ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତି ଉନ୍ମୋଚନ କାର୍ଯ୍ୟକ୍ରମ ବାତିଲ : ସଟଡାଉନ୍ ଯୋଗୁଁ ଅନୁମତି ଦେଲେ ନାହିଁ ଏସପି; ଫେରିଗଲେ ୪ ମନ୍ତ୍ରୀ ଓ ୮ରୁ ଅଧିକ ବିଧାୟକ

473

କନକ ବ୍ୟୁରୋ : ମନ୍ତ୍ରୀଙ୍କୁ ପୁରାଇ ଦେଲାନି ପ୍ରଶାସନ । ସଟଡାଉନରେ କାର୍ଯ୍ୟକ୍ରମ ପାଇଁ ଅନୁମତି ଦେଲେନି ଏସପି । ବାଧ୍ୟହୋଇ ଫେରିଗଲେ ୪ ମନ୍ତ୍ରୀ ଓ ୮ରୁ ଅଧିକ ବିଧାୟକ । ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ଶ୍ରାଦ୍ଧବାର୍ଷିକୀରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ୪ଟି ପ୍ରତିମୂର୍ତି ଉନ୍ମୋଚନ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଥିଲା । ଏଥିରେ ୪ ଜଣ କ୍ୟାବିନେଟ ସ୍ତରୀୟ ମନ୍ତ୍ରୀ ଏବଂ ୮ରୁ ଅଧିକ ବିଧାୟକ ଯୋଗଦେବାର କାର୍ଯ୍ୟକ୍ରମ ଥିଲା । ହେଲେ ଶେଷ ମୁହୂର୍ତ୍ତରେ କାର୍ଯ୍ୟକ୍ରମକୁ ବାତିଲ କରିଦେଲେ ଏସପି ଅଖିଳେଶ୍ୱର ସିଂହ ।

ଗତକାଲି ରବିବାର ଥିବାରୁ ସପ୍ତାହାନ୍ତ ସଟଡାଉନରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପୁଲିସ ଅନୁମତି ନଦେବାରୁ ଅଧା ରାସ୍ତାରୁ ଫେରିଥିଲେ ମନ୍ତ୍ରୀ ଓ ବିଧାୟକ । ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ତିର୍ତ୍ତୋଲ ସମେତ ରଘୁନାଥପୁର ଓ ବିରିଡିରେ ସ୍ୱର୍ଗତ ଦାସଙ୍କ ପ୍ରତିମୂର୍ତି ଉନ୍ମୋଚନ କରାଯିବ ବୋଲି କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ବିରିଡିର କଇଜଙ୍ଗା ଓ ଦଳୀୟ କାର୍ଯ୍ୟାଳୟରେ ପ୍ରତିମୂର୍ତି ଉନ୍ମୋଚନ କରାଯାଇଥାନ୍ତା । ମନ୍ତ୍ରୀ ପ୍ରତାପ ଜେନା, ବିକ୍ରମ କେଶରୀ ଆରୁଖ, ସମୀର ଦାଶ, ରଘୁନନ୍ଦନ ଦାସଙ୍କ ସହ ସାଂସଦ ରାଜଶ୍ରୀ ମଲ୍ଲିକ, ବିଧାୟକ ପ୍ରଶାନ୍ତ ମୁଦୁଲି ସମ୍ବିତ ରାଉତରାୟଙ୍କ ସହ ଏକାଧିକ ବିଧାୟକ ଓ ନେତା ଯୋଗ ଦେବେବୋଲି ଦଳ ପକ୍ଷରୁ ପୋଷ୍ଟର, ବ୍ୟାନର ଲଗାଯାଇଥିଲା ।

ହେଲେ ଗତକାଲି ସକାଳୁ ଏହି କାର୍ଯ୍ୟକ୍ରମ ବାତିଲ କରିବା ପାଇଁ ସମସ୍ତ ଥାନାକୁ ନିର୍ଦ୍ଦେଶ ଦିଆଗଲା । ଏହି ଖବର ଅତିଥୀମାନଙ୍କ ପାଖରେ ପହଂଚିବା ପରେ ସେମାନେ ଫେରିଯିବାକୁ ବାଧ୍ୟ ହୋଇଥିଲେ । ଆଉ ଯେଉଁ ନେତାମାନେ ଜଗତସିଂହପୁରରେ ପହଂଚି ଯାଇଥିଲେ ସେମାନେ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଘରକୁ ଚାଲିଯାଇଥିଲେ ବୋଲି ଜଣାପଡିଛି ।