ମନରେଗାରେ ଅର୍ଥ ଆତ୍ମସାତ୍ : କାମ ନକରି ଚଳୁ ହୋଇଛି ୪ଲକ୍ଷ ଟଙ୍କା; ପ୍ରକଳ୍ପ ନିର୍ଦ୍ଦେଶକ କହିଲେ ତଦନ୍ତ ପରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ

174

କନକ ବ୍ୟୁରୋ : କାମ ନକରି ମନରେଗା ଅର୍ଥ ଆତ୍ମସାତ୍ । ଅଯୋଗ୍ୟ ଜବକାର୍ଡଧାରୀଙ୍କ ଆକାଉଂଟରେ ଟଙ୍କା । ଯାଜପୁର ଜିଲ୍ଲାରେ ମନରେଗା କାର୍ଯ୍ୟ ନକରି ଚଳୁ ହୋଇଛି ୪ ଲକ୍ଷ ଟଙ୍କା । ଦୁଇଟି ସ୍ଥାନରେ କାର୍ଯ୍ୟ ହୋଇଥିବା ଦର୍ଶାଇ ଜାଲି ଜବକାର୍ଡ ମାଧ୍ୟମରେ ଏହି ଅର୍ଥ ଉଠାଇ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି । ସରପଂଚ ଓ ସରକାରୀ କର୍ମଚାରୀଙ୍କ ପରିବାରର ଅଯୋଗ୍ୟ ସଦସ୍ୟଙ୍କ ନାଁରେ ଜବକାର୍ଡ କରି ଲୁଟି ନେଇଛନ୍ତି ଏହି ମନରେଗା ଅର୍ଥ । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ କଟିକଟା ପଂଚାୟତରେ ମନରେଗା ଯୋଜନାରେ ଲକ୍ଷାଧିକ ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ରହିଛି ।

କଟିକଟା ପଂଚାୟତର ସମବାୟ ସମିତି କାର୍ଯ୍ୟାଳୟ ପଡିଆ ଏବଂ ବିହିପୁର ପ୍ରାଥମିକ ବିଦ୍ୟାଳୟ ଖେଳ ପଡିଆ ଉନ୍ନତିକରଣ ନାଁରେ ସ୍ଥାନୀୟ ସରପଂଚଙ୍କ ସହ ସରକାରୀ କର୍ମଚାରୀ ମିଳିତ ଭାବେ ୪ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଗାଁଲୋକେ କହିଛନ୍ତି । ଏପରିକି କୌଣସି ସ୍ଥାନରେ ମାଟି ମୁଠିଏ ପଡିନଥିବା ବେଳେ କେବଳ ଫଳକ ଲଗାଇ ଲୁଟିନେଇଛନ୍ତି ମନରେଗା ଟଙ୍କା । ଏପରିକି କାମ କରାଯାଇଛି ବୋଲି ଦର୍ଶାଯାଇଥିବା ସ୍ଥାନରେ ଜମିରହିଛି ପାଣି କାଦୁଅ । ସେପଟେ ଏନେଇ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ପଚାରିବାରୁ ଖୁବଶୀଘ୍ର ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।