ରାସ୍ତା ମରାମତି କଲେ କୁନି କୁନି ପିଲା : ବର୍ଷାଦିନେ ଆଦିବାସୀ କଲୋନୀରୁ ବାଗମରା ରାସ୍ତାହୁଏ ଶୋଚନୀୟ, ସତ୍ୟାସତ୍ୟ ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ହେବ କହିଲେ ବିଡିଓ 

68

କନକ ବ୍ୟୁରୋ : ରାସ୍ତା ମରାମତି କଲେ କୁନି କୁନି ପିଲା । ରାସ୍ତା କଡରେ ପଡିଥିବା ମେଟାଲକୁ ପକାଇ ରାସ୍ତା ସମତୁଳ କରିବା ପାଇଁ କିଏ ତାକୁ ଅଖାରେ ବୋହି ନେଇଯାଉଛି ତ କିଏ ସାଇକେଲରେ ନେଇ ରାସ୍ତାରେ ଥିବା ଖାଲରେ ଢାଳି ସମାନ କରୁଛି । ଏହା ହେଉଛି ଭଦ୍ରକର ଗେଲଟୁଆ ପଂଚାୟତ ଆଦିବାସୀ କଲୋନୀ ଠାରୁ ବାଗମରା ଗାଁକୁ ସଂଯୋଗ କରୁଥିବା ରାସ୍ତା । ବର୍ଷା ଦିନ ହେଲେ ଏହି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡେ । କେତେକ ଅଂଚଳରେ ରାସ୍ତା କାମ ଚାଲିଥିବା ବେଳେ ଆହୁରୀ କିଛି ସ୍ଥାନରେ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି ।

ଫଳରେ ଏହି ରାସ୍ତା ଦେଇ ଯାତାୟତ କରୁଥିବା ଲୋକେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦେଖି ସ୍ଥାନୀୟ କୁନି କୁନି ପିଲାମାନେ ରାସ୍ତା ସମତୁଳ କରିବା କାମରେ ଲାଗିପଡିଛନ୍ତି । ରାସ୍ତା କଡରେ ପଡିିଥିବା ମେଟାଲକୁ ଆଣି ଖାଲରେ ପକାଇ ରାସ୍ତା ସମତୁଳ କରିଛନ୍ତି । କୁନି କୁନି ପିଲା ରାସ୍ତା ମରାମତି କରିବା କାମ ପରେ ଏପରି ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଅପରପକ୍ଷରେ ଘଟଣାର ସତ୍ୟାସତ୍ୟ ଯାଂଚ ପରେ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭଦ୍ରକ ବିଡିଓ କହିଛନ୍ତି ।