କାଳବୈଶାଖୀ ବର୍ଷା : ଆଜି ପାଇଁ ୨୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

କଟକ, ଭୁବନେଶ୍ୱର, ବାଲେଶ୍ୱରରେ ଜୋରଦାର କାଳବୈଶାଖୀ ବର୍ଷା  । ରାଜଧାନୀ ରାସ୍ତା ଉପରେ ଲହଡି ଭାଙ୍ଗିଲା ଆଣ୍ଠୁଏ ଉଚ୍ଚର ପାଣି

1,807

କନକ ବ୍ୟୁରୋ : ରାଜ୍ୟର ୨୦ଟି ଜିଲ୍ଲାରେ ଆଜି ହୋଇପାରେ କାଳବୈଶାଖୀ ବର୍ଷା । ଏଥିପାଇଁ ୨୦ ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କାଳବୈଶାଖୀ ବର୍ଷା ହେବାକୁ ଥିବା ଜିଲ୍ଲାଗୁଡିକ ହେଉଛି ମାଲକାନଗିରି, ରାୟଗଡା, କୋରାପୁଟ, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ, ଅନୁଗୁଳ, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ ଓ ସୁନ୍ଦରଗଡ । ଏସବୁ ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟାରେ ବିଜୁଳି ଘଡଘଡି ସହ କାଳବୈଶାଖୀ ବର୍ଷା ହେବା ସମ୍ଭାବନା ରହିଛି । ଗୋଟିଏ ଦୁଇଟି ସ୍ଥାନରେ ଘଣ୍ଟାପ୍ରତି ୪୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଗତ କିଛି ଦିନର ପ୍ରଚଣ୍ଡ ତାତି ପରେ ଗତ ସନ୍ଧ୍ୟାରେ କାଳବୈଶାଖୀ ବର୍ଷା ଆଶ୍ୱସ୍ତି ଆଣି ଦେଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି । ସନ୍ଧ୍ୟାରେ ଝିପି ଝିପି ବର୍ଷାରେ ଭିଜିଥିଲା ଟୁଇନ ସିଟି ଭୁବନେଶ୍ୱର ଓ କଟକ ସହର । ରାଜଧାନୀରେ ସନ୍ଧ୍ୟାରେ ଝିପି ଝିପି ବର୍ଷା ହୋଇଥିବା ବେଳେ ସନ୍ଧ୍ୟା ପରେ ପ୍ରବଳ ବର୍ଷା ହୋଇଥିଲା । ରାତି ପ୍ରାୟ ୮ଟାରୁ ରାତି ୧୨ଟା ଯାଏ ଲାଗି ରହିଥିଲା ବର୍ଷା । ସେପଟେ ବାଲେଶ୍ୱର ଓ ଭଦ୍ରକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି । ଲୋକେ ବର୍ଷାରେ ଭିଜି ଭିଜି ଘରକୁ ଫେରୁଥିବା ଦେଖିବାକୁ ମିଳିଛି । ଗତକାଲି ପାଇଁ ୧୬ଟି ଜିଲ୍ଲାକୁ କାଳବୈଶାଖି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଥିଲା ଆଂଚଳିକ ପାଣିପାଗ କେନ୍ଦ୍ର ।

କାଳବୈଶାଖୀ ବର୍ଷା ପରେ ବର୍ଷା ଦିନ ଭଳି ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଜମି ରହିଥିଲା ପାଣି । ଏ ହେଉଛି ଏସପ୍ଲାନଡେ ସପିଂ ମଲ ସମ୍ମୁଖରୁ ବମିଖାଲ ପର୍ଯ୍ୟନ୍ତ ରାସ୍ତାର ଗତ ରାତିର ଦୃଶ୍ୟ । ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଚାଲିଛି । ବର୍ଷା ପାଣି ସହ ଡ୍ରେନ୍ ପାଣି ବି ମିଶି ଯାଇଛି । ଜଳାଶୟର ଭ୍ରମ ସୃଷ୍ଟି କରୁଛି ରାଜଧାନୀର ଏହି ରାସ୍ତା । ଦୀର୍ଘ ସମୟ ଧରି ଜମି ରହିଥିଲା ପାଣି । ରାସ୍ତାରେ ପାଣି ଜମି ରହିବାରୁ ସେହି ବାଟ ଦେଇ ରସୁଲଗଡ ଆଡକୁ ଯାଉଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ବିଶେଷକରି ବାଇକ, ସାଇକେଲରେ ଆସୁଥିବା ଲୋକ , ଚାଲି ଚାଲି ଆସୁଥିବା ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । କିଛି ଉପାୟ ନପାଇ ସେହି ନର୍ଦମା ପାଣି ଭିତରେ ପଶି ଯିବାକୁ ବାଧ୍ୟ ହେଉଥିଲେ । ପ୍ରଶ୍ନ ଉଠୁଛି କାଳବୈଶାଖୀ ବର୍ଷାରେ ଯଦି ରାଜଧାନୀର ଅବସ୍ଥା ଏମିତି ଆଗକୁ ବର୍ଷା ଋତୁରେ କଣ ହେବ । ମହାନଗର ନିଗମ କର୍ତୁପକ୍ଷ ଏବେଠାରୁ ସଜାଗ ହୋଇ ପଦକ୍ଷେପ ନନେଲେ, ବର୍ଷା ଦିନରେ ରାଜଧାନୀରେ ଜଳ ନିଷ୍କାସନ ଏକ ବିରାଟ ସମସ୍ୟା ହେବାର ଆଶଙ୍କା ସୃଷ୍ଟି ହୋଇଛି ।