କେନ୍ଦ୍ର ବିଜେପି-ଆରଏସଏସ ମଧ୍ୟରେ ବଢୁଛି ଫାଟ! ମୋଦି ସରକାରର ଆର୍ଥିକ ନୀତିକୁ ବିରୋଧ କରିବ ବିଏମଏସ

42

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ପାଇଁ ଅଡୁଆ ବଢିପାରେ । କାରଣ କେନ୍ଦ୍ର ବିଜେପି-ଆରଏସଏସ ମଧ୍ୟରେ ବଢୁଛି ଫାଟ । ଆରଏସଏସର ଛାମୁଆ ସଂଗଠନ ବିଏମଏସ ବା ଭାରତୀୟ ମଜଦୁର ସଂଘ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ଯାଉଛି । ମୋଦି ସରକାରର ସମସ୍ତ ଯୋଜନାରେ ଶ୍ରମିକ ଗୋଷ୍ଠିକୁ ଅଣଦେଖା କରାଯାଉଥିବାରୁ ଶ୍ରମିକଙ୍କ ମନରେ ଅସନ୍ତୋଷ ଦାନା ବାନ୍ଧୁଛି । ଶ୍ରମିକ ମାନଙ୍କ ଉନ୍ନତି ପାଇଁ ଆରଏସଏସ ପକ୍ଷରୁ ଏହି ଅନୁଷ୍ଠାନ ସାରା ଦେଶରେ କାର୍ଯ୍ୟ କରୁଛି ।

ତେବେ ଶ୍ରମିକଙ୍କ ଦୀର୍ଘଦିନର ଦାବି ପୁରଣ ହେଉନଥିବା ସହ ଆର୍ଥିକ ନୀତି ବିରୋଧରେ ମୋଦିଙ୍କୁ ବିରୋଧ କରିବେ । ଆସନ୍ତା ୧୭ ନଭେମ୍ବରରେ ଭାରତୀୟ ମଜଦୁର ସଂଘ ରାମଲିଳା ମୈଦାନରେ ବିଶାଳ ବିରୋଧ ସମାବେଶ କରିବା ସହ ସଂସଦ ଯାଏଁ ରାଲି କରିବ । ଭାରତୀୟ ମଜଦୁର ସଂଘ ମୋଦି ସରକାରଙ୍କୁ ସର୍ବନିମ୍ନ ନିର୍ଧାରିତ ବେତନ ସହ ସମାନ କାମ-ସମାନ ଦରମା ଆଦି ଦାବି କରିଆସୁଛି । ତେବେ ମୋଦି ସରକାର ଶ୍ରମିକଙ୍କ କଥାକୁ କର୍ଣ୍ଣପାତ କରୁନଥିବାରୁ ଶ୍ରମିକ ସଙ୍ଗଠନ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।