କଂଗ୍ରେସ ହାତରୁ ହିମାଚଳ ପ୍ରଦେଶକୁ ଛଡେଇ ଆଣିଛି ବିଜେପି ! ୫ ବର୍ଷ ପରେ ପୁଣି ବଦଳିଛି ସରକାର

32

କନକ ବ୍ୟୁରୋ : ଗୁଜରାଟ ପରି ହିମାଚଳ ପ୍ରଦେଶରେ ବି ଉଡିଲା ଗୈରିକ ବାନା । ଦୀର୍ଘ ୫ ବର୍ଷ ପରେ ପୁଣି ଥରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ସହ ଶାସନ ହାତେଇଛି ବିଜେପି । ଶାସକ କଂଗ୍ରେସ କିନ୍ତୁ ନିଜ ସ୍ଥିତି ବଂଚାଇ ପାରିନାହିଁ । ଆରପଟେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା ହୋଇଥିବା ପ୍ରେମ କୁମାର ଧୂମାଲ ନିର୍ବାଚନ ହାରିଯାଇଛନ୍ତି ।

ପୁଣି ଥରେ ହିମାଚଳରେ ଫୁଟିଛି ପଦ୍ମ । କଂଗ୍ରେସ ହାତରୁ ହିମାଚଳ ପ୍ରଦେଶକୁ ଛଡେଇ ଆଣିଛି ବିଜେପି । ଗୁଜରାଟ ପରି ହିମାଚଳ ପ୍ରଦେଶରେ ବି ବାଜିଛି ବିଜେପିର ବିଜୟ ବିଗୁଲ । ୨୦୦୭ ପରେ ପୁଣି ଥରେ ଶାସନକୁ ଅକ୍ତିଆର କରିବା ପାଇଁ ଜନାଦେଶ ପାଇଛି ବିଜେପି । ମୋଟ ୬୮ ଆସନ ବିଶିଷ୍ଟ ହିମାଚଳ ପ୍ରଦେଶ ବିଧାନସଭା ପାଇଁ ମ୍ୟାଜିକ୍ ନମ୍ବର ୩୫ ରହିଥିବା ବେଳେ ଏହାକୁ ଟପିଛି ବିଜେପି । ୨୦୧୨ ବିଧାନସଭା ନିର୍ବାଚନରେ କଂଗ୍ରେସ ୩୬ ଆସନରେ ବିଜୟୀ ହେବା ସହ ଶାସନ ସମ୍ଭାଳିଥିଲା । ବରିଷ୍ଠ ନେତା ବିରଭଦ୍ର ସିଂହ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟ ଶାସନ କରିଥିଲେ । କିନ୍ତୁ ୫ ବର୍ଷ ପରେ ବଦଳିଯାଇଛି ଚିତ୍ର । ଭୋଟ ହାର ତୁଳନା କଲେ ୨୦୧୨ ତୁଳନାରେ ବିଜେପିର ପ୍ରାୟ ୧୦ ପ୍ରତିଶତ ଭୋଟ ବଢିଛି । ଅନ୍ୟ ପଟେ କଂଗ୍ରେସର ଭୋଟ ହାର ପ୍ରାୟ ୨ ପ୍ରତିଶତ ହ୍ରାସ ପାଇଛି । ତେବେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପ୍ରେମ କୁମାର ଧୂମାଲ ସୁଜାନପୁର ବିଧାନସଭା ଆସନରୁ କଂଗ୍ରେସ ନେତା ରାଜିନ୍ଦର ସିଂହଙ୍କଠାରୁ ହାରିଯାଇଛନ୍ତି ।

ସେପଟେ ରାହୁଲ ଗାନ୍ଧି ଦଳର ନେତୃତ୍ୱ ନେବା ସହ ହିମାଚଳ ପ୍ରଦେଶରେ କଂଗ୍ରେସର ଖରାପ ପ୍ରଦର୍ଶନକୁ ନେଇ ଟାର୍ଗେଟ କରିଛି ବିଜେପି । ରାହୁଲ୍ ଓପନିଂ ଇନିଂସରେ ବିନା ସ୍କୋରରେ ଫେରିଛନ୍ତି ବୋଲି କଟାକ୍ଷ କରିଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ।୨୦୦୩ ପରେ ୨୦୧୨ରେ ଶାସନଗାଦୀକୁ ଫେରିଥିଲା କଂଗ୍ରେସ । ଏବେ ୨୦୦୭ ପରେ ପୁଣି ୨୦୧୭ରେ ବିଜେପି ହାତକୁ ଯାଇଛି ହିମାଚଳ ପ୍ରଦେଶର ଶାସନ ।