ଭୋଟରଙ୍କୁ ଆକୃଷ୍ଟ କରିବାକୁ ସୁନ୍ଦରଗଡ଼ରେ ମାଦଳ ବଜାଇ ଭୋଟ୍ ମାଗିଲେ ବିଜେଡି ବିଧାୟକ ପ୍ରାର୍ଥୀ ଯୋଗେଶ ସିଂହ । ଆଦିବାସୀ ନାଚର ତାଳେ ତାଳେ ନାଚିଲେ ଦୀଲ୍ଲିପ ତିର୍କି ।

177

କନକ ବ୍ୟୁରୋ: ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ମାହୋଲ ବି ସେତିକି ଉଷ୍ମ ହେବାରେ ଲାଗିଛି । ଏବେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ନୂଆ ନୂଆ ପନ୍ଥା ଆପଣାଉଛନ୍ତି ପ୍ରାର୍ଥୀ । ନିର୍ବାଚନୀ ପ୍ରଚାର ବେଳେ ମାଦଳ ବଜାଇଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ଯୋଗେଶ ସିଂହ । ସେହିପରି ଆଦିବାସୀ ନାଚର ତାଳେତାଳେ ନାଚିଛନ୍ତି ସାଂସଦ ପ୍ରାର୍ଥୀ ଦିଲ୍ଲୀପ ତିର୍କି । ବିଜେଡି ସୁନ୍ଦରଗଡ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରେ ମାରାଥନ ପ୍ରଚାର କରିଛି ।

ସୁନ୍ଦରଗଡ ବିଧନସଭା ନିର୍ବାଚନ ମଣ୍ଡଳୀର ତସଲାଡିହି, ସିଆଁବାହାଲ, ଖୁଟଗାଁ, ଅଲେଇକୋର ଗାଁରେ ପ୍ରଚାର କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଦିଲ୍ଲୀପ ତିର୍କୀ ଓ ସୁନ୍ଦରଗଡ ବିଧାନସଭା ପ୍ରାର୍ଥୀ ଯୋଗେଶ ସିଂହ । ହେଲେ ଏହି ମାରାଥନ ପ୍ରଚାର ସମୟରେ ଟାଙ୍ଗରପାଲୀର ତସଲାଡିହିରେ ଦେଖିବାକୁ ମିଳିଥିଲା ଏକ ରୋଚକ ଦୃଶ୍ୟ । ଏହି ଗାଁରେ ଦୁଇ ହେବିୱେଟ୍ ପ୍ରାର୍ଥୀ ପହଞ୍ଚିବା ପରେ ସ୍ଥାନୀୟ ଆଦିବାସୀ ମହିଳା ମାନେ ପାରମ୍ପାରିକ ଆଦିବାସୀ ନୃତ୍ୟରେ ତାଙ୍କୁ ପାଛୋଟି ନେଇଥିଲେ । ଏହି ସମୟରେ ସୁନ୍ଦରଗଡ ବିଜେଡି ବିଧାନସଭା ପ୍ରାର୍ଥୀ ଯୋଗେଶ ସିଂହ ମାଦଳ ଧରି ବାଜା ବଜାଉଥିବା ବେଳେ ଲୋକସଭା ପ୍ରାର୍ଥୀ ଦିଲ୍ଲୀପ ତିର୍କୀ ଆଦିବାସୀ ମହିଳାଙ୍କ ସହ ଆଦିବାସୀ ନାଚର ତାଳେ ତାଳେ ନାଚିଥିଲେ । ଏହିଭଳି ମାଦଳ ବଜାଇ ଏବଂ ନାଚି ପୁରା ଗାଁ ପରିକ୍ରମା କରାଇଥିଲେ ।