ବଦଳିଲା ସିବିଏସଇ ଢାଂଚା : ନିଜ ସ୍କୁଲରେ ଦେଇପାରିବେନି ମାଟ୍ରିକ୍ ପରୀକ୍ଷା

27

କନକ ବ୍ୟୁରୋ :  ଚଳିତ ବର୍ଷ ସିବିଏସଇର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଲାଗୁ ହେବ ପର୍ସେଂଟେଜ୍ ମାର୍କିଂ ସିଷ୍ଟମ୍ । ଉଚ୍ଛେଦ ହେବ ସିଜିପିଏ ବା କୁମୁଲେଟିଭ ଗ୍ରେଡ୍ ପଏଂଟ ଆଭରେଜ୍ ସିଷ୍ଟମ୍ । ଏଣିକି ସିବିଏସଇର ଦଶମ ଶ୍ରେଣୀରେ ଛାତ୍ରଛାତ୍ରୀ ପାଇବେ ନାହିଁ ସିଜିପିଏ ପଏଂଟ । ଗଲା ଦଶ ବର୍ଷ ହେଲା ଚାଲିଥିବା ସିଜିପିଏ ପଦ୍ଧତିକୁ ଉଚ୍ଛେଦ କରିଛି ସିବିଏସଇ ।

ଚଳିତ ବର୍ଷଠାରୁ ମାର୍କିଂ ସିଷ୍ଟମ କିଭଳି ରହିବ ଆସନ୍ତୁ ନଜର ପକାଇବା – ସିବିଏସଇର ଦଶମ ଶ୍ରେଣୀର ପ୍ରତି ବିଷୟରେ ୮୦ ମାର୍କ ଲିଖିତ ଭାବେ ବୋର୍ଡ ପକ୍ଷରୁ ପରୀକ୍ଷା କରାଯିବ । ଆଉ ୨୦ ମାର୍କ ସ୍କୁଲ ପକ୍ଷରୁ ହେଉଥିବା ପରୀକ୍ଷା, ପ୍ରାଟିକାଲ ପରୀକ୍ଷା ଭିତିରେ ନମ୍ବର ଦିଆଯିବ । ସ୍କୁଲରେ ହେଉଥିବା ୧୦ ମାର୍କିଆ ତିନିଟି ପିରିଓଡିକ୍ ଟେଷ୍ଟ ମଧ୍ୟରୁ ଯେଉଁ ଦୁଇଟି ପରୀକ୍ଷାରେ ଭଲ ନମ୍ବର ରଖିଥିବେ ତା’ର ହାରାହାରି ନମ୍ବର ମୂଳ ପରୀକ୍ଷା ମାର୍କରେ ମିଶାଯିବ ।
ସେହିଭଳି କ୍ଲାସ୍ ୱାର୍କ୍, ନୋଟ୍ ବୁକ୍ ସ୍ୱଚ୍ଛତା ଓ ବିଷୟ ସମ୍ପର୍କୀତ ଆକ୍ଟିଭିଟି ପାଇଁ ରଖାଯାଇଛି ଆଉ ୧୦ ମାର୍କ । ଏହି ୨୦ ନମ୍ବର ସଂପୃକ୍ତ ବିଦ୍ୟାଳୟ ପକ୍ଷରୁ ଦିଆଯିବ ।

ପୂର୍ବରୁ ଥିବା ସିଜିପିଏ ଢାଂଚାରେ ସ୍କୁଲ କର୍ତୁପକ୍ଷ ମନଇଛା ନିଜ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନମ୍ବର ଦେଉଥିଲେ । ଏଥିରେ ପକ୍ଷପାତିତା ହେଉଥିବା ଅଭିଯୋଗ ହେଉଥିଲା । ନୂଆ ବ୍ୟବସ୍ଥା ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ପ୍ରତିଯୋଗୀ ମନୋଭାବ ବଢିବ ବୋଲି ଆଶା କରାଯାଉଛି । ସିଜିପିଏ ବ୍ୟବସ୍ଥା ଦ୍ୱାରା ଯେତେ ଅଧିକ ନମ୍ବର ରଖିଲେ ମଧ୍ୟ ଛାତ୍ରଛାତ୍ରୀମାନେ କେବଳ ୧୦ ସିଜିପିଏ ପାଇଥାନ୍ତି । ମାର୍କିଂ ସିଷ୍ଟମ୍ ଦ୍ୱାରା ଏହା ଦୂର ହୋଇପାରିବ ।