ଆୟୁଷ୍ମାନ ଭାରତ ବନାମ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ! ସ୍ୱାସ୍ଥ୍ୟ ସୁରକ୍ଷାର ବଡ ଯୋଜନାକୁ ନେଇ ଆସନ୍ତାକାଲି ଦେଖିବାକୁ ମିଳିବ ଲଢେଇ ।

53

କନକ ବ୍ୟୁରୋ : ଆସନ୍ତାକାଲି ସ୍ୱାଧିନତା ଦିବସ ଅବସରରେ ଓଡ଼ିଶାର ସବୁଠୁ ବଡ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ପ୍ରାୟ ସାଢ଼େ ୩ କୋଟି ଲୋକଙ୍କ ସ୍ୱାସ୍ଥ୍ୟ ସେବାକୁ ସୁନିଶ୍ଚିତ କରିବା ପାଇଁ ପୂର୍ବରୁ ଘୋଷଣା ହୋଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆସନ୍ତାକାଲି ଶୁଭାରମ୍ଭ ହେବ । ଆଉ ସେପଟେ ସ୍ୱାଧିନ ଭାରତର ସବୁଠୁ ବଡ ଜନ କଲ୍ୟାଣ ଯୋଜନା କୁହାଯାଉଥିବା ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ନେଇ ଘୋଷଣା କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସ୍ୱାସ୍ଥ୍ୟ ସୁରକ୍ଷାର ବଡ ଯୋଜନାକୁ ନେଇ ଲଢ଼େଇ । ଗୋଟିଏ ପଟେ ଲାଲ୍କିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅନ୍ୟପଟେ ଭୁବନେଶ୍ୱର ରାଜମାର୍ଗରୁ ରାଜ୍ୟବାସୀଙ୍କୁ ସ୍ୱାଧୀନତା ଦିବସର ବାର୍ତ୍ତା ଦେବେ ମୁଖ୍ୟମନ୍ତ୍ରୀ । ଆଉ ଏଭଳି ଏକ ମୁହୁର୍ତ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟ କ୍ଷେତ୍ରରେ ସବୁଠାରୁ ବଡ ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ ନେଇ ଘୋଷଣା କରିବେ । ଆଉ ସେପଟେ ଦିଲ୍ଲୀରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ନେଇ ଘୋଷଣା କରି ପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଆୟୁଷ୍ମାନ ଭାରତ ବନାମ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । କେଉଁ ଯୋଜନାରେ କ’ଣ ରହିଛି ବିଶେଷତ୍ୱ ? କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାରେ ଦେଶର ୫୦ କୋଟି ଲୋକ ଉପକୃତ ହେବାକୁ ଥିବା ବେଳେ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଉପକୃତ ହେବେ ପ୍ରାୟ ସାଢ଼େ ୩ କୋଟି ଜନତା । ଆୟୁଷ୍ମାନ ଭାରତ ଯୋଜନାରେ ୫ ଲକ୍ଷ ଟଙ୍କା ଯାଏଁ ଚିକିତ୍ସା ସୁବିଧା ଥିବା ବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମଧ୍ୟ ୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳିବ । ତେବେ ମହିଳାମାନଙ୍କ ପାଇଁ ଏହି ଯୋଜନାରେ ଅତିରିକ୍ତ ୨ ଲକ୍ଷ ଟଙ୍କାର ସହାୟତା ମିଳିବ । ଅର୍ଥାତ୍ ମହିଳାମାନେ ରାଜ୍ୟ ସରକାରଙ୍କ ଯୋଜନାରୁ ୭ ଲକ୍ଷ ଟଙ୍କା ଯାଏଁ ସହାୟତା ପାଇ ପାରିବେ । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଜଣେ ବ୍ୟକ୍ତି ଉଭୟ ସରକାରୀ ଏବଂ ଘରୋଇ ମେଡିକାଲରେ ଏହି ଯୋଜନାରୁ ସ୍ୱାସ୍ଥ୍ୟ ସେବା ପାଇ ପାରିବେ । କିନ୍ତୁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତ ସରକାରୀ ମେଡ଼ିକାଲ ଏବଂ କିଛି ନିର୍ଦ୍ଧିଷ୍ଟ ବେସରକାରୀ ହସ୍ପିଟାଲରେ ଚିକିତ୍ସା ସୁବିଧା ପାଇପାରିବେ । ହେଲେ କେନ୍ଦ୍ରର ବିଶଦ ରିପୋର୍ଟ ଏବେବି ସାମ୍ନାକୁ ଆସିନାହିଁ ।

ସ୍ୱାସ୍ଥ୍ୟସେବା ନେଇ ଏହି ବଡ ବଡ ଯୋଜନା ଭିତରେ କିନ୍ତୁ ଏହା ଭୋଟ୍ ରାଜନୀତିକୁ ବିଶେଷ ପ୍ରଭାବିତ କରିବାକୁ ଯାଉଛି । କାରଣ-କେନ୍ଦ୍ରୀୟ ଯୋଜନା ୫୦ କୋଟି ଲୋକ ଉପକୃତ ହେବାକୁ ଯାଉଥିବା ବେଳେ ରାଜ୍ୟ ଯୋଜନାରେ ପ୍ରାୟ ସାଢେ ୩ କୋଟି ଲୋକ ଉପକୃତ ହେବେ । ବଡ କଥା ହେଉଛି କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାରୁ ଓହରି ଯାଇଛି ଓଡ଼ିଶା । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନାଁରେ ନିଜସ୍ୱ ଯୋଜନା କରି ଓଡ଼ିଶା ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ନିଶ୍ଚିତ କରିବାକୁ ଯୋଜନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।