ବିଜେଡ଼ି ପାଇଁ ମୟୁରଭଞ୍ଜରେ ବଢୁଛି କି ଅଡୁଆ ? ଲକ୍ଷ୍ମଣ ଟୁଡୁ ଛାଡ଼ିଲେ ଦଳ, ବିଜେଡ଼ି କହିଲା ନେତା ଆସିବେ ଯିବେ, ପଡିବନି ଫରକ ।
କନକ ବ୍ୟୁରୋ: ବିଜୁ ଜନତା ଦଳର ଜଣେ ବରିଷ୍ଠ ନେତା ତଥା ଉତ୍ତର ଓଡ଼ିଶାରେ ଟାଣୁଆ ନେତା ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ ଗତକାଲି ବିଜେଡ଼ି ଦଳ ଛାଡିଛନ୍ତି । ସେ ତାଙ୍କ ଇସ୍ତଫା ପତ୍ରକୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଥିବା ଜଣାଇଥିଲେ। ଲକ୍ଷ୍ମଣ ଟୁଡୁ ମୟୁରଭଞ୍ଜ ଜିଲ୍ଲା ବିଜେଡିର ୩ ଥର ସଭାପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ତେବେ ବିଜେଡ଼ି ଦଳ ଛାଡ଼ିବା ପରେ ଏବେ ମୟୁରଭଞ୍ଜରେ ବିଜେଡ଼ି ପାଇଁ ଅଡ଼ୁଆ ବଢ଼ିଯିବନି ତ ? ବିରୋଧୀମାନେ ଏହାର ଫାଇଦା ନେଇ କିଛି ନୂଆ ରଣନୀତି ପ୍ରସ୍ତୁତ କରିବେନି ତ ? ଏଭଳି ଅନେକ କିଛି ପ୍ରଶ୍ନ ରାଜ୍ୟ ରାଜନୀତିକୁ ଗରମ କରିଦେଇଛି ।ହଠାତ୍ ଦଳ ଛାଡିବା ନେଇ ପୂର୍ବତନ ସାଂସଦ ଟୁଡୁ କହିଛନ୍ତି, ବିଜୁ ଜନତା ଦଳ ଏକ କର୍ପୋରେଟ ହାଉସରେ ପରିଣତ ହୋଇଛି । ବିଜୁବାବୁଙ୍କ ଆଦର୍ଶରେ ଗଠିତ ହୋଇଥିବା ବିଜେଡି ଆଉ ପୂର୍ବସ୍ଥିତିରେ ନାହିଁ। ଦଳରେ ତାଙ୍କୁ ଅଣଦେଖା କରାଯାଉଛି । କର୍ମୀମାନଙ୍କୁ ଗୁରୁତ୍ୱ ଦିଆଯାଉ ନାହିଁ। ତେବେ ବର୍ତ୍ତମାନ ବିଜେଡ଼ି ଛାଡ଼ି କେଉଁ ଦଳରେ ଯୋଗଦେବେ ବୋଲି ତାହା ପରବର୍ତ୍ତୀ ସମୟରେ ସାମ୍ବାଦିକ ସମ୍ମିଳନୀରେ କହିବେ ବୋଲି ଟୁଡୁ କହିଛନ୍ତି।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ ବିଜେଡ଼ି ହାତ ଛାଡ଼ିବା ପରେ ସେ ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ଜୋର ଧରିଛି । ମୟୂରଭଞ୍ଜର ପୂର୍ବତନ ଲୋକସଭା ସାଂସଦ ଭାବେ ତୃଣମୂଳ ସ୍ତରରେ ତାଙ୍କର ସାଂଗଠନିକ ସ୍ଥିତି ମଜଭୁତ ରହିଛି । ତେଣୁ ଯଦି ବିଜେପିରେ ଟୁଡ଼ୁ ମିଶନ୍ତି ତେବେ ବିଜେଡ଼ି ପାଇଁ ମୟୁରଭଞ୍ଜ ଆସନ ଅଡ଼ୁଆ ସୃଷ୍ଟି କରିବ ବୋଲି ହେଉଥିବାବେଳେ ଏହାର କୌଣସି ପ୍ରଭାବ ବିଜେଡ଼ି ଉପରେ ପଡ଼ିବ ନାହିଁ ବୋଲି ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି । କାରଣ ନିର୍ବାଚନୀ ବର୍ଷ ଆସିଲେ ଏମିତି ଦଳ ବଦଳ ଲାଗି ରହିବା ଏକ ସ୍ୱାଭାବିକ ପ୍ରକ୍ରିୟା । କିନ୍ତୁ ରାଜ୍ୟବାସୀଙ୍କ ଯେଉଁ ବିଶ୍ୱାସ ଦୀର୍ଘ ୧୮ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ଉପରେ ରହିଛି ତାହା ଅତୁଟ । ତେଣୁ ଲକ୍ଷ୍ମଣ ଟୁଡ଼ୁ ଦଳ ଛାଡ଼ିବା ପରେ ମଧ୍ୟ ଏହାର କୌଣସି ଫରକ ପଡ଼ିବ ନାହିଁ ବରଂ ବିଜେଡ଼ି ପଞ୍ଚମଥର ପାଇଁ କ୍ଷମତାକୁ ଆସିବ ବୋଲି ରାଜ୍ୟବାସୀଙ୍କ ବିଶ୍ୱାସରୁ ଜଣାପଡ଼ୁଛି ବୋଲି ସସ୍ମିତ ପାତ୍ର କହିଛନ୍ତି ।