ଭାରତ-ଓପେକର ଚତୁର୍ଥ ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ରମନ୍ତ୍ରୀ ସାମିଲ: ଭାରତରେ ପୁଞ୍ଜିନିବେଶ କରିବା ପାଇଁ ଓପେକ୍ ସଦସ୍ୟ ରାଷ୍ଟ୍ରମାନଙ୍କୁ ନିମନ୍ତ୍ରଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

75

 • ଉର୍ଜା କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱକୁ ଓପେକର ସେକ୍ରେଟାରୀ ଜେନେରାଲ ମହମ୍ମଦ ବାର୍କିଣ୍ଡୋଙ୍କ ପ୍ରଶଂସା
• ଉର୍ଜା କ୍ଷେତ୍ରରେ ଭାରତକୁ ଉତ୍ପାଦନ ହବରେ ପରିଣତ କରିବା ପାଇଁ ମିଳିତ ଭାବେ କାମ କରିବାକୁ ଆହ୍ୱାନ
• ଓପେକ୍ ଭାରତ ସହ ମିଳିତ ଭାବରେ କାମ କଲେ ଉର୍ଜା ଚାହିଦାରେ ଅଭିବୃଦ୍ଧି ହେବ
• କରୋନା ସମୟରେ ଭାରତକୁ ଅତିରିକ୍ତ ଏଲପିଜି ଯୋଗାଇ ଦେଇଥିବାରୁ ଓପେକକୁ ଧନ୍ୟବାଦ ଦେଲେ
• ବୈଠକରେ ପେଟ୍ରୋଲିୟମ ମନ୍ତ୍ରଣାଳୟର ସଚିବ ଓ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ

କନକ ବ୍ୟାରୋ : ଭାରତ-ଓପେକ୍ ଉର୍ଜା ସମ୍ବାଦର ଚତୁର୍ଥ ଉଚ୍ଚସ୍ତରୀୟ ଭର୍ଚୁଆଲ୍ ବୈଠକରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତକୁ ଉର୍ଜା କ୍ଷେତ୍ରର ଏକ ଉତ୍ପାଦନ ହବରେ ପରିଣତ କରିବା, ଗ୍ୟାସ ଭିତ୍ତିଭୂମିକୁ ମଜବୁତ କରିବା ଏବଂ ଦ୍ୱିତୀୟ ପର୍ୟ୍ୟାୟରେ ବ୍ୟବସାୟିକ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ଭଣ୍ଡାର ନିର୍ମାଣ କରିବା ପାଇଁ ଭାରତରେ ପୁଞ୍ଜିନିବେଶ କରିବାକୁ ଓପେକର ସଦସ୍ୟ ରାଷ୍ଟ୍ରମାନଙ୍କୁ ନିମନ୍ତ୍ରଣ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଭାରତର ଉର୍ଜା ସୁରକ୍ଷାରେ ଓପେକ୍ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ହୋଇପାରିଛି । ଓପେକ୍ ଭାରତ ସହ ମିଳିତ ଭାବରେ କାମ କଲେ ଉର୍ଜା ଚାହିଦାରେ ଅଭିବୃଦ୍ଧି ହେବ । ଉର୍ଜା ବଜାରରେ ବୃଦ୍ଧି ପରିଲକ୍ଷିତ ହେବ । ଓପେକ ଏବଂ ଭାରତ ପାରସ୍ପରିକ ଲାଭ ପାଇବା ସହ ଉଭୟ ସହଭାଗୀ ବଢ଼ାଇବା ପାଇଁ ମିଳିତ ଭାବରେ କାର୍ୟ୍ୟ କରିବେ ବୋଲି ଶ୍ରୀ ପ୍ରଧାନ ଆଶାପ୍ରକଟ କରିଛନ୍ତି।

