ରୋଜଭ୍ୟାଲିକୁ ସହାୟତା କରୁଥିଲେ ନବୀନ ସରକାର ! ବିରୋଧୀଙ୍କ ସଂଗୀନ ଅଭିଯୋଗ

17

କନକ ବ୍ୟୁରୋ : ରୋଜଭ୍ୟାଲିକୁ ସହାୟତା କରୁଥିଲେ ନବୀନ ସରକାର । ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ବିରୋଧୀ । ଜଣେ ମନ୍ତ୍ରୀ ରୋଜଭ୍ୟାଲି ମୁଖ୍ୟ ଗୌତମ କୁଣ୍ଡୁଙ୍କୁ ଆଣି ମୁଖ୍ୟମନ୍ତ୍ରୀଙ୍କ ସହ ଭେଟ କରାଇଥିଲେ ବୋଲି ଅଭିଯୋଗ କରିଛି ରାଜ୍ୟ ବିଜେପି । ସେପଟେ ଚିଟଫଣ୍ଡ ସଂସ୍ଥାର ମିଡିଆ ହାଉସ ପାଇଁ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ ମଧ୍ୟସ୍ଥତା କରୁଥିଲେ ବିଲୋ କଂଗ୍ରେସ କହିଛି ।

vlcsnap-2017-01-05-19h28m19s335ରୋଜଭ୍ୟାଲି ମାମଲାରେ ସିବିଆଇ ତନାଘନା ଚଳାଇଥିବାବେଳେ ଏକ ଫଟୋକୁ ନେଇ ଚର୍ଚ୍ଚା ଜୋର ଧରିଛି ,ଯେଉଁଠି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଗୋଟିଏ ଫ୍ରେମରେ ଅଛନ୍ତି ରୋଜଭ୍ୟାଲି ଚିଟଫଣ୍ଡ ସଂସ୍ଥାର କିଛି ବରିଷ୍ଠ କାର୍ଯ୍ୟକର୍ତା । ୨୦୧୫ ମାର୍ଚ୍ଚ ୪ ତାରିଖରେ ରୋଜଭ୍ୟାଲି କାର୍ଯ୍ୟାଳୟରେ ଚଢାଉବେଳେ ସବିଆଇକୁ ଏହି ଫଟୋ ମିଳିଥିବା କୁହାଯାଉଛି ।

ଆଉ ଏହାକୁ ଆଧାର କରି ମୁଖ୍ୟମନ୍ତ୍ରୀଙ୍କ ଆଡକୁ ଅଙ୍ଗୁଳି ଉଠାଇଛି ରାଜ୍ୟ ବିଜେପି । ଜଣେ ମନ୍ତ୍ରୀ, ରୋଜଭ୍ୟାଲି ମୁଖ୍ୟ ଗୌତମ କୁଣ୍ଡୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟ କରାଇଥିଲେ ବୋଲି ଅଭିଯୋଗ କରିଛି ଦଳ । ଏଥିସହ ଜଣେ ବିଜେଡି ବିଧାୟକ ମଧ୍ୟ ମିଡିଆ ହାଉସ କରିବା ଲାଗି ରୋଜଭ୍ୟାଲି ସଂସ୍ଥାକୁ ସହଯୋଗ କରିଥିବା ଦଳ କହିଛି ।

ପ୍ରଶ୍ନ ଉଠୁଛି ସେହି ମନ୍ତ୍ରୀ ଜଣକ କିଏ ? ସେ ମନ୍ତ୍ରୀଙ୍କ ସହ ରୋଜଭ୍ୟାଲିର କଣ ସଂପର୍କ ରହିଛି? ଏବଂ କେଉଁ ବିଧାୟକ ରୋଜଭ୍ୟାଲି ଚିଟଫଣ୍ଡ ସଂସ୍ଥାର ମିଡିଆ ହାଉସ ପାଇଁ ମଧ୍ୟସ୍ଥତା କରୁଥିଲେ । ଯଦି ବିଜେପି ନିକଟରେ ଏ ତଥ୍ୟ ରହିଛି, ତାହେଲେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ଦଳ ଦେଉନାହିଁ କାହିଁକି?

ସେପଟେ ଆଉପାଦେ ଆଗେଇ ଯାଇ ସିଧାସଳଖ କଟକ-ବାରବାଟୀର ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ଟାର୍ଗେଟ କରିିଛି କଂଗ୍ରେସ । ରୋଜଭ୍ୟାଲି ପାଇଁ ଦେବାଶିଷ ମଧ୍ୟସ୍ଥତା କରୁଥିଲେ ବୋଲି ଗୁରୁତର ଅଭିଯୋଗ ଆଣିଛନ୍ତି କଟକ ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମ୍ । ଯାହାକୁ ଅସ୍ୱୀକାର କରିଛନ୍ତି ଦେବାଶିଷ ।

ବିମୁଦ୍ରାୟନ ପ୍ରସଙ୍ଗରେ ମୋଦି ସରକାରଙ୍କୁ ବିରୋଧ କରି ଫସିଗଲେ ଟିଏମସି ସାଂସଦ । ଦୁଇ ହେଭି ୱେଟଙ୍କୁ ଗିରଫ କରିସାରିଛି ସିବିଆଇ । ଆଉ ଏବେ ଆସିଛି ନବୀନ ସରକାରଙ୍କ ଜଣେ ମନ୍ତ୍ରୀଙ୍କ କଥା । ଏହି ଅଭିଯୋଗ ପରେ ସଂପୃକ୍ତ ମନ୍ତ୍ରୀଙ୍କୁ ସିବିଆଇ ହାତ ମାରିବ ନା ଛାଡିଦେବ।