ପ୍ରେମ ନେଇଗଲା କି କଲେଜ ଛାତ୍ରଙ୍କ ଜୀବନ ? ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହେଲା ତୁଷାରଙ୍କ ମୃତଦେହ, ପୂର୍ବତନ ପ୍ରେମିକାଙ୍କ ନାଁରେ ଅଭିଯୋଗ ଆଣିଲେ ପରିବାର ।

422

କନକ ବ୍ୟୁରୋ : ଖ୍ରୀଷ୍ଟ କଲେଜର ନିଖୋଜ ଯୁକ୍ତ ଦୁଇ ଛାତ୍ର ତୁଷାର କାନ୍ତ ସାହୁଙ୍କ ମୃତ ଦେହ କଟକ ଯୋବ୍ରା ଆନିକଟରୁ ଉଦ୍ଧାର ହେବା ପରେ ବଢ଼ିବାରେ ଲାଗିଛି ସନ୍ଦେହ । କେମିତି ହେଲା ତୁଷାରଙ୍କ ମୃତ୍ୟୁ । ତୁଷାରଙ୍କୁ ମାରିଲା କିଏ ? ତୁଷାରଙ୍କ ହତ୍ୟା ପଛରେ ତାଙ୍କ ଗାର୍ଲଫ୍ରେଣ୍ଡଙ୍କ ହାତ ଥିବା ପରିବାର ଲୋକ ଅଭିଯୋଗ ଆଣିବା ପରେ ଏହି ସନ୍ଦେହ ଆହୁରି ଘନୀଭୂତ ହୋଇଛି ।

ଗୁରୁବାର ଦିନ ପ୍ରାୟ ୧୨ଟା । କଟକ ଯୋବ୍ରା ଆନିକଟରୁ ମିଳିଲା ମୃତଦେହ । ତନାଘନା ପରେ ଜଣାପଡିଲା ନିଖୋଜ ଛାତ୍ର ତୁଷାରକାନ୍ତ ସାହୁଙ୍କ ଏହା ହେଉଛି ଡେଡବଡି । କଟକ ସହରରେ ଖେଳିଗଲା ଚାଂଚଲ୍ୟ । ଗତ ୩ଦିନ ତଳେ ନିଖୋଜ ଥିଲେ ତୁଷାରକାନ୍ତ ସାହୁ । ମହାନଦୀରେ ଖୋଜାଖୋଜି ପରେ ଉଦ୍ଧାର ହୋଇଥିଲା ମୃତଦେହ । ତୁଷାରଙ୍କ ପ୍ରେମିକାଙ୍କ ପୂର୍ବତନ ପ୍ରେମିକ ଅପହରଣ କରିଥିବା ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ ।

ତୁଷାରଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି । ତୁଷାରଙ୍କ ଉଭଣୀଙ୍କ କହିବା ଅନୁସାରେ, ଖ୍ରୀଷ୍ଟ୍ କଲେଜରେ ଯୁକ୍ତ ଦୁଇ ପଢୁଥିବା ତୁଷାରଙ୍କ ଜଣେ ଝିଅ ସହ ପ୍ରେମ ସମ୍ପର୍କ ଥିଲା । ମୃତ୍ୟୁ ପଛରେ ତୁଷାରଙ୍କ ଗାର୍ଲଫ୍ରେଣ୍ଡଙ୍କ ହାତ ରହିଛି । ଉଭୟଙ୍କ ମଧ୍ୟରେ ଭୁଲ ବୁଝାମଣା ପରେ ସଂମ୍ପୃକ୍ତ ଝିଅଙ୍କ ସାଙ୍ଗମାନେ ତୁଷାରଙ୍କୁ ଡାକି ବାଡେଇଥିଲେ ।

ଏବେ ପ୍ରଶ୍ନ ଉଠୁଛି, ତୁଷାରକାନ୍ତଙ୍କ ମୃତ୍ୟୁ ପଛରେ ପ୍ରେମ ସମ୍ପର୍କ ମୁଖ୍ୟ କାରଣ କି ? କିଭଳି ଓ କେଉଁ କାରଣରୁ ତୁଷାରଙ୍କ ମୃତ୍ୟୁ ହେଲା । ବାଡେଇବା ପରେ ତାଙ୍କୁ ହତ୍ୟା କରି ଫିଙ୍ଗିଦିଆଯାଇଛି କି ? ମୋବାଇଲ କଲ ଡିଟେଲସରୁ ମିଳିବ କି ଅସଲ ସତ ?