ମହାରାଷ୍ଟ୍ରରେ ୫୦-୫୦ ଫର୍ମୁଲା, ୪୦ ଦିନ ପରେ ଗଠନହେଲା ମନ୍ତ୍ରିମଣ୍ଡଳ।

260

କନକ ବ୍ୟୁରୋ: ଶିବସେନାର ବିଦ୍ରୋହୀ ନେତା ଏକାନାଥ ସିନ୍ଦେଙ୍କ ଗୋଷ୍ଠୀ ବିଜେପି ସହ ମିଶି ମହାରାଷ୍ଟ୍ରରେ ସରକାର ଗଠନ କରିବାର ୪୦ ଦିନ ପରେ ମନ୍ତ୍ରିମଣ୍ଡଳ ଗଠନ କରିଛନ୍ତି । ସୁପ୍ରିମକୋର୍ଟର ଚାପ ସତ୍ୱେ ୨ କ୍ୟାବିନେଟ୍ ମନ୍ତ୍ରୀଙ୍କ ସହ ୧୮ ମନ୍ତ୍ରୀ ମଙ୍ଗଳବାର ଶପଥ ଗ୍ରହଣ କରିଛନ୍ତି । ମହାରାଷ୍ଟ୍ର ରାଜ୍ୟପାଳ ବି ଏସ କୋଶିଆରୀ ଦକ୍ଷିଣ ମୁମ୍ବାଇସ୍ଥିତ ରାଜଭବନରେ ମନ୍ତ୍ରୀମାନଙ୍କୁ ପଦ ଏବଂ ଗୋପନିୟତାର ଶପଥ ପାଠ କରାଇଛନ୍ତି । ସଂଖ୍ୟାରେ ବହୁତ କମ ହୋଇଥିଲ ବି ମନ୍ତ୍ରିମଣ୍ଡଳରେ ଏକାନାଥ ସିନ୍ଦେ ଗୋଷ୍ଠୀକୁ ସମାନ ଅଧିକାର ଦେଇଛି ବିଜେପି । ୧୮ ମନ୍ତ୍ରୀଙ୍କ ମଧ୍ୟରୁ ବିଜେପି ଏବଂ ଏକନାଥ ଗୋଷ୍ଠୀରୁ ୯ ଜଣ ଲେଖାଏ ମନ୍ତ୍ରୀ ଶପଥ ନେଇଛନ୍ତି । ମହାରାଷ୍ଟ୍ର ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି ।

ଜୁନ୍ ୩୦ରୁ ଶପଥ ନେଇଥିବା ଏକନାଥ ସିନ୍ଦେ ସରକାରରେ ମନ୍ତ୍ରିମଣ୍ଡଳ ଗଠନରେ ବିଳମ୍ବ ଯୋଗୁ ବିରୋଧୀ ସମାଲୋଚନା କରିଥିଲେ । ମନ୍ତ୍ରୀମଣ୍ଡଳ ଗଠନ ଉପରେ ଆଲୋଚନା ନେଇ ଏକନାଥ ସିନ୍ଦେ ବହୁବାର ରାତିରେ ଦିଲ୍ଲୀ ଗସ୍ତ କରି ମଧ୍ୟ ସମାଲୋଚିତ ହୋଇଥଲେ । ଶେଷରେ ମନ୍ତ୍ରିମଣ୍ଡଳ ଗଠନ ହୋଇଥିଲେ ବି ଅଧାରୁ ଅଧିକ ସିଟ୍ ବଳକା ରହିଛି । ୪୩ ସଦସ୍ୟ ବିଶିଷ୍ଟ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳରେ ଆହୁରି ୨୫ ପଦବୀ ଫାଙ୍କା ରହିଛି । ତେବେ ଏପର୍ଯ୍ୟନ୍ତ ବିଭାଗ ଭାଗବଣ୍ଟା କରାଯାଇନାହିଁ । କାହାକୁ କେଉଁ ବିଭାଗ ମିଳିବ ସେନେଇ ଚର୍ଚ୍ଚା ହେଉଥିବା ବେଳେ ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଗୁରୁତ୍ୱପୂର୍ଣ୍ଣ ଗୃହ ବିଭାଗର ଦାୟିତ୍ୱ ମିଳିବ ବୋଲି ସୂଚନା ମିଳିଛି ।

ମନ୍ତ୍ରିମଣ୍ଡଳରେ ଆହୁରି ୨୫ ସିଟ୍ ଫାଙ୍କା ପଡିଥିବାରୁ ବିଜେପି-ସିନ୍ଦେଙ୍କ ମଧ୍ୟରେ ଠିକ୍ ଭାବେ ବୁଝାମଣା ହୋଇନଥିବା ନେଇ ଚର୍ଚ୍ଚା ହେଉଛି । ହେଲେ ସୁପ୍ରିମକୋର୍ଟରେ ଶିବସେନା ବିବାଦ ମାମଲାର ଶୁଣାଣି ଶେଷ ହୋଇନଥିବାରୁ ମନ୍ତ୍ରିମଣ୍ଡଳରେ ଅଧିକ ମନ୍ତ୍ରୀଙ୍କୁ ସାମିଲ କରାଯାଇନଥିବା ରାଜନୈତିକ ଋଣନୀତିକାରମାନେ ମତପ୍ରକାଶ କରିଛନ୍ତି ।