ସେହିପରି ବିଶ୍ୱରେ ଯେଉଁ ଆରô୍ଥକ ପରିସ୍ଥିତି ଦେଖାଦେଇଛି ତାହାକୁ ସୁଧାରିବା ଲାଗି ତୈଳ ଉତ୍ପାଦନକାରୀ ଓ ଆମଦାନିକାରୀ ଦେଶ ଯେପରି ଦାୟିତ୍ୱ ସମ୍ପନ୍ନ ଭାବେ କାର୍ୟ୍ୟ କରିବେ ତାହା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି । କୋଭିଡ-୧୯ କାରଣରୁ ବିଶ୍ୱ ତୈଳ ଏବଂ ଗ୍ୟାସ ବଜାରରେ ଆସିଥିବା ପରିବର୍ତ୍ତନକୁ ଭଲ ଭାବରେ ତଦାରଖ କରିବା ପାଇଁ ଶ୍ରୀ ପ୍ରଧାନ ଓପେକକୁ ଆହ୍ୱାନ କରିଥିଲେ । ଫଳରେ କୋଭିଡ-୧୯ ପରିବର୍ତ୍ତୀ ସମୟରେ ଭାରତ ଓ ଓପେକ୍ ମିଳିତ ଭାବରେ ଉର୍ଜା ଚ୍ୟାଲେଞ୍ଜକୁ ସମ୍ମୁଖୀନ କରିପାରିବ ବୋଲି ସେ କହିଥିଲେ । କରୋନା ସମୟରେ ଭାରତକୁ ଅତିରିକ୍ତ ଏଲପିଜି ଯୋଗାଇ ଦେଇଥିବାରୁ ଶ୍ରୀ ପ୍ରଧାନ ଓପେକର କାର୍ୟ୍ୟକୁ ଶ୍ରୀ ପ୍ରଧାନ ପ୍ରଶଂସା କରିବା ସହ ଧନ୍ୟବାଦ ଦେଇଥିଲେ । ଓପେକର ସେକ୍ରେଟାରୀ ଜେନେରାଲ ମହମ୍ମଦ ବାର୍କିଣ୍ଡୋ ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱକୁ ପ୍ରଶଂସା କରିଥିଲେ ଏବଂ ଭାରତର ଉର୍ଜା ପରିବର୍ତ୍ତନର ଯାତ୍ରାରେ ଓପେକ୍ ସାମିଲ ହେବାକୁ ଇଚ୍ଛା ରଖିଥିବା ମତବ୍ୟକ୍ତ କରିଥିଲେ ।

ଏହାସହ ସେ ଭାରତର ତୈଳ ଓ ଗ୍ୟାସ କ୍ଷେତ୍ରର ବିକାଶ ଏବଂ ଇଣ୍ଡିଆ ଏନର୍ଜି ଫୋରମ୍ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଲ୍ଲେଖିତ ୭ ଟି ପ୍ରମୁଖ ଉର୍ଜା ଡ୍ରାଇଭର ଦ୍ୱାରା ପରିଚାଳିତ ଭାରତର ଉର୍ଜା ଏଜେଣ୍ଡାକୁ ପ୍ରଶଂସା କରିଛନ୍ତି । ଏହି ଭର୍ଚୁଆଲ ବୈଠକରେ ବିଶ୍ୱ ଉର୍ଜା ଦୃଶ୍ୟପଟ୍ଟରେ ପରିବର୍ତ୍ତନ, ବିଶ୍ୱ ତୈଳ ମୂଲ୍ୟ ପ୍ରସଙ୍ଗ, ତୈଳ ବଜାରକୁ ସମନ୍ୱୟ ରଖିବା ପାଇଁ ଓପେକ୍ ଦ୍ୱାରା ନିଆଯାଇଥିବା ବୃହତ ପଦକ୍ଷେପ ଏବଂ ଭାରତ ପାଇଁ ତୈଳ ଯୋଗାଣ ସୁରକ୍ଷାକୁ ନିଶ୍ଚିତ କରିବା ଉପରେ ଆଲୋଚନା ହୋଇଥିଲା । କାର୍ୟ୍ୟକ୍ରମରେ ଓପେକର ସଦସ୍ୟ ରାଷ୍ଟ୍ରଗୁଡ଼ିକର ପ୍ରମୁଖମାନେ ସାମିଲ ହୋଇଥିଲେ । ଏହାସହ ପେଟ୍ରୋଲିୟମ ମନ୍ତ୍ରଣାଳୟର ସଚିବ ଏବଂ ଭାରତର ତୈଳ ଓ ଶିଳ୍ପର ସମସ୍ତ ସରକାରୀ ଓ ବେସରକାରୀ ସ୍ତରର ଏମଡ଼ି ଓ ସିଏମଡ଼ିମାନେ ସାମିଲ ହୋଇଥିଲେ ।