ମହଙ୍ଗା ମାଡ଼ରୁ ନିସ୍ତାର ନାହିଁ: ତେଲ ଦରରେ ଲାଗୁନି ବ୍ରେକ୍, ୧୦ ଦିନରେ ୭ ଟଙ୍କା ବୃଦ୍ଧି । ଗ୍ୟାସ ସିଲିଣ୍ଡରକୁ ପୂଜା କରି କଂଗ୍ରେସର ଅଭିନବ ପ୍ରତିବାଦ

82

କନକ ବ୍ୟୁରୋ: ନିର୍ବାଚନ ସରିବାକୁ ଯେମିତି ସରକାର ଅପେକ୍ଷା କରିଥିଲେ । ୫ ରାଜ୍ୟର ଭୋଟ୍ ଆଗରୁ ବିଶ୍ୱାସ ଜିତିବାକୁ ଦର କମ୍ କଲେ, ଆଉ ସରକାର ଗଠନ ପରେ ଲଗାତର ଭାବେ ଦର ବଢାଇ ଚାଲିଲେ । ଅବକାରୀ ଶୁଳ୍କ ବାବଦକୁ ପେଟ୍ରୋଲ ଉପରେ ୫ ଟଙ୍କା କମାଇଥିଲେ, ହେଲେ ଏବେ ୭ ଟଙ୍କା ବଢାଇ ସାରିଲେଣି ।

ଗୁରୁବାର ପେଟ୍ରୋଲ ଲିଟର ପିଛା ୮୬ ପଇସା ଓ ଡିଜେଲ ଲିଟର ପ୍ରତି ୮୫ ପଇସା ବଢିଛି । ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟରକୁ ୧୦୮ ଟଙ୍କା ୬୫ ପଇସା ଓ ଡିଜେଲ ଲିଟର ୯୮ ଟଙ୍କା ୪୨ ପଇସାରେ ପହଂଚିଛି । ଗତ ୧୦ ଦିନରେ ପେଟ୍ରୋଲ ୫ ଟଙ୍କା ୯୯ ପଇସା ଓ ଡିଜେଲ ୫ ଟଙ୍କା ୯୪ ପଇସା ବଢିଛି । ଦର ବୃଦ୍ଧିକୁ ନେଇ କଂଗ୍ରେସ ପକ୍ଷରୁ କରାଯାଇଛି ପ୍ରତିବାଦ । ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ହୋଇଥିବା ପ୍ରତିବାଦରେ ସିଲିଣ୍ଡରକୁ ପୁଜା କରି ଅଭିନବ ଭାବେ କେନ୍ଦ୍ର ଉପରେ ଚାପ ସୃଷ୍ଟି କରିଛି କଂଗ୍ରେସ ।

ପେଟ୍ରୋଲ, ଡିଜେଲ ଦରବୃଦ୍ଧି ଗାଡି ଚାଳକଙ୍କ ଚିନ୍ତା ବଢାଇଥିବା ବେଳେ ଏବେ ପୁଣି ଏକ ବୋଝ ଲଦିଛନ୍ତି କେନ୍ଦ୍ର ସରକାର । ଅପ୍ରିଲ ପହିଲାରୁ ବଢିବାକୁ ଯାଉଛି ଟୋଲ୍ ଟିକସ । ୧୦ ଟଙ୍କାରୁ ୬୫ ଟଙ୍କା ଯାଏଁ ଭିନ୍ନ ଭିନ୍ନ ଗାଡି ପାଇଁ ଏହା ଲାଗୁ ହୋଇଛି । ହାଲୁକା ଗାଡି ପାଇଁ ୧୦ ଟଙ୍କା ଅଧିକ ଟିକସ ଓ କମର୍ସିଆଲ ଗାଡି ପାଇଁ ୬୫ ଟଙ୍କା ଯାଏଁ ଟିକସ ଦେବାକୁ ହେବ ।

ଏପ୍ରିଲ ୧ରୁ ଟୋଲ ପ୍ଲାଜା ଦେଇ ଯିବା ଆସିବା କରିବା ପାଇଁ ସାଧାରଣ ଜନତାଙ୍କୁ ଅଧିକ ଟଙ୍କା ଗଣିବାକୁ ପଡିବ । ଖାଇବା ତେଲ ଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ଆଉ ଏବେ ଗ୍ୟାସ୍ ପେଟ୍ରୋଲ ଡିଜେଲ ପରେ ଟୋଲ ଟିକସ ବୃଦ୍ଧି ସାଧାରଣ ଲୋକଙ୍କ ମାସିକିାଆ ବଜେଟ ବିଗାଡି ଦେଲାଣି ।

ଏପଟେ ରାଜ୍ୟରେ ବଢ଼ିଲା ବସ୍ ଭଡ଼ା । ସାଧାରଣ ବସ୍ କିଲୋମିଟର ପିଛା ୮୭ ଟଙ୍କାରୁ ୯୦ ପଇସା ବଢ଼ିଛି । ଏକ୍ସପ୍ରେସ ବସ୍ ଭଡ଼ା ୯୧ ପଇସାରୁ ୯୪ ପଇସା ବଢ଼ିଛି । ଡ଼ିଲକ୍ସ ବସ୍ ଭଡ଼ା ୧. ୨୫ ପଇସାରୁ ୧.୩୧ ପଇସା ଓ ଏସି ଡ଼ିଲକ୍ସ ୧.୫୩ ପଇସାରୁ ୧.୫୯ ପଇସାକୁ ବୃଦ୍ଧି ପାଇଛି । ଏହା ସହ ସୁପର ପ୍ରିମିୟମ ବସ ଭଡ଼ା ୨.୩୮ରୁ ୨. ୪୭ ପଇସାକୁ ବୃଦ୍ଧି ପାଇଛି ।