ମାନସ ହତ୍ୟା ମାମଲାରେ ସତ ମାନିଲା ଅଭିଯୁକ୍ତ ରଂଜନ: କ୍ରାଇମବ୍ରାଂଚକୁ କହିଲା, କିଡନାପ୍, ମର୍ଡର ଓ ପ୍ରମାଣ ନଷ୍ଟର ପୂରା କାହାଣୀ

197

କନକ ବ୍ୟୁରୋ: କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କ ଅପହରଣ, ହତ୍ୟା, ଶବ ପୋତିବା ଠାରୁ ଆରମ୍ଭ କରି ପ୍ରମାଣ ନଷ୍ଟ ପାଇଁ ହୋଇଥିବା କାରସାଦିର ଗୁମର ଖୋଲିଛି ଅଭିଯୁକ୍ତ ରଂଜନ ନାୟକ । ମୃତଦେହକୁ ପୋତି ଦେବା ପରେ ଯେଉଁ ସ୍ଥାନରେ ବ୍ୟବହୃତ ସାମଗ୍ରୀକୁ ନଷ୍ଟ କରାଯାଇଥିଲା, ରଂଜନକୁ ସେହି ସ୍ଥାନକୁ ନେଇ ସିନ୍ ରିକ୍ରିଏସନ୍ କରିବା ସହ ଜବତ ସାମଗ୍ରୀର ଚିହ୍ନଟ କରିଛି କ୍ରାଇମବ୍ରାଂଚ ।

ମାନସ ସ୍ୱାଇଁଙ୍କ ମୃତଦେହକୁ ନୟାଗଡ଼ ରଣପୁରରେ ପୋତି ଦେବା ପରେ ପ୍ରମାଣ ନଷ୍ଟ ପାଇଁ ହୋଇଥିଲା ଯୋଜନା । ଚଣ୍ଡିଖୋଲଠାରୁ ୨ କିଲୋମିର ଦୂର ଦୈତାରୀ-ପାରାଦ୍ୱୀପ ଏକ୍ସପ୍ରେସ-ୱେକୁ ଯାଇଥିଲେ ଅଭିଯୁକ୍ତ ।

ଆଉ ସେହିଠାରେ ହତ୍ୟାକାଣ୍ଡରେ ବ୍ୟବହୃତ ସାମଗ୍ରୀକୁ ନଷ୍ଟ କରି ଦେବାକୁ ଉଦ୍ୟମ କରାଯାଇଥିଲା । କ୍ରାଇମବ୍ରାଂଚ ଘଟଣାସ୍ଥଳରୁ ସେସବୁକୁ ଜବତ କରିଛି । ଯେଉଁ ଅଖା ବସ୍ତା ଓ ଶାଢ଼ିରେ ମୃତଦେହକୁ ଗୁଡ଼େଇ ନିଆଯାଇଥିଲା,
ଅଧାପୋଡ଼ା ବସ୍ତା ଓ ଶାଢ଼ି ଘଟଣାସ୍ଥଳରୁ ଜବତ କରିଛି କ୍ରାଇମବ୍ରାଂଚ
ଅଧାପୋଡ଼ା ମୋବାଇଲ୍ ଇୟର ଫୋନ୍ ଓ ଅଧାପୋଡ଼ା ଚପଲ
ବୁଦାମୂଳେ ଫିଙ୍ଗା ଯାଇଥିବା ଫାଉଡ଼ା ଓ ଗଇନ୍ତି ଜବତ

ଫାଉଡ଼ା ଓ ଗଇନ୍ତିରେ ଗାତଖୋଳି ମାନସଙ୍କ ମୃତଦେହକୁ ପୋତି ଦେଇଥିଲେ ଶର୍ମିଷ୍ଠା ଓ ତାଙ୍କ ଟିମ୍ । କ୍ରାଇମବ୍ରାଂଚ ଆଗରେ ଅଭିଯୁକ୍ତ ରଂଜନ ସଂପୂର୍ଣ୍ଣ ଘଟଣା ବଖାଣିଛି । କିଡନାପ୍, ମର୍ଡର, ପ୍ରମାଣ ନଷ୍ଟ ପାଇଁ ହୋଇଥିବା ଷଡ଼ଯନ୍ତ୍ରର ପୂରା ପୃଷ୍ଠା ଖୋଲିଛି ରଂଜନ ।

କ୍ରାଇମବ୍ରାଂଚକୁ ରଂଜନ କହିଛି, ଭଦ୍ରକ ଚାନ୍ଦବାଲିର ପଳାଶପୁରରୁ ମାନସ ସ୍ୱାଇଁଙ୍କୁ ଅପହରଣ କରାଯାଇଥିଲା । ଅପହରଣ ସମୟରେ ତାଙ୍କ ସହ ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ, ସହଯୋଗୀ ଝୁନା ଭୋଇ, ଭାଗିଧର ନାୟକ ଓ ନିଲୁ ବି ଉପସ୍ଥିତ ଥିଲେ । ଶର୍ମିଷ୍ଠାଙ୍କ କାରରେ ମାନସଙ୍କୁ ଭୁବନେଶ୍ୱରର ଦୟାଲ ଆଶ୍ରମକୁ ଅଣାଯାଇଥିଲେ । ସେଠାରେ ମାନସଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଅସହ୍ୟ ନିର୍ଯାତନା ଦିଆଯାଇଥିଲା । ଶର୍ମିଷ୍ଠାଙ୍କ ସହ ନିରଞ୍ଜନ ସେଠୀ ମଧ୍ୟ ମାନସଙ୍କୁ ମାଡ ମାରିଥିଲେ । ଆଉ ମାନସଙ୍କ ମୃତ୍ୟୁ ହେବା ପରେ ଶର୍ମିଷ୍ଠାଙ୍କ କାରରେ ମୃତଦେହକୁ ନୟାଗଡ ରଣପୁର ନିଆଯାଇ ସେଠାରେ ପୋତିଦିଆଯାଇଥିଲା । ସମସ୍ତ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ କ୍ରାଇମବ୍ରାଂଚ ଜେରା କରୁଥିବା ବେଳେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି ।

ହତ୍ୟା କିପରି ହୋଇଥିଲା, କିଏ କରିଥିଲା ତଦନ୍ତରୁ ଜଣାପଡୁଛି । ତେବେ ପ୍ରଶ୍ନ ଉଠୁଛି, ହତ୍ୟା ପଛର କାରଣ ନେଇ କାହିଁକି ନିରବ ରହିଛି କ୍ରାଇମବ୍ରାଂଚ?
କୁଆଡ଼େ ଗଲା ମେମୋରି ଚିପ୍?
ସେହି ଦିଗକୁ କାହିଁକି ଯାଉନି କ୍ରାଇମବ୍ରାଂଚର ତଦନ୍ତ?