ଆଜି ପହିଲି ରଜ : ଶୁଭେଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

293

କନକ ବ୍ୟୁରୋ : ଆଜି ପହିଲି ରଜ । କରୋନା ଫିକା କରି ଦେଇଛି ରଜ ଉତ୍ସାହ । ସଜବାଜ ଓ ପ୍ରଥମ ରଜ ଫିକା ପଡିଥିବାବେଳେ ଆଉ ଦିନ ମଧ୍ୟ ଫିକା ପଡିବ ବୋଲି ଅନୁମାନ କରାଯାଉଛି । ଗତ ବର୍ଷ ତ ଅନଲକ ଆରମ୍ଭ ହୋଇଯାଇଥିଲା, କଟକଣା ଲାଗିଥିଲେ ବି ଦୋକାନ ଖୋଲିଥିଲା । ନୂଆ ଡ୍ରେସ କିଣି ପିନ୍ଧିବାର ସୁଯୋଗ ମିଳିଥିଲା । ହେଲେ, ଏବର୍ଷ ରଜରେ ସେ ସୁଯୋଗ ବି ମିଳିଲା ନାହିଁ । ଦୋକାନ ବଜାର ବନ୍ଦ ଥିବାରୁ ନୂଆ ଡ୍ରେସ ଖଣ୍ଡେ ବି ପିନ୍ଧିବାର ସୁଯୋଗ ମିଳିଲା ନାହିଁ । ଅନଲାଇନରେ କେହି କେହି ମଗାଇଥିଲେ ବି ସମସ୍ତଙ୍କ ପାଇଁ ଏହା ଅସମ୍ଭବ । କଟକଣା ଯୋଗୁଁ କେହି କୁଆଡେ ବୁଲିବାକୁ ଯିବା ବନ୍ଦ ହୋଇ ଯାଇଛି । ଘର ଭିତରେ ପିଠାପଣା ଭିତରେ ସୀମିତ ହୋଇ ଯାଇଛି ରଜ ମଉଜ ।

ଓଡିଶାର ଗଣପର୍ବ ରଜରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି ରଜ ଧରଣୀମାତାଙ୍କ ଉପାସନା ତଥା ନାରିତ୍ୱର ମହାନୀୟତାର ପର୍ବ । ଓଡିଆଙ୍କ ପ୍ରିୟ ପର୍ବ ରଜ ଅବସରରେ ଓଡିଶାର ଝିଅ, ମାଆମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । କରୋନା କଟକଣା ଭିତରେ ଘର ରହି ରଜ ପାଳନ କରିବା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ପରାମର୍ଶ ଦେଇଛନ୍ତି ।

ସେହିପରି ଗଣପର୍ବ ରଜରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ପ୍ରକୃତି, ଧରିତ୍ରୀ ଓ ନାରୀକୁ ପୂଜିବାର ବା ସମ୍ମାନ ଜଣାଇବା ହେଉଛି ‘ରଜ’ ପର୍ବର ଅନନ୍ୟ ପରମ୍ପରା । ଆସନ୍ତୁ, କୋଭିଡ-୧୯ର ସମସ୍ତ ନିୟମକୁ ମାନି ଘରେ ରହି ଏଥର ରଜ ପର୍ବକୁ ସ୍ୱତନ୍ତ୍ର କରିବା । ଆଜିର ଦିନ ଆନନ୍ଦ ଉଲ୍ଲାସ, ମଉଜ ମଜଲିସ୍, ପିଠାପଣା, ନୂଆ ପୋଷାକ ପରିଧାନ, ଜାନିଯାତ୍ରା, ଭ୍ରମଣ, ନାଚ ଗୀତ, ନାଟକ, ସଭା, ପାଠୋତ୍ସବ ଇତ୍ୟାଦିର ଦିନ । ନିଜର ବନ୍ଧୁ ମାନଙ୍କୁ ଚର୍ଚ୍ଚା କରିବା, ଖିଆପିଆ ଓ ଭାବର ଆଦାନପ୍ରଦାନରେ ଅଂଶୀଦାର ହେବା ବନ୍ଧୁ ମିଳନର ଏକ ଭିନ୍ନ ପର୍ବ ଏ ରଜ ।