ଲୋକସଭାରେ ବିତର୍କ ବେଳେ ଛାତି ବାଡେଇ ବିରୋଧୀଙ୍କୁ ଜବାବ ଦେଲେ ଗୃହମନ୍ତ୍ରୀ । କହିଲେ ‘କାଶ୍ମୀର’ ଆମର ଦାୟିତ୍ୱ, କାଶ୍ମୀର ପାଇଁ ଜୀବନ ଦେଇଦେବି ।

420

କନକ ବ୍ୟୁରୋ : ଲୋକସଭାରେ ଆଗତ ହୋଇଛି ଜାମ୍ମୁକାଶ୍ମୀର ପୁରନର୍ଗଠନ ବିଲ୍ । ଲୋକସଭାରେ ବିବୃତି ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଅନ୍ୟପଟେ କଂଗ୍ରେସ ଏହି ବିଲକୁ ବିରୋଧ କରିବା ସହ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛି । ଜାମ୍ମୁକାଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଏବଂ ଓମର ଅବଦୁଲ୍ଲାଙ୍କୁ ଗିରଫ କରାଯିବା ଘଟଣାକୁ ନେଇ ସରକାରଙ୍କୁ ଘେରିଛି କଂଗ୍ରେସ । ଜାମ୍ମୁକାଶ୍ମୀରକୁ କେନ୍ଦ୍ର ସରକାର ଜେଲ୍ କରିଦେଇଛନ୍ତି ବୋଲି କଂଗ୍ରେସ କହିଛି ।

ଅନ୍ୟପଟେ ଲୋକସଭାରେ କଂଗ୍ରେସ ସଦସ୍ୟଙ୍କ ଅଭିଯୋଗର ଜବାବ ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଶାହା କହିଛନ୍ତି, ଜାମ୍ମୁକାଶ୍ମୀର ଭାରତର ଏକ ଅଭିନ୍ନ ଅଙ୍ଗ । ସେହିପରି ପିଓକେ ମଧ୍ୟ ଭାରତର ଅଭିନ୍ନ ଅଙ୍ଗ । କାଶ୍ମୀର ଦାୟିତ୍ୱ ଆମର, ଆବଶ୍ୟକ ପଡିଲେ କାଶ୍ମୀର ପାଇଁ ଜୀବନ ଦେଇଦେବି ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ।

ଶାହା ଆହୁରି ମଧ୍ୟ କହିଛନ୍ତି, ଜାମ୍ମୁକାଶ୍ମୀର ପାଇଁ ସମ୍ବିଧାନ ଗଠନ ହେବ, ଏହାକୁ କେହି ରୋକିପାରିବେନି । ଜାମ୍ମୁକାଶ୍ମୀର ମଧ୍ୟରେ ପିଓକେ ଆସୁଛି । ତେବେ ଆଜିର ପ୍ରସ୍ତାବ ଏବଂ ବିଲ୍ ଭାରତ ଇତିହାସରେ ସ୍ୱର୍ଣ୍ଣ ଅକ୍ଷରରେ ଲେଖାଯିବାକୁ ଯାଉଛି । ଧାରା ୩୭୦ର ଉଚ୍ଛେଦକୁ ନେଇ ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି ଅମିତ ଶାହା । ଏହା ସହ ସେ କହିଛନ୍ତି ଜାମ୍ମୁକାଶ୍ମୀରକୁ ନେଇ କୌଣସି ବିବାଦ ନାହିଁ ।