ନିୟମ ମାନୁନି ଛତିଶଗଡ । ଚାହିଁଲେ ଓଡିଶାରେ ବନ୍ୟା କରୁଛି, ଚାହିଁଲେ ମରୁଡି କରୁଛି । 

320

କନକ ବ୍ୟୁରୋ: ଜୀବନ ବିକଳରେ ଆଲୋଚନା ଟେବଲକୁ ଆସିଲା ଛତିଶଗଡ । କରୋନାର ଆଳ ଦେଖାଇ ଦୁଇ ଦୁଇ ଥର ଆଲୋଚନାକୁ ଟାଳି ଆସୁଥିବା ପଡୋଶୀ ଘରେ ଏବେ ପାଣି ପଶିଛି । ଆଉ ଏଥିପାଇଁ ହୀରାକୁଦ ନଦୀ ବନ୍ଧ ଏବଂ ଓଡିଶାର ଜଳପରିଚାଳନା ନୀତିକୁ ଦାୟୀ କରିଛନ୍ତି ଛତିଶଗଡ ସରକାର । କିଛି ବାଟ ନପାଇ ଶେଷରେ ଓଡିଶାର ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଛନ୍ତି ଛତିଶଗଡର ମୁଖ୍ୟ ଶାସନ ସଚିବ ।

  • ନିୟମ ମାନୁନି ଛତିଶଗଡ
  • ଓଡିଶାକୁ କରୁନି ସହଯୋଗ

ଛତିଶଗଡ ହାତରେ ରିମୋଟ କଣ୍ଟ୍ରୋଲ । ଚାହିଁଲେ ଓଡିଶାରେ ବନ୍ୟା କରୁଛି, ଚାହିଁଲେ ମରୁଡି କରୁଛି । ମହାନଦୀର ଉପର ମୁଣ୍ଡରେ ବ୍ୟାରେଜ କରି ଓଡିଶାର ପାଣିକୁ ଅଟକାଇ ଗୋଟିଏ ପରେ ଗୋଟିଏ ଚାଲ ଖେଳୁଛି । କିନ୍ତୁ ଏସବୁ ଭିତରେ ଚଳିତ ବନ୍ୟାରେ ଛତିଶଗଡର ଆଉ ଏକ ଖେଳ ସାମ୍ନାକୁ ଆସିଛି । ସିଡବ୍ଲୁସି ନିୟମ ଅନୁସାରେ ପ୍ରତିବର୍ଷ ବନ୍ୟା ଆସିବା ପୂର୍ବରୁ ଜଳ ପରିଚାଳନା ନେଇ ବୈଠକ ବସିଥାଏ । କିନ୍ତୁ ଏହି ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି ଛତିଶଗଡ ସରକାର । ଆଉ ଏହି କଥାକୁ ଆଜି ମିଡିଆ ଆଗରେ ରଖିଛନ୍ତି ଖୋଦ ଏସଆରସି ପ୍ରଦୀପ କୁମାର ଜେନା । କହିଛନ୍ତି, ଛତିଶଗଡ ପରିଚାଳନା ନେଇ ଓଡିଶା-ଛତିଶଗଡ ମଧ୍ୟରେ ବୈଠକ ହେଉ ନାହିଁ । ଦୁଇ ବର୍ଷ ହେଲା ବନ୍ୟା ନିୟନ୍ତ୍ରଣ ବୈଠକ ବସି ପାରୁନି । ଆଉ ଏ ବୈଠକ ନେଇ ଛତିଶଗଡ ଆଗ୍ରହ ଦେଖାଉ ନାହିଁ କି ସହଯୋଗ କରୁନାହିଁ ।

ଲଘୁଚାପ ଜନିତ ଲଗାଣ ବର୍ଷା ପରେ ବନ୍ୟାରେ ଉବୁଟୁବୁ ହେଲା ଛତିଶଗଡ । ଖରାଦିନେ ପାଣି ଛାଡିବାକୁ ନାରାଜ ଥିବା ଛତିଶଗଡ କିନ୍ତୁ ବନ୍ୟାରେ ସ୍ଥିତି ଅସମ୍ଭାଳ ହେବା ପରେ ଓଡିଶା ଉପରେ ଚାପ ପକାଇଥିଲା ହୀରାକୁଦର ଅଧିକ ଗେଟ ଖୋଲିବା ପାଇଁ । କିନ୍ତୁ ଶିଳ୍ପ ଉଦ୍ୟୋଗ ପାଇଁ ମହାନଦୀର ପାଣିକୁ ବେଆଇନ ଭାବେ ଅନେକ ବ୍ୟାରେଜ କରି ପାଣି ଅଟକାଉଛି । ହେଲେ ବର୍ଷା ଦିନେ ଏହା ଛତିଶଗଡ ପାଇଁ ବୁମେଂରା ସାବ୍ୟସ୍ତ ହୋଇଛି । ତେଣୁ ଏହି ଛତିଶଗଡର ବନ୍ୟା ଓଡିଶା ଉପରେ ପ୍ରଭାବ ପକାଉଛି । ଛତିଶଗଡ ଏବଂ ଓଡିଶା ଜଳ ବିବାଦ ଭିତରେ ଆଜି ଓଡିଶା ଓ ଛତିଶଗଡର ମୁଖ୍ୟ ଶାସନ ସଚିବଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ହେଲେ ଜଳ ବିବାଦ ସଂପର୍କରେ ଆଲୋଚନା ନହୋଇ ପରିବେଶ ମଞ୍ଜୁରୀ ସଂପର୍କରେ ଚର୍ଚ୍ଚା ହୋଇଥିବା ଖବର ମିଳିଛି ।