କୃଷ୍ଣସାଗରରେ ସମରସଜ୍ଜା: ସମୁଦ୍ରଗର୍ଭରେ ହେବ କି ମହାଯୁଦ୍ଧ?

205

କନକ ବ୍ୟୁରୋ: ୬୯ଦିନରେ ପହଁଚିଛି ରୁଷ ଓ ୟୁକ୍ରେନ ଯୁଦ୍ଧ । ଆକାଶପଥରୁ ୟୁକ୍ରେନ ଛାତିରେ ବୋମା ବର୍ଷା କରିଚାଲିଛି ପୁଟିନ ବାହୀନୀ । ସେପଟେ ସ୍ଥଳପଥରେ ବି ଧୁଆଁଧାର ଆକ୍ରମଣ ଜାରି ରହିଛି । ଏହା ଭିତରେ ଜଳପଥରେ ମଧ୍ୟ ଆରମ୍ଭ ହୋଇଯାଇଛି ଯୁଦ୍ଧ । ସୂଚନା ଅନୁସାରେ ଫ୍ରାନ୍ସ, ଯୁକ୍ତରାଷ୍ଟ୍ର ଆମେରିକା ଓ ୟୁନାଇଟେଡ କିଙ୍ଗଡମ ଏବେ ନିଜ ନିଜର ଆଣବିକ ଯୁଦ୍ଧପୋତ ଓ ବୁଡାଜାହଜଗୁଡିକୁ ଗ୍ଲାସଗୋ ନିକଟସ୍ଥ ସ୍କଟଲ୍ୟାଣ୍ଡର ଫସଲେନ ନାଭାଲ ବେସରେ ମୁତୟନ କରିଛନ୍ତି ।

ଆଣବିକ ଚାଳିତ ଆକ୍ରମଣକାରୀ ବୁଡାଜାହଜ ୟୁଏସଏସ ଇଣ୍ଡିଆନା ଏପ୍ରିଲ ୨୭ ତାରିଖରେ ସ୍କଟଲ୍ୟାଣ୍ଡର ସ୍ଲାଇଡରେ ଥିବା ମହାରାଜା ନାଭାଲବେସ ଆଡକୁ ଅଗ୍ରସର ହେଉଥିବା ଦେଖିବାକୁ ମିଳିଥିଲା ।ସେହିପରି ଫ୍ରାନ୍ସ ସେନାର ରୁବିସ ଶ୍ରେଣୀର ଆଣବିକ ଚାଳିତ ବୁଡାଜାହଜ ଏହାର ଠିକ ଦିନକ ପରେ ସେଠରେ ପହଁଚିଥିବା ସୂଚନା ରହିଛି । କେବଳ ସେତିକି ନୁହେଁ ନାଭାଲବେସରେ ମୃତୟନ ବୁଡାଜାହଜ ମଧ୍ୟରେ ପରମାଣୁ ଚାଳିତ ଭାନଗାର୍ଡ ଶ୍ରେଣୀର ବାଲିଷ୍ଟିକ କ୍ଷେପଣାସ୍ତ୍ର ସଜ୍ଜିତ ବୁଡାଜାହଜ ଓ ଆଷ୍ଟ୍ୟୁଟ୍ ଶ୍ରେଣୀର ଆକ୍ରମଣକାରୀ ବୁଡାଜାହଜ ମଧ୍ୟ ରହିଛି ।

ୟୁକ୍ରେନକୁ ସମର୍ଥନ କରୁଥିବା ନେଇ କ୍ରେମଲିନ ବାରମ୍ବାର ବ୍ରିଟେନକୁ ଧମକ ଦେଇ ଆସୁଛି । ଏହା ପରେ କୃଷ୍ଣସାଗରକୁ ନିଜ ସେନା ସହ ଏହି ୩ ଦେଶ ଓହ୍ଲାଇଥିବା ନେଇ ସୂଚନା ମିଳୁଛି । ଅନ୍ୟପଟେ ଆମେରିକା ନିଜର ସାମଥ୍ୟ ପ୍ରଦର୍ଶନ ଓ ନାଟୋ ସହଯୋଗୀମାନଙ୍କ ପ୍ରତି ପ୍ରତିବଦ୍ଧତାକୁ ଏହା ମାଧ୍ୟମରେ ପୁଣି ଦେଖାଇଛି ।

ତେଣୁ ଏଠାରେ ପ୍ରଶ୍ନ ଉଠୁଛି ନାଟୋ ଦେଶମାନଙ୍କୁ କୃଷ୍ଣସାଗରରୁ ଦୂରେଇ ରଖିବା ପାଇଁ ରଷର ନୂଆ ରଣନୀତି କଣ ହେବ? ନାଟୋ ଦେଶ ଓ କୃଷ୍ଣ ସାଗର ମଧ୍ୟରେ ବଫର ଜୋନ କରିବ କି ଋଷ? ୩୦୦ ବର୍ଷର ଇତିହାସ କହୁଛି ନିଜ ହାତରେ କୃଷ୍ଣସାଗରକୁ ରଖିବା ପାଇଁ ପୂର୍ବର ରୁଷ ଅନ୍ୟ ଦେଶମାନଙ୍କ ସହ ମୁହାଁମୁହିଁ ହୋଇସାରିଛି ଓ ଆବଶ୍ୟକ ପଡିଲେ ପୁଣି ମୁହାଁମୁହିଁ ହେବାକୁ ମଧ୍ୟ ପ୍ରସ୍ତୁତ ଅଛି ।