ଋଷ ରାଷ୍ଟ୍ରପତି ପୁଟିନ କ୍ୟାନସରରେ ପୀଡିତ ନେଇ ଚର୍ଚ୍ଚା: ଅପରେସନ ହେବ ବୋଲି ଆମେରିକୀୟ ଗଣମାଧ୍ୟମ କରିଛି ରିପୋର୍ଟ

164

କନକ ବ୍ୟୁରୋ: ଋଷ-ୟୁକ୍ରେନ ଭୟାବହ ଯୁଦ୍ଧ ଭିତରେ ଏବେ ଆଉ ଏକ ବଡ ଖବରକୁ ନେଇ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି । ୟୁକ୍ରେନ ଉପରେ ବର୍ବରତା କାଣ୍ଡ ଘଟାଇ ସାରା ବିଶ୍ୱକୁ ସ୍ତବ୍ଧ କରିଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ କର୍କଟ ରୋଗରେ ପୀଡିତ ଥିବା କିଛି ଅର୍ନ୍ତଜାତୀୟ ଗଣମାଧ୍ୟମ ସଂସ୍ଥା ଦାବି କରୁଛନ୍ତି । ୟୁକ୍ରେନ ସହ ଯୁଦ୍ଧ ଚାଲିଥିବାବେଳେ ପୁଟିନ ଅସ୍ଥାୟୀଭାବେ ଶାସନ କ୍ଷମତାକୁ ହସ୍ତାନ୍ତର କରି ଅସ୍ତ୍ରୋପଚାର ପାଇଁ ଯିବାକୁ ପ୍ରସ୍ତୁତ ଖବର ମଧ୍ୟ ଆସୁଛି । ଏଭଳି ଘଡିସନ୍ଧି ମୁହୁର୍ତରେ ପୁଟିନ କାହାରକୁ କ୍ଷମତା ହସ୍ତାନ୍ତର କରିବେ? ଯୁଦ୍ଧ ଭିତରେ କିଏ ସମ୍ଭାଳିବେ କ୍ରେମଲିନର କମାଣ? ଏନେଇ ଅନେକ ପ୍ରଶ୍ନ ମଧ୍ୟ ସାମ୍ନାକୁ ଆସୁଛି । ପୁଟିନଙ୍କ ଅସୁସ୍ଥତା ଓ ଅସ୍ତ୍ରୋପଚାର, ଅସ୍ଥାୟୀ କ୍ଷମତା ହସ୍ତାନ୍ତର ଭିତରେ ଆଉ ଏକ ବଡ ଖବରକୁ ନେଇ କିଛି ଅର୍ନ୍ତଜାତୀୟ ମିଡିଆ ଦାବି କରୁଛି ।

ନିଜର ବିଶ୍ୱସ୍ତ ତଥା ପୂର୍ବତନ ରୁଷ ସଂଘୀୟ ସେବାର ମୁଖ୍ୟ ନିକୋଲାଇ ପାତ୍ରୁଶେଭଙ୍କୁ ପୁଟିନ ଅସ୍ଥାୟୀ କ୍ଷମତା ଦେଇପାରନ୍ତି । ପାତ୍ରୁଶେଭ କିଛି ଦିନ ପାଇଁ ପୁଟିନଙ୍କ କ୍ଷମତାରେ ରହିବେ ବୋଲି କୁହାଯାଉଛି । ୭୦ବର୍ଷୀ ପାତ୍ରୁଶେଭ ରୁଷର ସୁରକ୍ଷା କାଉନସିଲର ସଚିବ ଥିବାବେଳେ ବର୍ତମାନ ଯୁଦ୍ଧରେ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କୁହାଯାଉଛି ରୁଷ-ୟୁକ୍ରେନ ଯୁଦ୍ଧର ସେ ମୁଖ୍ୟ ରଣନୀତିକାର ।୧୮ ମାସ ହେଲାଣି ପୁଟିନ ଅବଡୋମିନାଲ କ୍ୟାନସର ଓ ପାର୍କିନସନ ରୋଗରେ ପୀଡିତ ଅଛନ୍ତି ।ମେ ୯ରେ ରୁଷ ବିଜୟ ଦିବସ ପାଳିବା ପରେ ପୁଟିନ ଅସ୍ତ୍ରୋପଚାର ପାଇଁ ଯିବା ନେଇ ରିର୍ପୋଟ ଦାବି କରାଯାଉଛି । ଯେଉଁ ଖବର ଗୁଡିକ ଅର୍ନ୍ତଜାତୀୟ ଗଣମାଧ୍ୟରେ ପ୍ରକାଶିତ ହେଉଛି ଯଦି ତାହା ସତ ହୁଏ ତେବେ ପୁଟିନଙ୍କ ଅନୁପସ୍ଥିତିରେ ନାଟୋ ଦେଶ ଓ ଆମେରିକା ସହ ୟୁକ୍ରେନର ଆଗାମୀ ଆଭିମୁଖ୍ୟ କଣ ରହିବ ? ପୁଟିନଙ୍କ ବିନା କ୍ରେମଲିନ ସେନାର ନୂଆ ରଣନୀତି କଣ ରହିବ ?ତା ଉପରେ ସାରା ବିଶ୍ୱର ନଜର ରଖିଛି ।