ମକା ବିକିବାକୁ ମଣ୍ଡି ନାହିଁ ! ଚାଷୀଙ୍କ ଅଭିନବ ପ୍ରତିବାଦ, ରାଜରାସ୍ତାରେ ଢାଳିଦେଲେ ମକା

25

କନକ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲାରେ ଘରେ ଘରେ ଗଦା ହୋଇଛି କ୍ୱିଂଟାଲ କ୍ୱିଂଟାଲ ମକା । ସରକାର ମଣ୍ଡି ଖୋଲୁନାହାନ୍ତି, ଭାଙ୍ଗିଯାଇଛି ଚାଷୀଙ୍କ ସ୍ୱପ୍ନ । ଏଣେ ତେଣେ ମକା ରଖିବା ପରେ ଏବେ ରାଜରାସ୍ତାରେ ମକା ଢାଳି ପ୍ରତିବାଦ କରିଛନ୍ତି ଚାଷୀ । ମକା ଚାଷୀ ସଂଗଠନ ପକ୍ଷରୁ ଆଜି ନବରଙ୍ଗପୁର ବନ୍ଦ ଡାକରା ଦିଆଯାଇଥିବା ବେଳେ ସମସ୍ତ ଦୋକାନ ବଜାର, ଗାଡି ଚଳାଚଳ ବନ୍ଦ ରହିଛି ।

ବର୍ଷକ ଯାକର ସ୍ୱପ୍ନକୁ ରାସ୍ତାରେ ଓଜାଡି ଦେବାକୁ ବାଧ୍ୟ ହୋଇଛନ୍ତି ଚାଷୀ ।  ଶହ ଶହ ବସ୍ତା ମକା ରାଜରାସ୍ତାରେ ଢାଳି ସରକାରଙ୍କ ନୀତିର ପ୍ରତିବାଦ କରୁଛନ୍ତି ଚାଷୀ । ନବରଙ୍ଗପୁର ଜିଲ୍ଲାରୁ ଆସିଛି ଏଭଳି ଅଭାବନୀୟ ଖବର ।  ମକା ମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁଁ  ମକା ଚାଷୀ ସଂଗଠନ ପକ୍ଷରୁ ନବରଙ୍ଗପୁର ବନ୍ଦ ଡାକରା ଦିଆଯାଇଥିବା ବେଳେ ଏଭଳି ଅଭିନବ ପ୍ରତିବାଦ କରାଯାଇଛି ।  ରାସ୍ତାରେ ମକା ଢାଳି  ନିଜର ଦାବି ଜଣାଇଛି ଚାଷୀ ।

ଅନ୍ୟପଟେ, ସରକାର ନବରଙ୍ଗପୁର ଜିଲ୍ଲାରେ ମକା ମଣ୍ଡି ଖୋଲିବା ନେଇ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ମଣ୍ଡି ନଖୋଲିବାରୁ ଦଲାଲଙ୍କ ଶୋଷଣର ଶିକାର ହେଉଛନ୍ତି ଚାଷୀ ।  ସରକାରୀ ଧାର୍ଯ୍ୟ ମୂଲ୍ୟ ଅନୁସାରେ ଚାଷୀଙ୍କଠାରୁ  ୧୪୨୫ ଟଙ୍କାରେ ସରକାର ମକା କିଣିବାକୁ ଦାବି କରାଯାଇଛି ।