ମଝି ନଈରେ ଟଳମଳ ଡଙ୍ଗା । ସାହସ ଦେଖାଇ ଭାସିଯାଉଥିବା ଡଙ୍ଗାକୁ ନିୟନ୍ତ୍ରଣକୁ ଆଣିଲେ ଯୁବକ, ମରଣ ମୁହଁରୁ ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

54

କନକ ବ୍ୟୁରୋ: ମଝି ନଈରେ ଟଳମଳ ଡଙ୍ଗା । ଅଳ୍ପକେ ରକ୍ଷା ପାଇଲେ ଛାତ୍ରଛାତ୍ରୀ । ମାଲକାନଗିରି ବାଲିମେଳା ନିକଟ ଚିତାପାରି ନଦୀ ଘାଟରେ ଘଟିଛି ଏଭଳି ଅଘଟଣ । ଦେଶୀ ଡଙ୍ଗାରେ ଛାତ୍ରଛାତ୍ରୀମାନେ ନଦୀ ପାର ହେଉଥିଲେ । ଏହି ସମୟରେ ଡଙ୍ଗାଟି ମଝି ନଈରେ ବୁଡି ଯାଉଥିବାବେଳେ ଜଣେ ଯୁବକ ପାଣିକୁ ଡେଇଁ ଡଙ୍ଗାକୁ ଆୟତ କରିଥିଲେ । ଫଳରେ ସ୍କୁଲକୁ ଯାଉଥିବା ଛାତ୍ରଛାତ୍ରୀ ଆସନ୍ନ ବିପତିରୁ ଉଦ୍ଧାର ପାଇଥିଲେ ।

ଘଟଣା ସମୟରେ ଭୟରେ ଛାତ୍ରୀ ଥରିବାକୁ ଲାଗିଥିଲେ । ଏଠାରେ ପୋଲ ନିର୍ମାଣ ମନ୍ଥର ଗତିରେ ଚାଲୁଥିବାରୁ ବାଧ୍ୟ ହୋଇ ଛାତ୍ରଛାତ୍ରୀ ଦେଶୀ ଡଙ୍ଗାରେ ଯିବାକୁ ବାଧ୍ୟ ହେଉଛନ୍ତି । ପୂର୍ବରୁ ଏହି ଘାଟରେ ଅନେକ ବଡ ଘଟଣା ଘଟିସାରିଛି । ଏଠାରେ ଦେଶୀ ଡଙ୍ଗା ମାତ୍ର ଦୁଇଟି କାଠ ଗଣ୍ଡିରେ ତିଆରି ହୋଇଛି । ଜୀବନ ସୁରକ୍ଷା ପାଇଁ ଲାଇଫ ଜ୍ୟାକେଟ ବି ନାହିଁ । ଅନ୍ୟ ଉପାୟ ନ ପାଇ ଲୋକେ ଓ ଛାତ୍ରଛାତ୍ରୀ ଅସୁରକ୍ଷିତ ଭାବେ ଯାତ୍ରା କରିବାକୁ ବାଧ୍ୟ ହେଉଛନ୍ତି ।

ସେପଟେ, କୁଆଖାଇ ନଦୀରେ ଭାସିଯାଇଥିବା ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ । ଆଜି ସକାଳୁ ଘରୁ ସ୍କୁଲ ବାହାରି ନଦୀକୁ ଗାଧୋଇବାକୁ ଆସିଥିଲେ ୫ ଛାତ୍ର । ଗାଧୋଇବା ବେଳେ ଛାତ୍ରମାନେ ପାଣିରେ ଭାସିଯାଇଥିଲେ । ନଦୀ କୂଳରେ ଥିବା କିଛି ଲୋକ ୩ ଜଣ ଛାତ୍ରଙ୍କୁ ଉଦ୍ଧାର କରିଥିବା ବେଳେ ଆଉ ୨ ଜଣ ଭାସିଯାଇଥିଲେ । ଅଗ୍ନିଶମ କର୍ମଚାରୀ ମାନେ ବହୁ ଖୋଜାଖାଜି କରିବା ପରେ ପ୍ରଥମେ ଜଣେଛାତ୍ରଙ୍କ ମୃତଦେହ ଉଦ୍ଧାର କରିଥିଲେ । ଏହାର କିଛି ସମୟ ପରେ ଆେଉ ଜଣେ ଛାତ୍ରଙ୍କ ମୃତଦେହ ମିଳିଥିଲା । ମୃତ ଛାତ୍ର ହେଲେ ୟୁନିଟ ୯ ବଏଜ ହାଇସ୍କୁଲରର ନବମ ଶ୍ରେଣୀ ଛାତ୍ର ସଫିକ ଦିଗାଲ ଓ ଜଗମୋହନ ସାହୁ । ତେବେ ଛାତ୍ରଙ୍କୁ ଖୋଜୁଖୋଜୁ ନଦୀରୁ ଜଣେ ମହିଳାଙ୍କ ମୃତଦେହ ମଧ୍ୟ ମିଳିଥିଲା ।