ପାଣି ଆସୁ ଆସୁ ଭୁଷୁଡ଼ିଗଲା ନୂଆ କେନାଲ, ଉଜୁଡ଼ିଗଲା ଶହ ଶହ ଏକର ଫସଲ । କୋନାଲ ନିର୍ମାଣ ନେଇ ଆସିଲା ସାଂଘାତିକ ଅଭିଯୋଗ, ଲୋକ କହିଲେ, ଦୁର୍ବଳ କାମ ଯୋଗୁଁ ଧୋଇଗଲା ସୁନାର ଫସଲ ।

191

କନକ ବ୍ୟୁରୋ : ପାଣି ଆସୁ ଆସୁ କେନାଲ ବନ୍ଧ ଭୁଷୁଡି ପଡିବା ଫଳରେ ଏବେ ଜମିକୁ ଆସୁନି ପାଣି । ଗୋଟିଏ ପଟେ କମ୍ ବର୍ଷା ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ କେନାଲରେ ପାଣି ନଆସିବା ଚାଷୀଙ୍କୁ ଚିନ୍ତାରେ ପକାଇଛି । ପାଣି ନଆସିଲେ ମରୁଡି ହେବ ବୋଲି ଆଶଙ୍କା କରିଛନ୍ତି ଚାଷୀ ।

କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ କୋକସରା ବେହେରା ମଝି କେନାଲର ବନ୍ଧ ଭାଙ୍ଗିଯିବା ପରେ ଏବେ ଏମିତି ଶୁଖିଲା ପଡିଛି କେନାଲ । ବାଲିବସ୍ତା ଦେଇ ଭଙ୍ଗାବନ୍ଧର ମରାମତି ହୋଇଥିଲେ ବି କେନାଲରେ ପାଣି ଛାଡିବାକୁ ସାହାସ ଜୁଟାଇ ପାରୁନାହାନ୍ତି ବିଭାଗୀୟ କର୍ମଚାରୀ । କେନାଲରେ ପାଣି ନଆସିବାରୁ ଏବେ ଚାଷୀଙ୍କ ସ୍ୱପ୍ନ ବି ଭାଙ୍ଗିଯିବାକୁ ବସିଛି । ବର୍ଷା ଅଭାବ ସାଙ୍ଗକୁ ପାଣି ନଆସିଲେ କେମିତି ଚାଷ କରିବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ ।

ଏ ହେଉଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ ମକରଝୋଳ ପଂଚାୟତ ପଦ୍ମନାଭପୁର ଓ ବଳରାମପୁର ଦେଇ ଯାଇଥିବା କେନାଲର ଦୃଶ୍ୟ । ଗୋଟିଏ ପଟେ କେନାଲରେ ପାଣି ଭରି ରହିଛି, ଆଉ ଅନ୍ୟପଟେ ଶୁଖିଲା ପଡିଛି । ଅର୍ଥାତ ପାଣି ଆସୁଥିଲେ ବି ଆଗକୁ ଛଡାଯାଉନାହିଁ । ମାତ୍ର ଦୁଇ ମାସ ତଳେ କୋଟିଏରୁ ଅଧିକ ଟଙ୍କାରେ ନିର୍ମିତ ହୋଇଥିବା ଏହି କେନାଲ ବନ୍ଧ ଭାଙ୍ଗିଯିବାରୁ ପାଣି ଛଡାଯାଉନଥିବା ଅଭିଯୋଗ କରିଛନ୍ତି ଚାଷୀ । ରାତାରାତି ବନ୍ଧର ମରାମତି କରାଯାଇଥିଲେ ବି ମାଟି ଜମି ରହିଥିବାରୁ ପାଣି ଛଡାଯାଉନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଚାଷୀ ।

ମାଲକାନଗିରି ଜିଲ୍ଲାରୁ ଆସିଛି ସତିଗୁଡା କେନାଲ ବନ୍ଧ ଭାଙ୍ଗିଯାଇଥିବାର ଦୃଶ୍ୟ । କୋରୁକୋଣ୍ଡା ବ୍ଲକ ସ୍ଥିତ ହାଇସ୍କୁଲଗୁଡା ଗାଁ ନିକଟରେ ସତିଗୁଡା କେନାଲ ହୁଡା ଭୁଷୁଡି ପଡିବାରୁ ଶହ ଶହ ଏକର ଚାଷ ଜମି ଜଳମଗ୍ନ ହେବା ସହ ଜମି ଏବେ ବାଲିଚର ପାଲଟିଛି ।

ତେବେ ପ୍ରଶ୍ନ ଉଠୁଛି କେନାଲ ମରାମତି ପାଇଁ ପ୍ରତିବର୍ଷ ସରକାର ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କାହିଁକି ଭାଙ୍ଗୁଛି ବନ୍ଧ ? ଜଳସେଚନ ଅଭାବରୁ ଚାଷୀ ଯେଉଁ କ୍ଷତି ସହୁଛନ୍ତି ତାହା ପୂରଣ ହେବ କେମିତି ?