପ୍ରସ୍ତାବ ସରକାର ଆଣିବାକୁ ଯାଉଛନ୍ତି ତେବେ ତହା ପୂର୍ବରୁ ଲୋକଙ୍କ ମତ ନେବାର ଆବଶ୍ୟକତା ରହିଛି ।

ମନିଷ ତିୱାରୀ ତାଙ୍କ ଟ୍ୱିଟରରେ ଲେଖିଛନ୍ତି କି “ମୋତେ ବିଜେପି ସଂସଦୀୟ ସହଯୋଗୀଙ୍କ ଦ୍ୱାରା ଗୁପ୍ତ ସୂଚନା ମିଳିଛି କି ସରକାର ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଲୋକସଭାର ସଦସ୍ୟ ସଂଖ୍ୟା ୧ ହଜାର କିମ୍ବା ତା ଠାରୁ ଅଧିକ କରିବା ଭଳି ପ୍ରସ୍ତାବ ରହିଛି ” । ଅନ୍ୟପଟେ ମନିଷ ତାଙ୍କ ଦାବିକୁ ପ୍ରମାଣ କରିବାକୁ ଯାଇ ନୂଆ ସଂସଦ ଭବନ ନିର୍ମାଣରେ ଲୋକସଭା ସାଂସଦଙ୍କ ପାଇଁ ୧ ହଜାର ଆସନ ନିର୍ମାଣ କରାଯାଉଥିବା କଥା କହିଛନ୍ତି । ସେ କହିଛନ୍ତି କି, ଏଭଳି କରିବା ପୂର୍ବରୁ ସରକାର ସାଧାରଣରେ ପରାମର୍ଶ ନେବା ଉଚିତ ।

ମନିଷ ତିୱାରୀଙ୍କ ଟ୍ୱିଟକୁ ସମର୍ଥନ କରି କାର୍ତ୍ତୀ ଚିତାମ୍ବରମ ବି ଏକ ଟ୍ୱିଟ୍ କରିଛନ୍ତି । ସେ ବି କହିଛନ୍ତି କି ସରକାର ଏଭଳି କରିବା ପୂର୍ବରୁ ଦେଶବାସୀ ଓ ସବୁ ରାଜନୈତିକ ଦଳର ପରାମର୍ଶ ନେବା ଉଚିତ୍ । ସେ କହିଛନ୍ତି କି ଏତେ ବଡ ଜନସଂଖ୍ୟା ରାଷ୍ଟ୍ରରେ ଲୋକପ୍ରତିନିଧିଙ୍କ ସଂଖ୍ୟା ବୃଦ୍ଧି କରିବାର ଆବଶ୍ୟକତା ରହିଛି କିନ୍ତୁ ଏହା ଯଦି ଜନସଂଖ୍ୟା ଆଧାରରେ କରାଯାଏ ତେବେ ଦକ୍ଷିଣ ଭାରତରେ ଲୋକପ୍ରତିନିଧିଙ୍କ ସଂଖ୍ୟା କମିବାର ଆଶଂକା ରହିଛି । ଯାହାକି ଗ୍ରହଣଯୋଗ୍ୟ ନୁହେଁ ବୋଲି ସେ କହିଛନ୍ତି ।

 

କହିରଖୁ କି, ସମ୍ବିଧାନ ମୁତାବକ ଲୋକସଭାରେ ସର୍ବାଧିକ ୫୫୨ ସଦସ୍ୟ ହୋଇପାରିବେ । ଏହାମଧ୍ୟରୁ ରାଜ୍ୟମାନଙ୍କରୁ ୫୩୦ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ୨୦ ଜଣ ସଦସ୍ୟ ରହିପାରିବେ । ଅନ୍ୟପଟେ ୨ ଜଣ ଆଙ୍ଗଲୋଇଣ୍ଡିଆନଙ୍କୁ ରାଷ୍ଟ୍ରପତି ଚୟନ କରି ଲୋକସଭାକୁ ନିର୍ବାଚିତ କରିପାରିବେ । ୧୯୭୭ ମସିହାରେ ଶେଷଥର ପାଇଁ ଲୋକସଭାରେ ଆସନ ସଂଖ୍ୟା ବୃଦ୍ଧି କରାଯାଇଥିଲା । ସେପଟେ ପ୍ରଣବ ମୁଖାର୍ଜୀ ରାଷ୍ଟ୍ରପତି ଥିବା ବେଳେ ଲୋକସଭାରେ ଆସନ ସଂଖ୍ୟା ୧ ହଜାରକୁ ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ ।