କେନ୍ଦ୍ରକୁ ମହଙ୍ଗା ଚିନ୍ତା । ଜୁନ୍ ପହିଲାରୁ ଚିନି ରପ୍ତାନୀ ଉପରେ ରୋକ

306

କନକ ବ୍ୟୁରୋ : ଦରବୃଦ୍ଧି ନିୟନ୍ତ୍ରଣ ପାଇଁ ଆକ୍ସନରେ କେନ୍ଦ୍ର ସରକାର । ଚିନି ରପ୍ତାନୀ ଉପରେ ଲାଗିଲା ରୋକ୍ । ଜୁନ୍ ୧ରୁ ଚିନି ରପ୍ତାନୀ ଉପରେ ରୋକ୍ ଲାଗିବ । ଆସନ୍ତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଚିନି ରପ୍ତାନୀ ଉପରେ କେନ୍ଦ୍ର ସରକାର କଟକଣା ଲଗାଇଛନ୍ତି । ଭାରତ ବାର୍ଷିକ ୨୦ ଲକ୍ଷ ମେଟ୍ରିକ୍ ଟନ୍ ଚିନି ରପ୍ତାନୀ କରିଥାଏ । ଏହା ଉପରେ ଏବେ ରୋକ୍ ଲଗାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ।

ଭାରତ ବିଶ୍ୱର ସର୍ବବୃହତ ଚିନି ଉତ୍ପାଦନକାରୀ ଏବଂ ବ୍ରାଜିଲ ପରେ ଦ୍ୱିତୀୟ ବୃହତ୍ ରପ୍ତାନିକାରୀ । ଏହାର ପ୍ରମୁଖ ଗ୍ରାହକ ମଧ୍ୟରେ ବାଂଲାଦେଶ, ଇଣ୍ଡୋନେସିଆ, ମାଲେସିଆ ଏବଂ ଦୁବାଇ ଆଦି ସାମିଲ୍ ଅଛନ୍ତି । ସୂଚନାଯୋଗ୍ୟ, ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ବିଶ୍ୱ ବଜାରରେ ଖାଦ୍ୟ ସାମଗ୍ରୀ ଦର ଆକାଶ ଛୁଇଁଛି । ବିଶ୍ୱବ୍ୟାପୀ ରାଷ୍ଟ୍ରଗୁଡିକ ସ୍ଥିତକୁ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି ।

ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଅଙ୍କୁଶ ଲଗାଇବା ପାଇଁ ସରକାରମାନେ ବିଭିନ୍ନ ସାମଗ୍ରୀର ରପ୍ତାନୀ ଉପରେ କଟକଣା ଲଗାଇ ଆସୁଛନ୍ତି । ଜୁନ୍ ୧ରୁ ମାଲେସିଆ ଚିକେନ୍ ରପ୍ତାନୀ ଉପରେ ରୋକ୍ ଲଗାଇବାକୁ ଯାଉଛି ।  ଇଣ୍ଡୋନେସିଆ କିଛି ଦିନ ତଳେ ଅସ୍ଥାୟୀ ଭାବେ ପାମ୍ ଅଏଲ୍ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲା । ଭାରତ ଗହମ ରପ୍ତାନୀ ଉପରେ କଟକଣା ଲଗାଇଛି । ସର୍ବିଆ ଏବଂ କାଜିକସ୍ତାନ ଶସ୍ୟ ରପ୍ତାନୀ ଉପରେ କୋଟା ବ୍ୟବସ୍ଥା କରିଛନ୍ତି ।