ସିବିଆଇ ପାଇଁ ଦ୍ୱାର ବନ୍ଦ୍ କଲେ ଝାରଖଣ୍ଡ ସରକାର । ତଦନ୍ତ କରିବାକୁ ହେଲେ ନେବାକୁ ପଡିବ ରାଜ୍ୟସରକାରଙ୍କ ଅନୁମତି ।

554

କନକ ବ୍ୟୁରୋ : କେନ୍ଦ୍ରସରକାର ଯେଭଳି ଭାବେ ଧିରେ ଧିରେ ରାଜ୍ୟସରକାରଙ୍କ ନିକଟରେ ଥିବା ବିଭିନ୍ନ କ୍ଷମତାକୁ ସଂକୋଚିତ କରି ନିଜ ହାତକୁ ନେବାକୁ ବସିଛି ରାଜ୍ୟସରକାର ମାନେ ବି ସେମିତି ଭାବେ ନିଜ ନିଜ କ୍ଷମତାର ଦୂରୋପଯୋଗ କରିବାରେ ଲାଗିଛନ୍ତି । ଦେଶର ସର୍ବୋର୍ଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇ ଉପରେ ଜନତାଙ୍କ ଆସ୍ଥା ତୁଟୁଥିବା ବେଳେ ଏବେ ଏହାକୁ ଆଳ କରି ରାଜ୍ୟସରକାର ମାନେ ବି ସିବିଆଇ ତଦନ୍ତ ଉପରେ ବିଶ୍ୱାସ ହରାଇବାକୁ ବସିଛନ୍ତି ।

ରାଜସ୍ଥାନ, ମହାରାଷ୍ଟ୍ର ଏବଂ କେରଳ ପରେ ଝାଡଖଣ୍ଡ ସରକାର ରାଜ୍ୟରେ ତଦନ୍ତ କରିବାକୁ ସିବିଆଇକୁ ଦିଆଯାଇଥିବା ସହମତି ପ୍ରତ୍ୟାହାର କରି ନେଇଛନ୍ତି । ତେଣୁ ଏଣିକି ସିବିଆଇ ତଦନ୍ତ କରିବାକୁ ଝାରଖଣ୍ଡ ଯିବାକୁ ଚାହିଁବ ତେବେ ପ୍ରଥମେ ସେ ରାଜ୍ୟସରକାରଙ୍କ ଅନୁମତି ନେବାକୁ ପଡିବ । ଏନେଇ ଗୁରୁବାର ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଏଭଳି ପଦକ୍ଷେପ ଗ୍ରହଣ କରିବାରେ ଦେଶର ଅଷ୍ଟମ ରାଜ୍ୟ ଭାବେ ଝାରଖଣ୍ଡ ସରକାର ନିଷ୍ପତ୍ତି ନେଇଛନ୍ତି । ଏହା ପୂର୍ବରୁ ମହାରାଷ୍ଟ୍ର,ରାଜସ୍ଥାନ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ,ଛତିଶଗଡ ଆଦି ରାଜ୍ୟ ଗୁଡିକ ଅନୁରୂପ ନିଷ୍ପତ୍ତି ନେଇଥିଲେ ।  ସିବିଆଇ ଉପରେ ଏଭଳି ନିଷ୍ପତ୍ତି ନେଇଥିବା ରାଜ୍ୟ ଗୁଡିକ ଅଭିଯୋଗ କରିଛନ୍ତି କି ବିଜେପି ଶାସିତ କେନ୍ଦ୍ରସରକାର ରାଜନୈତିକ ବିରୋଧୀ ମାନଙ୍କୁ ହଇରାଣ କରିବାକୁ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ବା ସିବିଆଇର ଅପବ୍ୟବହାର କରୁଛନ୍ତି । ପ୍ରଥମଥର ପାଇଁ ୨୦୧୮ ମସିହାରେ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ଏଭଳି ନିଷ୍ପତ୍ତି ନେଇଥିଲେ । ଏହାପରେ ଆନ୍ଧ୍ରପ୍ରଦେଶର ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ସିବିଆଇ ପାଇଁ ଆନ୍ଧ୍ରପ୍ରଦେଶର ଦ୍ୱାର ବନ୍ଦ୍ କରିଥିଲେ । ସେହିଭଳି ୨୦୧୯ ଜାନୁଆରୀ ମାସରେ ଛତିଶଗଡର କଂଗ୍ରେସ ସରକାର ସିବିଆଇକୁ ଦେଇଥିବା ସାଧାରଣ ସମ୍ମତି ପ୍ରତ୍ୟାହାର କରିନେଲେ । ତେବେ ଚଳିତ ବର୍ଷ ଜୁଲାଇ ମାସରେ ରାଜସ୍ଥାନର ଅଶୋକ ଗେହଲୋଟ୍ ସରକାର ବି ସମାନ ନିଷ୍ପତ୍ତି ନେଇଥିଲେ । ଏହା ସହ କିଛିଦିନ ତଳେ ମହାରାଷ୍ଟ୍ର ସରକାର ଓ ଦୁଇଦିନ ତଳେ କେରଳ ବାମଫ୍ରଣ୍ଟ ସରକାର ବି ସିବିଆଇକୁ ବିନା ଅନୁମତିରେ ରାଜ୍ୟରେ ପ୍ରବେଶ ନକରିବାକୁ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନେଇଥିଲେ । ଅନ୍ୟପଟେ ଗୁରୁବାର ଦିନ ଝାରଖଣ୍ଡର ଜେଏମଏମ୍ ସରକାର ଏଭଳି ନିଷ୍ପତ୍ତି ନେବା ପରେ ଏହା ଦେଶର ସଂଘୀୟ ବ୍ୟବସ୍ଥା ପ୍ରତି ଉପହାସ ଭଳି ମନେ ହେଉଛି ।