କଣ ଧୋନୀ ଆଉ ଖେଳିବେନି ଆଇପିଏଲ? ଧୋନୀଙ୍କ ପାଇଁ କଣ ଏହା ଶେଷ ସିଜିନ? ଧୋନୀ ଜର୍ସି ଗିଫ୍ଟ ପରେ ଜୋର ଧରିଛି ଚର୍ଚ୍ଚା ।

408

କନକ ବ୍ୟୁରୋ : କଣ ଧୋନୀ ଆଉ ଖେଳିବେନି ଆଇପିଏଲ? ଧୋନୀଙ୍କ ପାଇଁ କଣ ଏହା ଶେଷ ସିଜିନ? ଏଭଳି ପ୍ରଶ୍ନକୁ ନେଇ ଏବେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ଅନ୍ତର୍ଜୀତୀୟ କ୍ରିକେଟରୁ ଅବସର ନେବା ପରେ ଆଇପିଏଲ ଖେଳୁଥିବା ଧୋନୀଙ୍କ କ୍ୟାରିୟରକୁ ନେଇ ଏବେ ପୁଣି କଳ୍ପନା ଜଳ୍ପନା ଆରମ୍ଭ ହୋଇଛି । ଏକଥା ଆମେ କହୁନୁ, ଏକଥା ଗତ ଶୁକ୍ରବାର ମୁମ୍ବାଇ ବିପକ୍ଷ ମ୍ୟାଚରେ ଏକ ମୂହୁର୍ତ୍ତରୁ ସ୍ପଷ୍ଟ ବାରି ହୋଇପଡୁଛି । ମ୍ୟାଚ ସରିବା ପରେ ମହେନ୍ଦ୍ର ସିଂ ଧୋନୀ ନିଜ ଜର୍ସିକୁ ପାଣ୍ଡ୍ୟ ବ୍ରଦର୍ସଙ୍କୁ ଗିପ୍ଟ କରିଥିଲେ । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଅନ୍ତର୍ଜୀତୀୟ କ୍ରିକେଟରୁ ଅବସର ନେବା ପରେ ଧୋନୀ ଏବେ ଆଇପିଏଲ ଜାରି ରଖିଛନ୍ତି । ତେବେ ୨୦୨୧ରୁ ଧୋନୀ ଆଇପିଏଲ ଖେଳିବେନା ନାହିଁ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି । ଏଭଳି ପ୍ରଶ୍ନ ଏବେ ଫ୍ୟାନମାନଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଛି । କାରଣ ଗତ ଦୁଇଟି ମ୍ୟାଚରୁ ଧୋନୀ ନିଜ ଜର୍ସି ବିପକ୍ଷ ଦଳର ଖେଳାଳିଙ୍କୁ ଗିପ୍ଟ କରୁଛନ୍ତି । ରାଜସ୍ଥାନ ବିପକ୍ଷ ମ୍ୟାଚରେ ଜୋସ ବଟଲରଙ୍କୁ ଜର୍ସି ଦେଇଥିବା ବେଳେ ଏବେ ପାଣ୍ଡ୍ୟା ବ୍ରଦର୍ସଙ୍କୁ ନିଜ ଜର୍ସି ଦେଇଛନ୍ତି ଧୋନୀ ।

୨୦୧୯ ବିଶ୍ୱକପ ପରେ ଧୋନୀ କ୍ରକେଟରୁ ବିଶ୍ରାମ ନେଇଯାଇଥିଲେ । ପରେ ତାଙ୍କୁ ଆଉ ଦଳରେ ସ୍ଥାନ ମିଳିନଥିଲା । ଚଳିତ ଆଇପିଏଲ ପୂର୍ବରୁ ସେ ଅନ୍ତର୍ଜାତୀୟ କ୍ରିକେଟରୁ ହଠାତ ଅବସର ଘୋଷଣା କରିଥିଲେ । ଯାହା ଫ୍ୟାନମାନଙ୍କୁ ଅନେକ ମାତ୍ରାରେ ନିରାଶ କରିଥିଲା । ବର୍ତ୍ତମାନ ପୁଣି ଏଭଳି ଘଟଣାକୁ ନେଇ ଧୋନୀଙ୍କ ଆଇପିଏଲ ଖେଳିବା ଚର୍ଚ୍ଚା ଆରମ୍ଭ ହୋଇଛି ।

ଚଳିତ ଆଇପିଏଲରେ ଧୋନୀଙ୍କ ନୈରାଶ୍ୟଜନକ ପ୍ରଦର୍ଶନ କ୍ରିକେଟ ପ୍ରେମୀଙ୍କୁ ନିରାଶ କରିଛି । ଚେନ୍ନାଇ ଏଥର ଆଇପିଏଲରେ ୧୧ଟି ମ୍ୟାଚ ଖେଳିବା ପରେ ୩ଟି ବିଜୟ ଓ ୮ଟି ପରାଜୟ ସହ ପଏଣ୍ଟ ଟେବୁଲର ସବାଶେଷରେ ରହିଛି । ଆଇପିଏଲ ଇତିହାସରେ ଚେନ୍ନାଇ ପ୍ରଥମ ଥର ପାଇଁ ଏଭଳି ଖରାପ ପ୍ରଦର୍ଶନ କରିଛି । ଅନ୍ୟପକ୍ଷରେ ଧୋନୀ ମଧ୍ୟ ଚଳିତ ଆଇପିଏଲରେ ଖାସ ପ୍ରଦର୍ଶନ କରିପାରିନାହାନ୍ତି ।