ରାଜ୍ୟ ସରକାରଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଟାର୍ଗେଟ୍: କର୍ମୀଙ୍କ ଜରିଆରେ ଜନତା ମୈଦାନରୁ ଜନତାଙ୍କୁ ବାର୍ତ୍ତା

93

କନକ ବ୍ୟୁରୋ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଓଡିଶା ଗସ୍ତକୁ ଏକ ଉତ୍ସବ ଭଳି ପାଳନ କରିଛି ଦଳ । ସର୍ବୋଚ୍ଚ ନେତାଙ୍କୁ ସ୍ୱାଗତ ପାଇଁ ଜୋରଦାର ପ୍ରସ୍ତୁତି କରାଯାଇଥିଲା । ପାରମ୍ପରିକ ନାଚ,ଗୀତ ଭିତରେ କର୍ମୀଙ୍କ ଜୋଶ ବେସ ବାରି ହୋଇପଡୁଥିଲା । ଶକ୍ତିକେନ୍ଦ୍ର କର୍ମକର୍ତାଙ୍କୁ ଗୁରୁମନ୍ତ୍ର ଦେବାପାଇଁ ଦିଲ୍ଲୀରୁ ଛୁଟି ଆସିଛନ୍ତି ଜଗତ ପ୍ରକାଶ ନଡ୍ଡା । ଏକ ବିଶାଳ ବାଇକ ରାଲିରେ ସିଧା ଯାଇଥିଲେ ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟ । ସେଠାରୁ ଦଳର ତୁଙ୍ଗ ନେତା ଜନତା ମୈଦାନ ଯାଏଁ ପାଛୋଟି ନେଇଥିଲେ । ଦଳୀୟ କର୍ମୀଙ୍କୁ ସମ୍ବୋଧନ କଲାବେଳେ ରାଜ୍ୟ ସରକାରଙ୍କ ବିରୋଧରେ ବେଶ ଆକ୍ରମଣାତ୍ମକ ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ।

କେନ୍ଦ୍ରରେ ମୋଦୀ ସରକାରଙ୍କ ସଫଳତା କଥା କହି ଶକ୍ତିକେନ୍ଦ୍ର କର୍ମକର୍ତାଙ୍କ ଭିତରେ ଆଗାମୀ ନିର୍ବାଚନରେ ଜୋରଦାର ଲଢେଇ ପାଇଁ ଜୋଶ ଭରିଛନ୍ତି ଜେପି ନଡ୍ଡା । ଆଉ ଏତିକିବେଳେ ରାଜ୍ୟ ସରକାରଙ୍କ ଦୁର୍ନୀତି, କୁ-ଶାସନ ଓ ଅପାରଗତା କଥା କହି ଜୋରଦାର ଆକ୍ରମଣ କରିଛନ୍ତି । ହତ୍ୟାକାଣ୍ଡରେ ମନ୍ତ୍ରୀଙ୍କ ସଂପୃକ୍ତି ଅଭିଯୋଗରୁ ଆରମ୍ଭ କରି ଶ୍ରୀମନ୍ଦିର ରତ୍ନଭଣ୍ଡାର ସୁରକ୍ଷା ପ୍ରସଙ୍ଗ ବି ଉଠାଇଛନ୍ତି ।

ରାଜ୍ୟ ସରକାରଙ୍କ ଦୋଷ ଦୁର୍ବଳତା ଗଣାଇବାବେଳେ ଆଗାମୀ ନିର୍ବାଚନରେ ଡବଲ ଇଂଜିନ ସରକାର ଆଣିବାକୁ ସେ ଆହ୍ୱାନ ଦେଇଛନ୍ତି । ଆଉ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ କଥାରେ ସ୍ୱର ମିଳାଇ ବିଜେଡି ସରକାରକୁ ବଙ୍ଗୋପସାଗରରେ ଫିଙ୍ଗିଦେବାକୁ ଦମ୍ଭ ଦେଖାଇଛନ୍ତି ବିରୋଧୀ ଦଳ ନେତା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ୱର ମଧ୍ୟ ବେଶ ଶାଣିତ ହୋଇଛି ।

ସମାନ ଦିନରେ ବରମୁଣ୍ଡା ପଡିଆରେ ବିଜେଡିର କାର୍ଯ୍ୟକ୍ରମକୁ ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ସାଂସଦ । ୨୦ ବର୍ଷରୁ ଅଧିକ ଦିନ ଶାସନରେ ରହିବା ପରେ ବିରୋଧୀଙ୍କୁ ଏତେ ଭୟ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା ଷଡଙ୍ଗୀ ।

ଓଡିଶାକୁ ଆସି ଓଡିଆଙ୍କ କଥା କହି ଭାବାବେଗକୁ ଉସୁକାଇବାକୁ ଚେଷ୍ଟା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଦ୍ରୌପଦୀ ମୁର୍ମୁଙ୍କୁ କିଭଳି ମୋଦୀ ସରକାର ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ବସାଇଛନ୍ତି ସେହି କଥା କହିଛନ୍ତି । ଆୟୁଷମାନ ଭାରତରେ ସାମିଲ ନହୋଇ ରାଜ୍ୟର ୬୦ ଲକ୍ଷ ପରିବାରକୁ ସ୍ୱାସ୍ଥ୍ୟ ସେବାରୁ ବଂଚିତ ରଖାଯାଉଥିବା ଅଭିଯୋଗ କରିଛନ୍ତି । ପ୍ରସଙ୍ଗ ଭିତିରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଦଳୀୟ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଜେପି ନଡ୍ଡା ।