ସରକାରୀ ଅଧିକାରୀ ବନାମ ଜନପ୍ରତିନିଧି: ବୁକ ସର୍କୁଲାର-୪୭କୁ ମାନୁନାହାନ୍ତି ସରକାରୀ ବାବୁ

117

କନକ ବ୍ୟୁରୋ: ରାଜ୍ୟରେ ସରକାରୀ ଅଧିକାରୀମାନେ ବୁକ ସର୍କୁଲାର-୪୭ ନିୟମକୁ ପାଳନ କରୁନାହାନ୍ତି । ଯାହାକୁ ନେଇ ବାବୁ ଆଉ ଲୋକପ୍ରତିନିଧି ଅନେକ ସମୟରେ ମୁହାଁମୁହିଁ ହେଉଛନ୍ତି । ବିଧାନସଭାରେ ଏ ନେଇ ବିରୋଧୀ ସଦସ୍ୟଙ୍କ ସହ ଶାସକ ଦଳ ବିଧାୟକ ବି ଉଦବେଗ ପ୍ରକାଶ କରିଛନ୍ତି । ଏପରିକି ବିଧାନସଭାର ସଦାଚାର କମିଟି ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ପରିଖି ରିପୋର୍ଟ ଦେଇଛନ୍ତି । ସରକାରୀ ଅଧିକାରୀମାନେ ଜନପ୍ରତିନିଧିଙ୍କୁ ଅନେକ କ୍ଷେତ୍ରରେ ସହ ଯୋଗ କରୁନଥିବା କଥା ମଧ୍ୟ ସରକାରଙ୍କୁ ଜଣାଇଛନ୍ତି । ଏ ନେଇ ସଂସଦୀୟ ବ୍ୟାପାର ସଚିବ ଜି. ମାଥ୍ୟୁବାଥନନ୍ ଅସନ୍ତୋଷ ପ୍ରକାଶ କରି ସବୁ ବିଭାଗକୁ ଗତ ୫ ତାରିଖରେ ଚିଠି ଲେଖିଛନ୍ତିି । ଚିଠିରେ କୁହାଯାଇଛି,

-ବୁକ-ସର୍କୁଲାର-୪୭ ନିୟମକୁ କଡାକଡି ପାଳନ କରାଯାଉ
-ଜନପ୍ରତିନିଧିଙ୍କୁ ବିଭିନ୍ନ କ୍ଷେତ୍ରରେ ସହଯୋଗ କରାଯାଉ
-ପ୍ରତ୍ୟେକ ବିଭାଗରେ କ୍ଷେତ୍ରୀୟ ଅଧିକାରୀ ନିଯୁକ୍ତ ସହ ସ୍ୱତନ୍ତ୍ର ପ୍ରକୋଷ୍ଠ କାର୍ଯ୍ୟକାରୀ ହେଉ
– ନିୟମ ପାଳନ ହେଉଛି କି ନାହିଁ ସେଥିପ୍ରତି ଦୃଷ୍ଟି ଦିଆଯାଉ
-ସଦାଚାର କମିଟି ଏ ନେଇ ସରକାରଙ୍କୁ ନିୟମିତ ଅବଗତ କରାଉଛି
-ସର୍କୁଲାରକୁ କିଭଳି ପାଳନ କରାଯିବ ସେ ନେଇ ଜିଲ୍ଲାପାଳ,ଏସପି, ପ୍ରଶାସନିକ ଅଧିକାରୀ, ଆରଡିସିଙ୍କୁ କପି ପ୍ରଦାନ କରାଯାଇଛି

ବିଧାନସଭାର ସଦାଚାର କମିଟି ବିଭିନ୍ନ ଜିଲ୍ଲା ଗସ୍ତ କରିଛି । ଆଉ ସରକାରଙ୍କୁ ନିୟମ ପାଳନ କରିବା ପାଇଁ ଅବଗତ କରାଇଛି । ବିଶେଷକରି ସୁନ୍ଦରଗଡ, ବରଗଡ, ବଲାଙ୍ଗିର, କୋରାପୁଟ, ନବରଙ୍ଗପୁର ଜିଲ୍ଲାରେ ନିୟମର ଖୋଲା ଉଲ୍ଲଙ୍ଘନ ହେଉଛି । ଯାହାକୁ ନେଇ ପୂର୍ବରୁ ମୁଖ୍ୟ ଶାସନ ସଚିବ ବି ସମୀକ୍ଷା କରିଥିଲେ । ସେପଟେ ବିରୋଧୀ ଏଥିପାଇଁ ସରକାରୀ ଅଧିକାରୀଙ୍କୁ ଦାୟୀ କରିଛନ୍ତି ।

ବିଭିନ୍ନ କାରଣକୁ ନେଇ ଅନେକ ସମୟରେ ମୁହାଁମୁହିଁ ସ୍ଥିତିକୁ ଆସିଛନ୍ତି ନେତା ଓ ଅଫିସର । ଗତ କିଛି ଦିନ ତଳେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଓ ତହସିଲଦାର ମୁହାଁମୁହିଁ ହୋଇଥିଲେ ।