ଲୋକସଭାରେ ଆସିଲା ‘କାଶ୍ମୀର’ ବିଲ୍: ସଂସଦରେ ବିବୃତି ରଖୁଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହା

ଗତକାଲି ରାଜ୍ୟସଭାରେ ପାସ୍ ହୋଇଛି ବିଲ୍

125

କନକ ବ୍ୟୁରୋ: ରାଜ୍ୟସଭା ପରେ ଆଜି ଲୋକସଭାରେ ଆସିଲା ଜାମ୍ମୁ-କଶ୍ମୀର ରାଜ୍ୟ ପୁନର୍ଗଠନ ବିଲ୍ । ଗୃହମନ୍ତ୍ରୀ ଅମିତ୍ ଶାହା ଆଜି ଲୋକସଭାରେ ବିବୃତି ରଖୁଛନ୍ତି । ଗତକାଲି ରାଜ୍ୟସଭାରେ ଏହି ବିଲ୍ ପାରିତ ହୋଇଥିବା ବେଳେ ଆଜି ଲୋକସଭାରେ ଏହି ବିଲ୍ ପାରିତ କରିବାକୁ ଆଗତ କରୁଛନ୍ତି ମୋଦି ସରକାର । ଏନଡିଏର ସଂଖ୍ୟା ଦୃଷ୍ଟିରୁ ଲୋକସଭାରେ ଜାମ୍ମୁ-କଶ୍ମୀର ରାଜ୍ୟ ପୁନର୍ଗଠନ ପାରିତ ହେବାରେ କୌଣସି ସମସ୍ୟା ହେବ ନାହିଁ । ଏ ସଂପର୍କରେ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି- ଜାମ୍ମୁ-କଶ୍ମୀର ରାଜ୍ୟ ପୁନର୍ଗଠନ ବିଲ୍ ସଂପର୍କରେ ପୁଣି ଥରେ ବିସ୍ତୃତ ଆଲୋଚନା ହେବ ଏବଂ ସଂପର୍କରେ ବିରୋଧୀଙ୍କ ସମସ୍ତ ପ୍ରଶ୍ନର ଉତ୍ତର ରଖିବେ ।

ଗତକାଲି ଜାମ୍ମୁ-କଶ୍ମୀର ରାଜ୍ୟ ପୁନର୍ଗଠନ ବିଲ୍ ରାଜ୍ୟସଭାରେ ପାରିତ ହୋଇଥିଲା । ୧୨୫ ଜଣ ବିଲ୍ ସପକ୍ଷରେ ଭୋଟ ଦେଇଥିବା ବେଳେ ବିଲ୍ ବିରୋଧରେ ୬୧ ଟି ଭୋଟ ଦେଇଥିଲେ । ଚିଠା ଜରିଆରେ ଏହି ଭୋଟ ହୋଇଥିଲା । ଏହି ବିଲ୍ରେ ଜାମ୍ମୁ-କାଶ୍ମୀର ରାଜ୍ୟକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ଜାମ୍ମୁ ଓ କାଶ୍ମର ଠାରୁ ଲଦାଖ୍କୁ ଅଲଗା କରାଯାଇଛି । ଉଭୟ ଲଦାଖ ଏବଂ ଜାମ୍ମୁ ଓ କାଶ୍ମୀର କେନ୍ଦ୍ର ଶାସିତ ଅଂଚଳରେ ପରିଣତ କରାଯିବ । ତେବେ ଜାମ୍ମୁ ଓ କାଶ୍ମୀରରେ ବିଧାନସଭା ରହିବ ।

ଦିଲ୍ଲୀ ଭଳି ଜାମ୍ମୁ ଓ କାଶ୍ମୀରର ରାଜ୍ୟପାଳଙ୍କ ହାତରେ ପୋଲିସ ଓ ସୁରକ୍ଷା ବ୍ୟବସ୍ଥା ରହିବ । ହେଲେ ଲଦାଖରେ ବିଧାନସଭା ରହିବ ନାହିଁ, ସେଠାରେ ଲେଫ୍ଟନାଂଟ ଗଭର୍ଣ୍ଣରଙ୍କ ଜରିଆରେ କେନ୍ଦ୍ର ସରକାର ଶାସନ କରିବେ । ସବୁଠୁ ବଡ଼ କଥା ହେଉଛି, ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, ଯଦି ପରିସ୍ଥିତି ବଦଳେ, ତେବେ ଜାମ୍ମୁ ଓ କାଶ୍ମୀରକୁ ସଂପୂର୍ଣ୍ଣ ରାଜ୍ୟର ମାନ୍ୟତା ଦିଆଯିବା ନେଇ ପଦକ୍ଷେପ ନିଆଯିବ । ରାଜ୍ୟ ପୁନର୍ଗଠନ ବିଲ୍ ସହ ଜାମ୍ମୁ କାଶ୍ମୀର ସଂରକ୍ଷଣ ବିଲ ମଧ୍ୟ ରାଜ୍ୟସଭାରେ ପାସ୍ ହୋଇଛି । ଧ୍ୱନି ମତରେ ଉଚ୍ଚ ସଦନରେ ଏହି ବିଲ୍ ପାରିତ ହୋଇଛି ।