ଏଚ୩ଏନ୨ ଭାଇରସକୁ ନେଇ ରାଜ୍ୟ ମାନଙ୍କୁ କେନ୍ଦ୍ରର ଚିଠି: ଓଡ଼ିଶାରୁ ଏପର୍ଯ୍ୟନ୍ତ ଚିହ୍ନଟ ହୋଇଛନ୍ତି ୫୯ ଜଣ ଏଚ୩ଏନ୨ ଭାଇରସ ଆକ୍ରାନ୍ତ

144

କନକ ବ୍ୟୁରୋ: ଚିନ୍ତା ବଢ଼ାଉଛି ‘ଏଚ୍୩ଏନ୍୨’ ଭୂତାଣୁ । କରୋନା ପରେ ମାଡ଼ି ଚାଲିଛି ଏହି ଭୂତାଣୁ । ବଢ଼ି ଚାଲିଛି ଥଣ୍ଡା, ଜ୍ୱର ଓ କାଶ ଆକ୍ରାନ୍ତଙ୍କ ସଂଖ୍ୟା । । ବିଭିନ୍ନ ରାଜ୍ୟରେ ‘ଇନ୍ଫ୍ଲ୍ୟୁଏଞ୍ଜା-ଏ’ର ଉପ-ପ୍ରଜାତି ‘ଏଚ୍୩ଏନ୍୨’ ଭୂତାଣୁ ଦ୍ୱାରା ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଗକୁ ଏହା ଆହୁରି ଅଧିକ ସଂକ୍ରାମକ ହେବ ବୋଲି ଆଶଙ୍କା କରାଯାଉଛି । ଆଉ ଏସବୁ ଭିତରେ ଏହି ଭୂତାଣୁରେ ଦେଶରେ ୨ଜଣଙ୍କର ମୃତ୍ୟୁ ହେବା ଖବର ଭୟକୁ ଆହୁରି ବଢ଼ାଇ ଦେଇଛି । ଗତ ୨/୩ମାସ ହେବ ଓଡ଼ିଶାରେ ଥଣ୍ଡା, ଜ୍ୱରରେ ପୀଡ଼ିତ ରୋଗୀଙ୍କ ସଂଖ୍ୟା ବଢ଼ିଥିବା ନଜରକୁ ଆସିଛି । ସେପଟେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସବୁ ରାଜ୍ୟକୁ ଚିଠି ଲେଖି ସର୍ତକ କରାଇବା ସହିତ ଗାଇଡ଼ଲାଇନ ଜାରି କରିଛନ୍ତି । ଏହି ଭୂତାଣୁକୁ ମୁକାବିଲା କରିବା ପାଇଁ କୋଭିଡ ବିରୋଧୀ ୫ ସ୍ୱତ୍ରୀ କାର୍ଯ୍ୟକ୍ରମ ଚାଲୁ ରଖିବାକୁ କୁହାଯାଇଛି । ଟେଷ୍ଟ, ଟ୍ରାକ, ଟ୍ରିଟମେଂଟ ଓ ଟିକାକରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ହସ୍ପିଟାଲଗୁଡ଼ିକ ପ୍ରସ୍ତୁତି ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାସ୍କ ପିନ୍ଧିବା ପାଇଁ କୁହାଯାଇଛି । ମେଡିକାଲ ବେଡ୍ ଓ ଅକ୍ସିଜେନ୍ ସିଲିଣ୍ଡର ରଖିବାକୁ କୁହାଯାଇଛି ।

ଏଚ୍୩ଏନ୍୨’ ଭୂତାଣୁକୁ ନେଇ ସର୍ତକ କଲା କେନ୍ଦ୍ର
ରାଜ୍ୟଗୁଡ଼ିକୁ ସର୍ତକ କରାଇଲା କେନ୍ଦ୍ର
ମେଡିକାଲ ବେଡ୍ ଓ ଅକ୍ସିଜେନ ସିଲିଣ୍ଡର ରଖିବାକୁ ପରାମର୍ଶ
ଟେଷ୍ଟ, ଟ୍ରାକ, ଟ୍ରିଟମେଂଟ ଓ ଟିକାକରଣ କରିବାକୁ ନିର୍ଦ୍ଦେଶ
ଓଡ଼ିଶାରେ ଚିହ୍ନଟ ହୋଇଛନ୍ତି ୫୯ଟି ଏଚ୍୩ଏନ୍୨’ ଭୂତାଣୁ

‘ଏଚ୍୩ଏନ୍୨’ର ଲକ୍ଷଣ
ଥଣ୍ଡା, ଜ୍ୱର ଓ କାଶ
ଗଳା ଦରଜ, ଶରୀରରେ ପୀଡ଼ା
ସାଧାରଣ ଥଣ୍ଡା ଠାରୁ ଅଧିକ ଦିନ ଧରି ଲକ୍ଷଣ ଦେଖାଦେବା
ଜ୍ୱର ଛାଡ଼ିବା ପରେ କାଶ ଲାଗି ରହିବା
ସିଜିନ୍ ପରବର୍ତ୍ତନ ହେବା ସମୟରେ ସକ୍ରିୟ ରହୁଛି ଭୂତାଣୁ
ଅଧିକ ସଂକ୍ରାମକ ହୋଇଥିବାରୁ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ବ୍ୟାପିଥାଏ
ଛୋଟ ପିଲା ଓ ୬୫ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କୁ ସହଜରେ ସଂକ୍ରମିତ କରିଥାଏ
ବିଭିନ୍ନ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ କ୍ଷେତ୍ରରେ ଘାତକ ହୋଇଥାଏ

କେମିତି ରୋକିହେବ ସଂକ୍ରମଣ?
ଲକ୍ଷଣ ଦେଖାଦେଲେ ମାସ୍କ ପିନ୍ଧିବା ସହ ଜନଗହଳି ସ୍ଥାନକୁ ନଯିବା
ନିଜକୁ ସଙ୍ଗରୋଧରେ ରଖିବା
କାଶିବା, ଛିଙ୍କିବା ସମୟରେ ମୁହଁକୁ ଢାଙ୍କି ରଖିବା
ଅଧିକ ବିଶ୍ରାମ ନେବା ସହ ଯଥେଷ୍ଟ ପାଣି ପିଇବା ଆବଶ୍ୟକ
ବାରମ୍ବାର ହାତ ଧୋଇବା କିମ୍ବା ସାନିଟାଇଜ୍ କରିବା
ବୟସ୍କ ବ୍ୟକ୍ତିଙ୍କ ଅଧିକ ଯତ୍ନ ନେବା
ଅକ୍ସିଜେନ୍ ମାତ୍ରା କମିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା