ମୃତ ଗାଙ୍ଗପୁର ଆଇଆଇସିଙ୍କୁ ଛୁଟି ନେବା ପାଇଁ ଚାପ ପକାଉଥିଲେ ଏସଡିପିଓ: ଭାଇରାଲ ହେଲା କଥାବାର୍ତାର ଅଡିଓ କ୍ଲିପ୍

121

କନକ ବ୍ୟୁରୋ: ଗାଙ୍ଗପୁର ଆଇଆଇସି ମୃତ୍ୟୁ ଘଟଣାରେ ଏହିଭଳି ତିନି ଚାରୋଟି ଅଡିଓ କ୍ଲିପ୍ ଭାଇରାଲ ହେଉଛି । ଏହି କ୍ଲିପରେ ଭଞ୍ଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ବେଶ ଚିନ୍ତାରେ ଥିବାଭଳି ଜଣାପଡୁଛନ୍ତି । ସେ ବାରମ୍ବାର କହୁଛନ୍ତି ଗମାଙ୍ଗଙ୍କୁ ଛୁଟିରେ ନେଇ ଯାଆନ୍ତୁ ଏବଂ ସେ ଟିକେ ବିଶ୍ରାମ ନିଅନ୍ତୁ । ତାଙ୍କୁ ଡାକ୍ତରଙ୍କୁ ଦେଖାଇବାକୁ ପଡିବ ।

ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଗମାଙ୍ଗଙ୍କ ପତ୍ନୀଙ୍କୁ ପରାମର୍ଶ ବି ଦେଉଛନ୍ତି ଯେ ଭୁବନେଶ୍ୱର ଯାଇ ଜଣେ ଭଲ ଡାକ୍ତର ଅଛନ୍ତି ତାଙ୍କୁ ଦେଖାନ୍ତୁ । ତାଙ୍କ ପତ୍ନୀ ବି ଗାମାଙ୍ଗଙ୍କ ମାନସିକ ଅବସ୍ଥା ନେଇ ଏସଡିପିଓଙ୍କ ସହ ସହମତ ଥିବା ଜଣାପଡୁଛି ।

ଆଉ ଏକ ଅଡିଓ କ୍ଲିପରେ କୁଆଡେ ଏସଡିପିଓ, ଆଇଆଇସି ଦେବ କୁମାର ଗମାଂଗଙ୍କ ସହ ମଧ୍ୟ କଥା ହେଉଛନ୍ତି । ଏଥିରେ ଆଇଆଇସି ଗମାଙ୍ଗ ଖାଲି ସାର ସାର କହୁଥିବା ଶୁଣାଯାଉଛି । ଗଞ୍ଜାମ ପୁଲିସର ବରିଷ୍ଠ ଅଧିକାରୀଙ୍କ ସ୍ୱର ଥିବା ଏକାଧିକ ଅଡିଓ କ୍ଲିପ ଭାଇରାଲ ହେବା ପରେ ଏମିତି ଏକାଧିକ ପ୍ରଶ୍ନ ଏବେ ସାମନାକୁ ଆସୁଛି । ଏସବୁର ଏକମାତ୍ର ଉଦେଶ୍ୟ ହେଉଛି, ମୃତ ଆଇଆଇସି ଗମାଙ୍ଗଙ୍କୁ ମାନସିକ ରୋଗୀ ଭାବେ ପ୍ରମାଣିତ କରିବା । କିନ୍ତୁ ଆପଣ ଲକ୍ଷ୍ୟ କରନ୍ତୁ ଗମାଙ୍ଗଙ୍କ ମୃତ୍ୟୁର ଠିକ୍ ପରେ ପରେ କଣ କହିଥିଲେ ତାଙ୍କ ପତ୍ନୀ ଓ ମା ।

ଭାଇରାଲ ଅଡିଓ ଓ ସତ୍ୟତା ଭିତରେ କିଛି ଗୋଟାଏ ଗଡବଡ ଥିବା ପରି ମନେ ହେଉଛି । ପ୍ରକୃତରେ ଆଇଆଇସିଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଏସଡିପିଓ ଚିନ୍ତିତ ଥିଲେ ନା ନିଜର ସୁରକ୍ଷା ପାଇଁ ବ୍ୟସ୍ତ ହୋଇପଡିଛନ୍ତି ତାହା ଆଗକୁ ଜଣାପଡିବ ।