ନଦୀ ପାର ହେଲେ ପାଠପଢ଼ା : ବିପଦ ସଙ୍କୁଳ ଅବସ୍ଥାରେ ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ; ବାରମ୍ବାର ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ

73

କନକ ବ୍ୟୁରୋ : ପ୍ରବଳ ବନ୍ୟା ଜଳରେ ତାର ବାନ୍ଧି ନଦୀ ଅତିକ୍ରମ କଲେ ସ୍କୁଲ ପିଲା । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକରୁ ଆସିଛି ଏପରି ଦୃଶ୍ୟ । ବ୍ଲକର ବୁରାତଲା ପଞ୍ଚାୟତ ମହେନ୍ଦ୍ରତନୟା ନଦୀରେ ରହିଥିବା ଜାମୁଗଣ୍ଡ ଉପରେ ସେତୁ ନହେବାରୁ ନଦୀର ଆରପାରିକୁ ଯିବା ଆସିବାରେ ଲୋକଙ୍କୁ ବହୁ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି । ବିଶେଷକରି ବର୍ଷାଦିନେ ନଦୀରେ ବନ୍ୟାଜଳ ପ୍ରବେଶ କରିବା ପରେ ଲୋକେ ଅଧିକ ସମସ୍ୟାରେ ପଡ଼ିଥାନ୍ତି ।

ଜାମୁଗଣ୍ଡ ଉପରେ ୧୫ରୁ ଅଧିକ ଗାଁ ନିର୍ଭର କରନ୍ତି । ଶୁକ୍ରବାର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଦ୍ୱାରା ମହେନ୍ଦ୍ରତନୟା ନଦୀରେ ବନ୍ୟା ଜଳ ପ୍ରବେଶ କରିଥିଲା । କମଳାଖତ ନୂଆଁସାହିର ପିଲାମାନେ ସକାଳେ ଜାମୁଗଣ୍ଡ ପାର କରି ପୁରିଆସାହିରେ ଥିବା ସ୍କୁଲକୁ ଯାଇଥିଲେ । କିନ୍ତୁ ଫେରିଲା ବେଳକୁ ନଦୀରେ ବନ୍ୟା ଜଳ ପାଣି ମାଡ଼ି ଆସିଥିଲା । ଫଳରେ ପିଲାମାନେ ନଦୀ ଆରପାଶ୍ୱର୍ରେ ରହିବା ସହ ଆଉ ଫେରିପାରିନଥିଲେ । ଫେରିବାରେ ବିଳମ୍ବ ହେବାରୁ ସ୍ଥାନୀୟ ଲୋକେ ବିଦ୍ୟୁତ ତାର ବାନ୍ଧି ପିଲାମାନଙ୍କୁ ନଦୀ ପାର୍ କରାଇଥିଲେ ।

ତେବେ କେବଳ ଛାତ୍ରଛାତ୍ରୀ ନୁହନ୍ତି, ନଦୀର ଆରପାରିରେ ଥିବା ଅନ୍ୟ ଗ୍ରାମବାସୀ ମଧ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପାଇବାରେ ମଧ୍ୟ ବିଭିନ୍ନ ସମସ୍ୟାର ସାମ୍ନା କରିଥାନ୍ତି । ଗତବର୍ଷ ସେପ୍ଟେମ୍ବରରେ ଗ୍ରାମବାସୀମାନେ ପାତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଏପରିକି ସେତୁ ନିର୍ମାଣ ଦାବିରେ ଆନ୍ଦୋଳନ କରୁଥିବା ଯୁବନେତା ନଦୀରେ ଭାସି ଜୀବନ ହାରିଥିଲେ । ଘଟଣାକୁ ୧୦ମାସ ବିତି ଯାଇଥିଲେ ସୁଦ୍ଧା ପ୍ରଶାସନ କୌଣସି ପଦକ୍ଷେପ ନେଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।