ସମୀର-ବୈଜୟନ୍ତ ରୁଦ୍ଧଦ୍ୱାର ବୈଠକକୁ ନେଇ ଜୋର ଧରିଲା ରାଜନୀତି ! ସମୀର ଦେ କହିଲେ, କଟକରୁ ବିଜେପି ପ୍ରାର୍ଥୀ ହେଲେ ଦିଆଯିବ ସମର୍ଥନ

47

କନକ ବ୍ୟୁରୋ:କଟକରେ ବିଜେପି ନେତାଙ୍କୁ ବୈଜୟନ୍ତ ଭେଟିବା ଚର୍ଚ୍ଚାର ବିଷୟ ହୋଇଛି । ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ସମୀର ଦେଙ୍କୁ ଗତକାଲି ସନ୍ଧ୍ୟାରେ ଭେଟିଥିଲେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା । ସମୀରଙ୍କ କଟକ ସିଡିଏ ସ୍ଥିତ ବାସଭବନରେ ବୈଜୟନ୍ତଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ବୈଜୟନ୍ତଙ୍କୁ ସ୍ୱାଗତ କରିବା ପାଇଁ ବିଜେପିର ଅନେକ ନେତା ଓ କର୍ମୀଙ୍କ ସମୀରଙ୍କ ବାସଭବନରେ ଉପସ୍ଥିତ ରହିଥିଲେ । ଖାଲି ସେତିକି ନୁହେଁ ଉଭୟଙ୍କ ମଧ୍ୟରେ ୧୫ ମିନିଟ୍ କାଳ ରୁଦ୍ଧଦ୍ୱାର ଆଲୋଚନା ମଧ୍ୟ ହୋଇଥିବା ଜଣାପଡିଛି । ସମ୍ବର୍ଦ୍ଧନା ସଭାରେ ସମୀର ଦେ କହିଥିଲେ, ବୈଜୟନ୍ତ ମିଶନ ୨୦୧୯ର ମଙ୍ଗ ଧରିବେ । ବିଜେପି ନଗର ସଭାପତି ଲକ୍ଷୀଧର ପ୍ରଧାନ ବୈଜୟନ୍ତଙ୍କୁ କଟକ ପୁଅ ଭାବେ ବର୍ଣ୍ଣନା କରିଥିଲେ । ବୈଜୟନ୍ତ କଟକର ଲୋକଙ୍କ ପାଇଁ କାମ କରିବା ସହ ଏଠାରୁ ପ୍ରତିନିଧିତ୍ୱ କରନ୍ତୁ ବୋଲ ଅନୁରୋଧ କରିଥିଲେ । ଉତରରେ ବୈଜୟନ୍ତ ଉପସ୍ଥିତ ବ୍ୟକ୍ତିବିଶେଷଙ୍କୁ କୃତଜ୍ଞତା ଦେବା ସହ ସୁଯୋଗ ମିଳିଲେ କଟକ ପାଇଁ କାମ କରିବାକୁ ପଛାଇବେ ନାହିଁ ବୋଲି କହିଥିଲେ ।

ତେବେ ସମୀରଙ୍କ ଘରେ ବୈଜୟନ୍ତଙ୍କ ଉଦ୍ଦେଶ୍ୟରେ ସମ୍ବର୍ଦ୍ଧନା ଉତ୍ସବ ଓ ଉଭୟଙ୍କ ମଧ୍ୟରେ ଗୁପ୍ତ ଆଲୋଚନାକୁ ନେଇ ରାଜନୈତିକ ମହଲରେ ଆରମ୍ଭ ହୋଇଛି କଳ୍ପନାଜଳ୍ପନା । ଆଉ କେନ୍ଦ୍ରାପଡାର ନେତା ବୈଜୟନ୍ତଙ୍କୁ କଟକରେ କାହିଁକି ସମ୍ବର୍ଦ୍ଧିତ କରାଗଲା ତାହା ମଧ୍ୟ ଆଉ ଏକ ଆଲୋଚନାକୁ ଜନ୍ମ ଦେଇଛି । ବିଜେପିର ସବୁ ତୁଙ୍ଗ ନେତାଙ୍କ ସହ ସମ୍ପର୍କ ଅଛି ବୋଲି କହି ଆସୁଥିବା ବୈଜୟନ୍ତ, ହଠାତ୍ ସମୀରଙ୍କ ସହ ସମ୍ପର୍କକୁ କାହିଁକି ପଦାକୁ ଆଣିଲେ ତାହାକୁ ନେଇ ମଧ୍ୟ ଭିନ୍ନ ଚର୍ଚ୍ଚା ହେଉଛି । କେନ୍ଦ୍ରାପଡା ଛାଡି କଟକରୁ ଲଢିବେ କି ବୈଜୟନ୍ତ, ଏହା ମଧ୍ୟ ରାଜନୈତିକ ମହଲରେ ଆଉ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବଡ ପ୍ରଶ୍ନ ହେଉଛି-ପୂର୍ବରୁ ବିଜେପିର ଲିଙ୍କରେ ଥିଲେ କି ।

ସେପଟେ ଆଜି ସମୀର ଦେ ଏହା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି, ସାକ୍ଷାତ ସୌଜନ୍ୟମୂଳକ ଥିଲା । ହେଲେ ଯଦି ସେ ଆଗକୁ ବିଜେପିରେ ମିଶି କଟକରୁ ଛିଡା ହେବେ ତେବେ ଦଳ ତାଙ୍କୁ ସମର୍ଥନ କରିବ ।  ବୈଜୟନ୍ତଙ୍କ ବୈଠକ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ଦଳର ନେତା ଦେବାଶିଷ ସାମନ୍ତରାୟ କହିଛନ୍ତି, କଟକ ଲୋକସଭା ଆସନ ବିଜେଡିର ଗଡ । ବୈଜୟନ୍ତ ବିଜେପିରୁ କଟକ ଆସନରୁ ଛିଡା ହେଲେ କୌଣସି ପ୍ରଭାବ ପଡିବ ନାହିଁ ।