ଭୁଲ୍ ତଥ୍ୟ ଦେଇ ଭୁଲ୍ ମାଗିଲା କମିଶନରେଟ ପୁଲିସ, ଅନିଛାକୃତ ତ୍ରୁଟି କହି ରଖିଲା ସଫେଇ ।

396

କନକ ବ୍ୟୁରୋ: ଜଣେ ମହିଳାଙ୍କୁ ଅସଦାଚରଣ ହୋଇଥିବ, ସେ ଏନେଇ ଥାନାରେ ଅଭିଯୋଗ କରିଥିବେ, କିନ୍ତୁ ପୋଲିସ ଏହାକୁ ଗଣଦୁଷ୍କର୍ମ କହିବ, ପ୍ରେସରିଲିଜ୍ କରିବ, ତାହା ଶୁଣିଲା ବେଳକୁ ଆଶ୍ଚର୍ଯ୍ୟ ଲାଗୁଛି । ଆପଣ ଭାବୁଥିବେ ଏତେ ବଡ ଭୁଲ କେମିତି କରିବ ପୋଲିସ । କିନ୍ତୁ ସେମିତି ଭୁଲ କରିଛି କମିଶନରେଟ୍ ପୋଲିସ ।ରାଜଧାନୀରେ ଛାତି ଉପରେ ଜଣେ ମହିଳାଙ୍କୁ କେମିତି ଦୁର୍ଷ୍କମ ହେଲା, ତାକୁ ନେଇ ଆଲୋଡନ ସୃଷ୍ଟି ହେବା ପରେ, ସଫେଇ ରଖି ଭୁଲରେ ଅନିଛାକୃତ ଭାବେ ଏହି ତ୍ରୁଟି ହୋଇ ଯାଇଥିଲା ବୋଲି କହିଛି ପୋଲିସ ।ତେବେ ଅସଦାଚରଣ କରିଥିବା ଅଭିଯୁକ୍ତଙ୍କ ମଧ୍ୟରୁ ୩ଜଣଙ୍କୁ ଗିରଫ କରିଛି ।

ନଜର ପକାନ୍ତୁ କମିଶନରେଟ୍ ପୋଲିସ ପକ୍ଷରୁ ମଂଗଳବାର ଜାରି କରାଯାଇଥିବା ପ୍ରେସ ରିଲିଜ୍ ଉପରେ । ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଏଥିରେ ଏଥିରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଦିନକ ପରେ ଅର୍ଥାତ ବୁଧବାର ପୋଲିସ ନିଜ ପ୍ରେସରିଲିଜକୁ ଭୁଲ ବୋଲି କହିବା ସହ ସଫେଇ ରଖିଛି । ଏନେଇ ସୂଚନା ଦେଇ କମିଶନରେଟ୍ ପୋଲିସର ଏସିପି କହିଛନ୍ତିି, ଗଣଦୁଷ୍କର୍ମ ନୁହେଁ ଅସଦାଚରଣ ହୋଇଛି । ପ୍ରେସ ରିଲିଜରେ ଭୁଲରେ ଦୁଷ୍କର୍ମ ଲେଖି ଦେଇଥିଲା । ଏହା ପୁଲିସ ତରଫରୁ ଅନିଚ୍ଛାକୃତ ତ୍ରୁଟି ।

ପୋଲିସ ନିଜର ଭୁଲ୍ ମାନିଥିଲେ ବି ଏହି ଖବର ଗଣମାଧ୍ୟମରେ ପ୍ରମୁଖ ଖବର ପାଲଟିଥିଲା । ରାଜଧାନୀର ଛାତି ଉପରେ ଏତେ ବଡ କାଣ୍ଡ କେମିତି ଘଟିଲା ତାହା ଚାରିଆଡେ ଚର୍ଚ୍ଚାର ବିଷୟ ହୋଇଥିଲା । ଅନ୍ୟପଟେ ଗଣଦୁଷ୍କର୍ମ ହୋଇନଥିଲେ ବି ବର୍ଥ ଡେ ପାର୍ଟି କରିବାକୁ ବିରୋଧ କରିବାରୁ ଜଣେ ମହିଳାଙ୍କୁ କିଛି ଯୁବକ ଅସଦାଚରଣ କରିଥିଲେ । ମହିଳାଙ୍କ ପକ୍ଷରୁ ଏନେଇ ହୋଇଥିବା ଅଭିଯୋଗକୁ ଭିତି କରି ପୋଲିସ ଏହି ଘଟଣାରେ ୟୁନିଟ୍ ୮ ଅଂଚଳର ଦେବାଶିଷ ପ୍ରଧାନ, ରଙ୍ଗମାଟିଆ ଅଂଚଳର ଦୀପକ କୁମାର ସେଠୀ ଓ ଦାଶରାଜା ବସ୍ତିର ସ୍ୱାଧୀନ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅନ୍ୟ ୮ ଜଣ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

ସୋମବାର ସନ୍ଧ୍ୟା
ସ୍ଥାନ- ଧୀରକୁଟ୍ ବସ୍ତି, ପାତ୍ରସାହି

ଅଭିଯୋଗ ଅନୁସାରେ ଦୀପକ ନାମକ ଯୁବକ ଜନ୍ମଦିନ ପାଳନ ପାଇଁ ଏଠାରେ ଏକ ପାର୍ଟି ଆୟୋଜନ କରିଥିଲା । ଏହି ବର୍ଥଡେ ପାର୍ଟରେ ୨୦ରୁ ଅଧିକ ଅସାମାଜିକ ଯୁବକ ଏକାଠି ହୋଇଥିଲେ । ସେମାନେ ଉତ୍ପାତ କରିବା ସହ କେକ୍ କାଟିବା ବେଳେ ହୋହଲ୍ଲା କରିଥିଲେ । ଯୁବକମାନେ ହୋହଲ୍ଲା କରିବାରୁ ସେମାନଙ୍କୁ ବାରଣ କରିଥିଲେ ସମ୍ପୃକ୍ତ ମହିଳା । କିନ୍ତୁ ଏଥିରେ ରାଗି ଯାଇ ଅଭିଯୁକ୍ତ ମାଲିଙ୍ଗ, ଦୀପକ ଏବଂ ସ୍ୱାଧୀନ ପୀଡିତାଙ୍କୁ ହାତକୁ ଧରି ଘର ଭିତରକୁ ଟାଣି ନେଇଥିଲେ । ମହିଳାଙ୍କ ସ୍ୱାମୀ ନଥିବାର ସୁଯୋଗ ନେଇ ଅଭିଯୁକ୍ତମାନେ ପୀଡିତାଙ୍କୁ ଅସଦାଚରଣ କରିଥିଲେ । ଏହି ସମୟରେ ମହିଳା ଜଣଙ୍କ ଚିିକ୍ରାର କରିବାରୁ ପଡୋଶୀ ମାନେ ଦଉଡି ଆସିଥିଲେ । ତାପରେ ଯୁବକମାନେ ଚାଲି ଯାଇଥିଲେ । ଆଉ ଯିବାବେଳେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ । ପୀଡିତା ଓ ତାଙ୍କ ସ୍ୱାମୀ ଏନେଇ ମଂଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ । ତେବେ ଅସଦାଚରଣ ମାମଲାକୁ ଦୁଷ୍କର୍ମ ବୋଲି ଦର୍ଶାଇବା ପୋଲିସର ଖାମଖିଆଲି ମନୋଭାବକୁ ପଦାରେ ପକାଇଛି ।