ଡେଥ ଜୋନ ପାଲଟିଛି ହଂସପାଳ ଛକ ! ସ୍ଥାନୀୟ ଯୁବକଙ୍କ ଗାଡି ଧକ୍କାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ

59

କନକ ବ୍ୟୁରୋ : ଦୁର୍ଘଟଣାରେ ଛାତ୍ରୀଙ୍କ ଅକାଳ ମୃତ୍ୟୁ । ଭୁବନେଶ୍ୱର ହଂସପାଳ ଛକ ନିକଟରେ ଥିବା ଜୟଦେବ କଲେଜର ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀ ସୁଚିସ୍ମିତା ବେହେରାଙ୍କ ମୃତ୍ୟୁ ଘଟିଛି । ପାଠ ପଢିବାକୁ ଜୟଦେବ କଲେଜ ଆସୁଥିବାବେଳେ ସ୍ଥାନୀୟ ଯୁବକ ସ୍ୱାଧୀନ ଭୋଇ ଦ୍ରୁତ ଗତିରେ ନିଜ ଗାଡିଟିକୁ ସୁଚିସ୍ମିତାଙ୍କୁ ଧକ୍କା ଦେଇଥିଲେ । ଦୁର୍ଘଟଣା ଯୋଗୁଁ ତାଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲା ସଙ୍ଗେ ସଙ୍ଗେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା, ସେଠାରେ ତାଙ୍କୁ ମୃତ୍ୟୁ ଘୋଷିତ କରିଥିଲେ ଡାକ୍ତର । ଏହି ଘଟଣା ଓ ପୂର୍ବ ଘଟଣାକୁ କେନ୍ଦ୍ର କରି ଜୟଦେବ କଲେଜ ଛାତ୍ରଛାତ୍ରୀମାନେ ହଂସପାଳ ନିକଟରେ ରାସ୍ତା ଅବରୋଧ କରିଥିଲେ । ଫଳରେ ଦୁଇଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ କଟକ ଭୁବନେଶ୍ୱର ରାସ୍ତା ଜାମ୍ ହୋଇଥିଲା । ଟ୍ରାଫିକ୍ ଏସସିପି ଓ ସ୍ଥାନୀୟ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଂଚି ରାସ୍ତାରୋକ ହଟାଇଥିଲେ ।

ବାରମ୍ବାର ଦୁର୍ଘଟଣା ଘଟୁଥିବା ହଂସପାଳ ଛକ ଏବେ ରାଜଧାନୀର ଡେଥ ଜୋନ୍ ପାଲଟିଛି । ଏଠାରେ ଦିନକୁ ଦିନ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି, ନା ଅଛି ସ୍ଥାନୀୟ ପ୍ରଶାସନର ଚିନ୍ତା ନା ପୋଲିସର । ତେବେ ଜୟଦେବ କଲେଜରେ ଅଣଛାତ୍ର ପ୍ରବେଶ, ହମ୍ପ୍ସ ନିର୍ମାଣ, ପାଟ୍ରୋଲିଙ୍ଗ ବ୍ୟବସ୍ଥାକୁ କଡାକଡି କରିବା ଦାବିକୁ ଯଦି ପୋଲିସ ଯଥାଶୀଘ୍ର ସମାଧାନ ନକରେ ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବା ସହ ପୁଣିଥରେ ରାସ୍ତାରୋକ କରାଯିବ ବୋଲି ଛାତ୍ରଛାତ୍ରୀମାନେ ଚେତାବନୀ ଦେଇଛନ୍ତି ।